
କନ୍ଧମାଳ, ୧୫ ଅକ୍ଟୋବର (ହି.ସ.)- କନ୍ଧମାଳ ଜିଲ୍ଲାର ପାରମ୍ପରିକ ଖାଦ୍ୟ, ଫସଲ, ଦେଶୀ ବିହନ ଓ ଅବହେଳିତ ଫସଲ ଗୁଡିକର ସଂରକ୍ଷଣ ଏବଂ ପୁନରୁଦ୍ଧାର ଉଦ୍ଦେଶ୍ୟରେ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ତଥା ସ୍ଥାୟୀ ଉନ୍ନତିକରଣ ପ୍ରକଳ୍ପ ତରଫରୁ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଫୁଲବାଣୀ ସ୍ଥିତ ଜିଲ୍ଲା କୃଷି ବିଭାଗର ଆତ୍ମା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆଜି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରି ପ୍ରସନ୍ନ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରକଳ୍ପର ଉଦ୍ଦେଶ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଓ ଆଗାମି ଦିନରେ କାର୍ଯ୍ୟ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କନ୍ଧମାଳ ଜିଲ୍ଲା ଉଦ୍ୟାନ କୃଷି ଅଧିକାରି ସ୍ମିତା ମହାନ୍ତି ଉପସ୍ଥିତ ରହି ବିଶେଷ କରି ଦେଶୀ ବିହନ ଓ ପାରମ୍ପରିକ ଫସଲର ସଂରକ୍ଷଣ, ଅବହେଳିତ ତଥା ବିଲୁପ୍ତ ପ୍ରାୟ ଫସଲର ପୁନରୁଦ୍ଧାର, ବିହନ ବୃଦ୍ଧି, ସ୍ଥାନୀୟ କୃଷି ଜ୍ଞାନର ସୁରକ୍ଷା ଏବଂ ଚାଷୀଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ ।
ସେହିପରି ବାଲିଗୁଡା ସହକାରୀ କୃଷି ଅଧିକାରି ସ୍ୱେତକାନ୍ତ ରାଉତ, କେ.ନୁଆଗାଁ ର ସହକାରୀ କୃଷି ଅଧିକାରି ସନ୍ତୋଷ କୁମାର ଦଳବେହେରା, କନ୍ଧମାଳ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡାକ୍ତର ନରେନ୍ଦ୍ର ବାର, ଯୋଜନା ଅଧିକାରି ରଶ୍ମିରଞ୍ଜନ ମହାରଣା ଏବଂ ସ୍ୱାତୀ ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଯୋଗଦେଇ ଗ୍ରମ୍ୟ ସ୍ତରରେ ପାରମ୍ପରିକ ଫସଲ ଚିହ୍ନଟ, ଦେଶୀ ବିହନ ସଂଗ୍ରହ ଓ ସଂରକ୍ଷଣ, ଚାଷୀ ମାନଙ୍କ ସହଭାଗିତା ବୃଦ୍ଧି ଏବଂ ବିଭିନ୍ନ ବିଭାଗର ସମନ୍ୱୟରେ ପ୍ରକଳ୍ପକୁ ସଫଳ କରିବା ନେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ କୃଷି ଓ ଉଦ୍ୟାନ ବିଭାଗର ବହୁ ଅଧିକାରି ଯୋଗଦେଇଥିବା ବେଳେ ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗବାଡି ଓ ରାଇକିଆ ବ୍ଲକର କୃଷି ଅଧିକାରି ଓ ସହାକାରି କୃଷି ଅଧିକାରି ମାନେ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସଂଯୋଜକ ବିଶ୍ୱରଞନ ଦଳବେହେରା, ସହ ସଂଯୋଜକ ସ୍ୱଧର୍ମ ରାଉତ, ଚାରି ଜଣ ରିସର୍ଚ୍ଚ ଫେଲୋ, ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟର ସଦସ୍ୟ/ସଦସ୍ୟା ଓ ସି.ଆର.ପି. ମାନେ ସହଯୋଗ କରିଥିଲେ । ଶେଷରେ ଏହା ଉପଲବ୍ଧି ହେଲା ଯେ, ଏହି ପ୍ରକଳ୍ପ ମାଧ୍ୟମରେ କନ୍ଧମାଳ ଜିଲ୍ଲାର ପାରମ୍ପରିକ ଫସଲ ବିବିଧତାର ସୁରକ୍ଷା, ସ୍ଥାୟୀ କୃଷି ପଦ୍ଧତିର ପ୍ରସାର ଏବଂ ଚାଷୀ ମାନଙ୍କ ଜୀବିକା ଓ ପୋଷଣ ସୁରକ୍ଷାକୁ ସୁଦୃଢ କରିବା ଦିଗରେ ସମନ୍ୱିତ ପ୍ରୟାସ କରାଯିବା ଉପରେ ଗୁରୁତ୍ୱ ଦେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ