
ମାଲକାନଗିରି, ୧୫ ଅକ୍ଟୋବର (ହି.ସ.)- ମାଲକାନଗିରି ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ସଂସ୍କୃତ ଭାଷାର ଗୌରବମୟ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ଆୟୋଜିତ ଏହି ସମାରୋହରେ ଶିକ୍ଷାବିତ୍, ଗୁରୁଜନ ଓ ସଂସ୍କୃତ ଅନୁରାଗୀମାନେ ଏକତ୍ରିତ ହୋଇଥିଲେ।
ଉକ୍ତ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୋଭାମଣ୍ଡିତ କରିଥିଲେ। ସଂସ୍କୃତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଦୀର୍ଘଦିନର ଦାବି ପୂରଣ ହୋଇ ସେମାନେ କ୍ୟାଡ଼ରଭୁକ୍ତ ହୋଇଥିବାରୁ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ଦିନରେ ପ୍ରାଚୀନ ଦେବଭାଷା ସଂସ୍କୃତର ନବଜାଗରଣ ଓ ବ୍ୟାପକ ପ୍ରସାର ଦିଗରେ ଶିକ୍ଷକ ସମାଜ ମୁଖ୍ୟ ସାରଥୀ ସାଜିବାକୁ ସେ ଆହ୍ବାନ ଦେଇଥିଲେ।
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସ୍କୃତ ଶିକ୍ଷା ପ୍ରତି ଅନୁରାଗ ଓ ଆଗ୍ରହ ସୃଷ୍ଟି କରିବା ଆଜିର ଆବଶ୍ୟକତା। ସଂସ୍କୃତ କେବଳ ଏକ ଭାଷା ନୁହେଁ, ଏହା ଆମ ସଂସ୍କୃତିର ପ୍ରାଣବିନ୍ଦୁ; ତେଣୁ ଏହାର ସୁରକ୍ଷା ଓ ସଂରକ୍ଷଣ ପ୍ରତ୍ୟେକ ନାଗରିକଙ୍କ ଆଦ୍ୟ କର୍ତ୍ତବ୍ୟ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିରାଣୀ ବିଶ୍ବାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାଷାର ସମୃଦ୍ଧି ପାଇଁ ମିଳିମିଶି ଉଦ୍ୟମ କରିବାକୁ ଗୁରୁତ୍ବାରୋପ କରିଥିଲେ।
ବରିଷ୍ଠ ସଂସ୍କୃତ ଶିକ୍ଷକ କରୁଣାକର ମଲିକ ଶିକ୍ଷକ ସମାଜର ବିଭିନ୍ନ ସମସ୍ୟା ଓ କ୍ୟାଡ଼ରଭୁକ୍ତ ସମ୍ପର୍କରେ ସାରଗର୍ଭକ ଆଲୋଚନା କରିଥିଲେ। ଶିକ୍ଷକମାନଙ୍କ ଦୀର୍ଘଦିନର ସମସ୍ୟାର ସ୍ଥାୟୀ ସମାଧାନ କରିଥିବାରୁ ସେ ରାଜ୍ୟ ସରକାରଙ୍କୁ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଗୋଦାବରୀଶ ଦାସ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଶରତ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବକୁ ସଫଳ କରିବାରେ ଚତୁର୍ଭୁଜ ଦାଶ, ବାସୁଦେବ ପଣ୍ଡା, ପ୍ରମୋଦ ସାହୁ, ରତନ ଆଚାର୍ଯ୍ୟ, ଅଶ୍ବିନୀ କୁମାର ପଣ୍ଡା ପ୍ରମୁଖ ନିଷ୍ଠାର ସହ ସହଯୋଗ କରିଥିଲେ। ସଭା ଶେଷରେ ସୁକୁମାର ପଣ୍ଡା ସମସ୍ତ ଅଭ୍ୟାଗତ ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ