



ବଲାଙ୍ଗିର, ୧୫ ଅକ୍ଟୋବର (ହି.ସ.)- ବଲାଙ୍ଗିର ସହରରେ ଅନୁଷ୍ଠିତ ୭୦ତମ ଓଡ଼ିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରିକେଟ୍ ଓ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଗୁରୁବାର ଦିନ ଆନନ୍ଦ ଓ ଉତ୍ସାହର ସହ ସମ୍ପନ୍ନ ହୋଇଛି।୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଚାମ୍ପିୟନସିପ୍ ରେ ବିଭିନ୍ନ ଜିଲ୍ଲାର ଖେଳାଳିମାନେ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ।ବଲାଙ୍ଗୀରସ୍ଥିତ ପିଏମ୍ ଶ୍ରୀ ପି.ଆର୍. ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ୱରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ମୁଖ୍ୟ ଅତିଥି ଏବଂ ଓଡ଼ିଶା ସରକାରଙ୍କ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ଖେଳାଳି ମାନେ ନିଷ୍ଠା ଓ ନିୟମିତ ଅଭ୍ୟାସ ଜାରି ରଖି ରାଜ୍ୟ ତଥା ଜାତୀୟସ୍ତରରେ ନିଜ ଅଞ୍ଚଳର ଗୌରବ ବୃଦ୍ଧି କରିବା ସହ କ୍ରୀଡ଼ା ମନୋଭାବ ବଜାୟ ରଖିବାକୁ ମୁଖ୍ୟ ଅତିଥି ଶ୍ରୀ ଜୈନ ନିଜ ବକ୍ତବ୍ୟରେ କହିଥିଲେ। ନିଜ ବକ୍ତବ୍ୟରେ ନରସିଂହ ମିଶ୍ର କହିଥିଲେ ଯେ, କ୍ରୀଡ଼ା କେବଳ ଶାରୀରିକ ଅଭ୍ୟାସ ନୁହେଁ, ଏହା ଜୀବନ ଗଢ଼ିବାର ଏକ ଶକ୍ତିଶାଳୀ ମାଧ୍ୟମ। କ୍ରୀଡ଼ା ମଣିଷକୁ ଶୃଙ୍ଖଳା, ଧୈର୍ଯ୍ୟ, ସମୟାନୁବର୍ତ୍ତିତା, ନେତୃତ୍ୱ, ସହଯୋଗ ଓ ପରିଶ୍ରମର ମୂଲ୍ୟ ଶିଖାଇଥାଏ। ଜୀବନରେ ସଫଳତା ହାସଲ କରିବା ପାଇଁ ଆବଶ୍ୟକ ଗୁଣଗୁଡ଼ିକର ବିକାଶରେ କ୍ରୀଡ଼ାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଖେଳାଳିମାନେ ବିଜୟ ଓ ପରାଜୟକୁ ସମାନ ଭାବରେ ଗ୍ରହଣ କରିବା ସହ କ୍ରୀଡ଼ା ମନୋଭାବ ବଜାୟ ରଖିବା ଉଚିତ ବୋଲି ସେ ମତପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଡିଏଭି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶିବ ପ୍ରସାଦ ବେହେରା, ଏଡିଇଓ ପ୍ରବୀର କୁମାର ପଣ୍ଡା, ରୀନା କୁମାରୀ ବେହେରା, ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର ସାଧାରଣ ସମ୍ପାଦକ ସୁରୁଲାଲ ମଟାରୀ ଏବଂ ପି.ଆର୍. ହାଇସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ ପ୍ରମୁଖ ଯୋଗଦେଇଥିଲେ। ଏଡିଇଓ ସେବାଶ୍ରୀ ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ହେମନ୍ତ ପ୍ରଧାନ ଓ ବିନୋଦ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ସକାଳ ୮ଘଣ୍ଟା ସମୟରେ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ୧୭ବର୍ଷରୁ କମ ବାଳିକା କ୍ରିକେଟ୍ ମ୍ୟାଚ ରେ ଭୁବନେଶ୍ୱର ଦଳକୁ ପରାସ୍ତ କରି କଟକ ଦଳ ଚାମ୍ପିୟନ ହୋଇଥିବା ବେଳେ ପିଆର ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମ ଠାରେ ବ୍ୟାଡମିଣ୍ଟନର ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ମଧ୍ୟ ରୋମାଞ୍ଚକର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ବ୍ୟାଡମିଣ୍ଟନର ୧୪ ବର୍ଷରୁ କମ୍ ବାଳିକା ବିଭାଗରେ କେନ୍ଦୁଝର ଜିଲ୍ଲା ବିଜେତା ଓ ପୁରୀ ଜିଲ୍ଲା ଉପବିଜେତା ହୋଇଥିଲା।୧୪ ବର୍ଷରୁ କମ୍ ବାଳକ ବିଭାଗରେ ଗଜପତି ଜିଲ୍ଲା ବିଜେତା ଓ ଢେଙ୍କାନାଳ ଜିଲ୍ଲା ଉପବିଜେତା ହୋଇଥିଲା। ସେହିପରି ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ବାଲେଶ୍ୱର ଜିଲ୍ଲା ଚାମ୍ପିୟନ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ଉପବିଜେତା ହୋଇଥିଲା।୧୭ ବର୍ଷରୁ କମ୍ ବାଳକ ବିଭାଗରେ ବଲାଙ୍ଗୀର ଜିଲ୍ଲା ଚମତ୍କାର ପ୍ରଦର୍ଶନ କରି ବିଜେତା ହୋଇଥିବା ବେଳେ ବରଗଡ଼ ଜିଲ୍ଲା ଉପବିଜେତା ହୋଇଥିଲା। ଏହି ପ୍ରତିଯୋଗିତାରେ ମନୋନୀତ ଖେଳାଳିମାନେ ଆଗାମୀ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ ବୋଲି ଶାରୀରିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ଜ୍ୟୋତିପ୍ରସାଦ ପରିଡ଼ା ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ