
ପାନାମା ସିଟି, ୧୩ ଅକ୍ଟୋବର (ହି.ସ.)। କିଛି ଦିନ ପୂର୍ବରୁ ଆସିଥିବା ଶକ୍ତିଶାଳୀ ଭୂକମ୍ପର ଝଟକାରୁ ପାନାମାବାସୀ ଏପର୍ଯ୍ୟନ୍ତ ମୁକୁଳି ନଥିବା ବେଳେ, ପୁଣି ୬.୪ ତୀବ୍ରତାର ଏକ ନୂଆ ଭୂକମ୍ପ ଝଟକା ଲୋକଙ୍କୁ ଭୟଭୀତ କରିଛି। ଏହାର ସର୍ବାଧିକ ପ୍ରଭାବ ପୁଣି ଥରେ ଭେରାଗୁଆସ୍ ପ୍ରଦେଶର ସୋନା ଜିଲ୍ଲାରେ ଅନୁଭୂତ ହୋଇଛି। ଭୟଭୀତ ହୋଇ ଜିଲ୍ଲାର ଲୋକମାନେ ନିଜ ନିଜ ଘରୁ ବାହାରକୁ ଚାଲି ଆସିଥିଲେ।
ପାନାମାର ସ୍ପାନିସ୍ ଭାଷାର ଦୈନିକ ଖବରକାଗଜ ‘କ୍ରିଟିକା’ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ସମୟ ଅନୁସାରେ ଅକ୍ଟୋବର ୧୨ ତାରିଖ ଅପରାହ୍ଣରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହେବାରୁ ପାନାମାବାସୀ ଭୟଭୀତ ହୋଇପଡ଼ିଥିଲେ। ଭୂକମ୍ପ ହେବା ମାତ୍ରେ ସୋନା ଜିଲ୍ଲାରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା। ଏହାପରେ ସନ୍ଧ୍ୟା ୬ଟା ୨୦ ମିନିଟ୍ରେ ପୁଣି ୬.୪ ତୀବ୍ରତାର ଭୂକମ୍ପ ଆସିଥିଲା। ଏହି ଭୂକମ୍ପର ଗଭୀରତା ୨ କିଲୋମିଟର ଥିଲା। ପାନାମାର କୋଇବା ଦ୍ୱୀପଠାରୁ ୨୯ କିଲୋମିଟର ଉତ୍ତର-ପୂର୍ବରେ ଏହାର କେନ୍ଦ୍ରସ୍ଥଳ ରହିଥିଲା।
ଲୋସ୍ ସାଣ୍ଟୋସ୍ ପ୍ରଦେଶର ଟୋନୋସି ଅଞ୍ଚଳରେ ଶୁକ୍ରବାର ୭.୭ ତୀବ୍ରତାର ଭୂକମ୍ପ ଆସିବାର ଠିକ୍ ତିନି ଦିନ ପରେ ଏହି ନୂଆ ଭୂଗର୍ଭୀୟ ଗତିବିଧି ଅନୁଭୂତ ହୋଇଛି। ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନ୍ସିଏସ୍) ଅନୁଯାୟୀ, ନୂଆ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଭାରତୀୟ ସମୟ ଅନୁସାରେ, ଏହି ଭୂକମ୍ପ ସକାଳ ୪ଟା ୫୦ ମିନିଟ୍ ୩୭ ସେକେଣ୍ଡରେ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ଥିଲା। ତେବେ ଏହି ନୂଆ ଭୂକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।
ଶୁକ୍ରବାର ଲୋସ୍ ସାଣ୍ଟୋସ୍ ପ୍ରଦେଶର ଟୋନୋସି ଅଞ୍ଚଳରେ ଭୂକମ୍ପ ହେବା ପରେ ପାନାମାରେ ସାର୍ବଜନୀନ ପରିବହନ ଏବଂ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଦେଶର ଦୁଇଟି ମେଟ୍ରୋ ଲାଇନ୍ରେ ଯାତାୟାତ ବନ୍ଦ କରାଯାଇଥିଲା। ମୁଖ୍ୟ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା। ଦକ୍ଷିଣ ଉପକୂଳରେ ଅବସ୍ଥିତ କୋକ୍ଲେ ପ୍ରଦେଶରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଥିଲା। ରାଜଧାନୀ ପାନାମା ସିଟିରେ ମଧ୍ୟ କିଛି କ୍ଷୟକ୍ଷତି ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା