
ଝାରସୁଗୁଡ଼ା, ୧୫ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଏଚ୍. କଟାପାଲିସ୍ଥିତ ପିକେଏସଏସ୍ ଡିଗ୍ରୀ କଲେଜରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ରସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଗୁରୁବାର ଭୋଟ ଗଣତି ପରେ ସଭାପତି ପଦବୀର ଫଳାଫଳ ଘୋଷଣା କରାଯାଇଛି। ଏଥିରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସମର୍ଥିତ ପ୍ରାର୍ଥୀ ସୌଭାଗ୍ୟ ରୋହିଦାସ ବିପୁଳ ଭୋଟରେ ବିଜୟୀ ହୋଇ ସଭାପତି ନିର୍ବାଚିତ ହୋଇଛନ୍ତି।
ସଭାପତି ପଦ ପାଇଁ ହୋଇଥିବା ଏହି ନିର୍ବାଚନରେ ସୌଭାଗ୍ୟ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦମୟନ୍ତୀ ମଲ୍ଲିକଙ୍କୁ ୧୧୯ ଭୋଟର ବ୍ୟବଧାନରେ ପରାସ୍ତ କରିଛନ୍ତି। ମୋଟ ୪୧୩ ଜଣ ଭୋଟରଙ୍କ ମଧ୍ୟରୁ ୩୪୮ ଜଣ ମତଦାନ କରିଥିଲେ। ସେଥିମଧ୍ୟରୁ ଗୋଟିଏ ଭୋଟ ନାକଚ ହୋଇଥିବାବେଳେ ୩୪୭ଟି ଭୋଟ ବୈଧ ଘୋଷିତ ହୋଇଥିଲା। ଫଳାଫଳ ଅନୁଯାୟୀ, ବିଜୟୀ ପ୍ରାର୍ଥୀ ସୌଭାଗ୍ୟ ରୋହିଦାସ ୨୨୨ ଖଣ୍ଡ ଭୋଟ ପାଇଥିବାବେଳେ ଦମୟନ୍ତୀ ମଲ୍ଲିକ ୧୦୩ ଖଣ୍ଡ ଏବଂ ସ୍ୱୟଂ ରଞ୍ଜନ ସା ୨୨ ଖଣ୍ଡ ଭୋଟ ପାଇଛନ୍ତି। ସୌଭାଗ୍ୟଙ୍କ ବିଜୟକୁ ନେଇ ତାଙ୍କ ସମର୍ଥକ ଓ ସହପାଠୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
ନିର୍ବାଚନ ଅଧିକାରୀ, ଗଣତି ଅଧିକାରୀ ଓ ନିରୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୋଟ ଗଣତି ପ୍ରକ୍ରିୟା ସମାପ୍ତ ହୋଇଥିଲା। ଫଳାଫଳ ଘୋଷଣା ପରେ କଲେଜର କର୍ମକର୍ତ୍ତା, ନିର୍ବାଚନ ଅଧିକାରୀ ଓ ଛାତ୍ରଛାତ୍ରୀମାନେ ନବନିର୍ବାଚିତ ସଭାପତି ସୌଭାଗ୍ୟ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ନିଜ ବିଜୟ ପରେ ପ୍ରତିକ୍ରିୟା ଦେଇ ସୌଭାଗ୍ୟ କହିଛନ୍ତି ଯେ, ଝାରସୁଗୁଡ଼ାର ବିଶିଷ୍ଟ ସମାଜସେବୀ ତଥା ଯୁବନେତା ବିଶାଳ ଦାସ ଏବଂ ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ପ୍ରେରଣା ଓ ଉତ୍ସାହ ତାଙ୍କୁ ଏହି ସଫଳତା ହାସଲ କରିବାରେ ସହାୟକ ହୋଇଛି। ଛାତ୍ରଛାତ୍ରୀଙ୍କ ଆସ୍ଥା ଓ ସମର୍ଥନକୁ ସମ୍ମାନ ଜଣାଇ କଲେଜର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ କାମ କରିବା ତାଙ୍କର ପ୍ରାଥମିକତା ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ