
କନ୍ଧମାଳ, ୧୫ ଅକ୍ଟୋବର (ହି.ସ.)- ଅଦ୍ୟାବଧି ଆମ କନ୍ଧମାଳ ଜିଲ୍ଲାର ତଥ୍ୟ ଅନୁସାରେ ୨୦୨୫ ମସିହା ଜାନୁଆରୀ ମାସ ଠାରୁ ଡିସେମ୍ବର ମାସ ମଧ୍ୟରେ ୨୧୯ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ସେଥିରେ ମୋଟ ୧୨୬ ଜଣଙ୍କର ମୃତ୍ୟୁ ଘଟିଛି। ୨୦୨୬ ମସିହାରେ ଜୁଲାଇ ମାସ ପର୍ଯ୍ୟନ୍ତ ଜିଲ୍ଲାରେ ୧୫୧ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ସେଥିରେ ମୋଟ ୯୨ ଜଣଙ୍କର ମୃତ୍ୟୁ ଘଟିଛି । ସେଥିନିମନ୍ତେ ଏହି ଦୁର୍ଘଟଣାର ପରିମାଣ ବା ସଂଖ୍ୟାକୁ କମାଇବା ପାଇଁ ଓଡିଶା ସରକାରଙ୍କ ସେବା ସଙ୍କଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅର୍ନ୍ତଗତ ପରିବହନ ବିଭାଗର ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ କଟ୍ରିଙ୍ଗିଆ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କନ୍ଧମାଳ ଜିଲ୍ଲା ପରିବହନ ବିଭାଗଙ୍କ ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ସଚତେନତା ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିଣାକାର କାଶ୍ୟପ ଖାମରିଙ୍କ ଦଳ ଦ୍ୱାରା ପରିବେଷଣ କରାଯାଇଥିଲା । ଏହାକୁ ଆଂଚଳିକ ପରିବହନ ପ୍ରାଧିକରଣ କନ୍ଧମାଳ ସହାୟତା ପ୍ରଦାନ କରିଥିବା ବେଳେ ସ୍ୱେଚ୍ଛାସେବି ଅନୁଷ୍ଠାନ ସ୍ୱାତୀ ମାଧ୍ୟମରେ ପରିଚାଳନା କରାଯାଉଛି । ଫୁଲବାଣୀ ଆଂଚଳିକ ପରିବହନ ଅଧିକାରିଣୀ ମିଲି ସାହୁଙ୍କ ସହାୟତା ଏବଂ ସଂପାଦକ ଈଂ. ହରିି ଶଙ୍କର ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଡକ ସୁରକ୍ଷା ବାର୍ତା ଯଥା- ଗୀତ, ନୃତ୍ୟ, ବିଭିନ୍ନ ଢଗ ଢମାଳି ମାଧ୍ୟମରେ ଦୁଇଚକିଆ ମୋଟର ଯାନର ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ ବ୍ୟବହାର କରିବା, ଦୃତ ବେଗରେ ଗାଡି ନଚଲାଇବା, ଗାଡିଚାଳକ ପ୍ରତିଯୋଗିତା ନକରିବା, ଗାଡି ଚଲାଇଲା ବେଳେ ନିଶା ସେବନ ନକରିବା, ଗାଡି ଚାଳନା ବେଳେ ମୋବାଇଲ ଫୋନ୍ ବ୍ୟବହାର ନକରିବା, ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ କୌଣସି ପ୍ରକାର ଗାଡି ଚଲାଇବାକୁ ନଦେବା, ଚାରିଚକିଆ ମୋଟର ଯାନରେ ଯାତ୍ରା ବେଳେ ଚାଳକ ଏବଂ ଯାତ୍ରୀମାନେ ସିଟ୍ ବେଲ୍ଟ ବ୍ୟବହାର କରିବା ଓ କୌଣସି ଗାଡିର କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ ନକରିବା କିମ୍ବା କ୍ଷମତା ଠାରୁ ଅଧିକ ଓଜନର ଦ୍ରବ୍ୟ ନେବା ଆଣିବା ନକରିବା ଇତ୍ୟାଦି ବିଷୟରେ ଜୁନିଅର ଏମ୍.ଭି.ଆଇ. ବଟକୃଷ୍ଣ ବିଶ୍ୱାଳ ଉପସ୍ଥିତ ରହି ଜନସାଧାରଣ ମାନଙ୍କୁ ବୁଝାଇଥିଲେ । ସ୍ଥାନୀୟ ସରପଞ୍ଚ ପ୍ରତିଭା କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଡକ ସୁରକ୍ଷାର ସମସ୍ତ ନିୟମ ମାନି ରାସ୍ତାରେ ଗାଡି ଚଲାଇବାକୁ ଉପସ୍ଥିତ ଜନସାଧାରଣଙ୍କୁ ଅନୁୁରୋଧ କରିଥିଲେ । ଏଥି ସହିତ ଫୁଲବାଣୀ ପରିବହନ ବିଭାଗର ଅନିଲ ମହାରଣା ଉପସ୍ଥିତ ରହି ଜନସାଧାରଣଙ୍କୁ କିପରି ସଡକ ସୁରକ୍ଷା କରି ଜୀବନ ରକ୍ଷା କରିପାରିବା ତାହା ସୂଚନା ଦେଇଥିଲେ ।
ଅନୁଷ୍ଠାନ ତରଫରୁ ବରିଷ୍ଠ କର୍ମୀ ବିଶ୍ୱରଞ୍ଜନ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସସ୍ମିତା ବେହେରା, ସାମନ୍ତି ଦିଗାଲ, ଗିତାଞ୍ଜଳୀ ଓ ଗିତାଞ୍ଜଳୀ କହଁର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନାରେ ମହୁରିଆ କିସ୍ତାରା ଦିଗାଲ ଓ ଢୋଲିଆ ରଞ୍ଜିତ ଦିଗାଲ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ