
ଚମ୍ପୁଆ, ୧୫ ଅକ୍ଟୋବର (ହି.ସ.)- ଚମ୍ପୁଆ ବ୍ଲକ କରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପଶି ଗ୍ରାମରେ ବେଆଇନ ବାଲି ଚାଲାଣ ବେଳେ ଏକ ଟ୍ରାକ୍ଟର ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନିକଟସ୍ଥ ବୈତରଣୀ ନଦୀରୁ ଦୀର୍ଘ ଦିନ ହେବ ବାରମ୍ବାର ବାଲି ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଚମ୍ପୁଆ ତହସିଲଦାର ଆଜି ସମ୍ପୃକ୍ତ ଅଞ୍ଚଳରେ ହଠାତ୍ ଚଢଉ କରିଥିଲେ। ଚଢ଼ଉ ସମୟରେ ଚୋରା ବାଲି ବୋଝେଇ କରି ଯାଉଥିବା ଏକ ଟ୍ରାକ୍ଟର ( ନମ୍ବର ଓଡି ୦୯ ଏଡି ୨୪୬୨) ତହସିଲଦାରଙ୍କ ଗାଡ଼ିକୁ ଦେଖି ଭୟରେ ଫେରାର ହେବାକୁ ଚେଷ୍ଟା କରିଥିଲା। ତେବେ ଦ୍ରୁତ ଗତିରେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଟ୍ରାକ୍ଟରଟି ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଜୋରରେ ଧକ୍କା ଦେଇଥିଲା। ଫଳରେ ବିଦ୍ୟୁତ ଖୁଣ୍ଟଟି ସମ୍ପୂର୍ଣ୍ଣ ଭାଙ୍ଗି ତଳେ ପଡିଯାଇଛି। ଏହି ଦୁର୍ଘଟଣା ସତ୍ତ୍ୱେ ତହସିଲଦାର ତତ୍ପରତା ପ୍ରକାଶ କରି ଟ୍ରାକ୍ଟରଟିକୁ କାବୁ କରିବାରେ ସଫଳ ହୋଇଥିଲେ। ଗାଡ଼ିକୁ ଜବତ କରିବା ପରେ ଏ ସମ୍ପର୍କରେ ଚମ୍ପୁଆ ଥାନା ଏବଂ ଲଘୁ ଖଣିଜ ବିଭାଗକୁ ତୁରନ୍ତ ଖବର ଦିଆଯାଇଛି। ପୋଲିସ ଓ ସମ୍ପୃକ୍ତ ବିଭାଗ ଟ୍ରାକ୍ଟରକୁ ଥାନାକୁ ନେଇ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta