
ଯୋଧପୁର, ୧୩ ଅକ୍ଟୋବର (ହି.ସ.)- କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି ଯେ, ସାମ୍ବିଧାନିକ ସଂସ୍ଥାଗୁଡ଼ିକର ସ୍ଥାୟିତ୍ୱ, ସେମାନଙ୍କର ନିରପେକ୍ଷତା ଏବଂ ସେମାନଙ୍କର ନିର୍ବିବାଦିତ ଅସ୍ତିତ୍ୱରେ ସମ୍ବିଧାନର ଆତ୍ମା ରହିଛି । ବିଗତ କିଛି ବର୍ଷ ମଧ୍ୟରେ ବିଶେଷ କରି ୨୦୨୪ ଲୋକସଭା ନିର୍ବାଚନରେ ପରାଜୟ ପରେ, ବିରୋଧୀ ଦଳମାନେ ଯେଉଁଭଳି ଭାବେ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ସେଗୁଡିକୁ ଦୁର୍ବଳ କରିବାକୁ ଚେଷ୍ଟା କରିଛନ୍ତି, ତାହା ଦେଶର ଗଣତନ୍ତ୍ର ପାଇଁ ଚିନ୍ତାର ବିଷୟ ।
ମଙ୍ଗଳବାର ଦିନ ଯୋଧପୁର ବିମାନବନ୍ଦରରେ ଗଣମାଧ୍ୟମ ସହ କଥାବାର୍ତା କରି ଶେଖାୱତ କହିଛନ୍ତି ଯେ, ନ୍ୟାୟପାଳିକା, ନିର୍ବାଚନ ଆୟୋଗ କିମ୍ବା ସରକାରଙ୍କ କାର୍ଯ୍ୟକାରିତା ସହିତ ଜଡ଼ିତ ସଂସ୍ଥାଗୁଡ଼ିକୁ କ୍ରମାଗତ ଭାବରେ ପ୍ରଶ୍ନ କରିବାର ପ୍ରବୃତି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିଥାଏ । ଅନେକ ଦଶନ୍ଧି ଧରି ଦେଶକୁ ଶାସନ କରିଥିବା କଂଗ୍ରେସ ଦଳ ଏବଂ ଏହାର ନେତୃତ୍ୱ ଏହି ପ୍ରସଙ୍ଗରେ ଗମ୍ଭୀରତାର ସହ ବିଚାର କରିବା ଉଚିତ୍ । ସେ କହିଥିଲେ ଯେ, ରାଜନୈତିକ ଅଭିଳାଷ ପୂରଣ କରିବା ଲାଗି ଏଭଳି ଦାୟିତ୍ୱହୀନ କାର୍ଯ୍ୟକଳାପ ଦୀର୍ଘକାଳୀନ ଭିତିରେ ଦେଶ ଏବଂ ଗଣତନ୍ତ୍ର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।
ଭୋଟର ତାଲିକାର ସ୍ୱତନ୍ତ୍ର ଇଂଟେନ୍ସିଭ୍ ରିଭିଜନ୍ (ଏସ୍.ଆଇ.ଆର.) ଉପରେ ବିରୋଧୀଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ଶେଖାୱତ୍ କହିଛନ୍ତି ଯେ, ବିରୋଧୀ ଦଳଗୁଡ଼ିକର ଆଭିମୁଖ୍ୟ ଚୟନମୂଳକ ଥିଲା । ସେ କହିଥିଲେ ଯେ ପଞ୍ଜାବ, ତାମିଲନାଡ଼ୁ ଭଳି ରାଜ୍ୟରେ ଏସ୍.ଆଇ.ଆର.ର ପ୍ରକ୍ରିୟା ଏବଂ ନିର୍ବାଚନ ଫଳାଫଳକୁ ନେଇ ବିରୋଧୀମାନେ ସେପରି ପ୍ରଶ୍ନ ଉଠାଇ ନାହାଁନ୍ତି ଯେପରି ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପରେ ଯେଉଁଭଳି ଭାବେ ପ୍ରଶ୍ନ ଉଠାଇଛନ୍ତି । ସେ କହିଥିଲେ ଯେ, କଂଗ୍ରେସ ଯେଉଁଠି ନିର୍ବାଚନରେ ସଫଳତା ପାଇଥାଏ, ସେଠି ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିନଥାଏ, କିନ୍ତୁ ଯେଉଁଠି ପରାଜୟର ସମ୍ମୁଖୀନ ହୋଇଥାଏ, ସେଠି ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ଆରମ୍ଭ ହୋଇଥାଏ । ସେଖାୱତ କହିଛନ୍ତି ଯେ, ଗଣତନ୍ତ୍ରରେ ନିର୍ବାଚନ ଫଳାଫଳକୁ ରାଜନୈତିକ ସୁବିଧା ଅନୁଯାୟୀ ସ୍ୱୀକାର କରିବା କିମ୍ବା ତାହା ଉପରେ ପ୍ରଶ୍ନ କରିବା ଉଚିତ୍ ନୁହେଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ