
ଝାରସୁଗୁଡ଼ା, ୧୫ ଅକ୍ଟୋବର (ହି.ସ.)- ସାମାଜିକ ଅନ୍ତର୍ଭୁକ୍ତୀକରଣ, ଗୋଷ୍ଠୀଗତ କଲ୍ୟାଣ ଓ ସ୍ଥାୟୀ ଜୀବିକା ସୃଷ୍ଟି ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ (ଏନ୍ଏଲ୍ସିଆଇଏଲ୍) ପକ୍ଷରୁ ଓଡ଼ିଶାର ଝାରସୁଗୁଡ଼ାସ୍ଥିତ ଏନ୍ଏଲ୍ସି ତାଳବିରା ତାପଜ ବିଦ୍ୟୁତ୍ ପ୍ରକଳ୍ପ (ଏନ୍ଟିଟିପିପି) ଅଧୀନରେ ପ୍ରକଳ୍ପ ପ୍ରଭାବିତ ଓ ବିସ୍ଥାପିତ ପରିବାରର ଯୁବକଯୁବତୀଙ୍କ ପାଇଁ ଦକ୍ଷତା ବିକାଶ ଓ ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଜାରି ରହିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ ୩୦ ଜଣ ଯୁବକଯୁବତୀଙ୍କୁ ଶିଳ୍ପ ବିଦ୍ୟୁତ୍ ମିସ୍ତ୍ରୀ (ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରିସିଆନ୍) ଏବଂ ୨୪୦ ଜଣଙ୍କୁ ସ୍ୱାବଲମ୍ବୀ ଦରଜି (ସେଲ୍ଫ ଏମ୍ପ୍ଲଏଡ୍ ଟେଲର୍) ତାଲିମ ପ୍ରଦାନ କରାଯାଇଛି। ଏହି ପ୍ରଶିକ୍ଷଣ ମାଧ୍ୟମରେ ଯୁବବର୍ଗଙ୍କୁ ନିଯୁକ୍ତି ଓ ସ୍ୱରୋଜଗାର ପାଇଁ ଆବଶ୍ୟକ କୌଶଳ ଯୋଗାଇ ଦିଆଯାଉଛି। କାର୍ଯ୍ୟକ୍ରମର ସଦ୍ୟତମ ପର୍ଯ୍ୟାୟରେ ତରେଇକେଲା, କୁମ୍ଭାରୀ ଓ ତୁମ୍ବେକେଲା ଗ୍ରାମର ୬୦ ଜଣ ପ୍ରଶିକ୍ଷାର୍ଥୀ ସ୍ୱାବଲମ୍ବୀ ଦରଜି ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରିଛନ୍ତି। ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନସ୍ଥ ଆପାରେଲ୍, ମେଡ୍-ଅପ୍ସ ଆଣ୍ଡ୍ ହୋମ୍ ଫର୍ନିଶିଂ ସେକ୍ଟର ସ୍କିଲ୍ କାଉନ୍ସିଲ୍ (ଏଏମ୍ଏଚ୍ଏସ୍ଏସ୍ସି) ସହଯୋଗରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଆୟୋଜିତ ପ୍ରମାଣପତ୍ର ଓ ସିଲେଇ ମେସିନ୍ ବଣ୍ଟନ ସମାରୋହରେ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ ର ନିର୍ଦ୍ଦେଶକ (ପାୱାର) ପି.ଏଲ୍.ଏସ୍.ଏସ୍. ଚୈତନ୍ୟ ପ୍ରକାଶ ଯୋଗଦେଇ ସଫଳ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ଓ ସିଲେଇ ମେସିନ୍ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନ୍ଟିଟିପିପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ପ୍ରକଳ୍ପ ମୁଖ୍ୟ ସନ୍ତୋଷ ସି.ଏସ୍.ଙ୍କ ସମେତ ପ୍ରକଳ୍ପର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରଶିକ୍ଷାର୍ଥୀଙ୍କୁ ଉଦ୍ବୋଧନ ଦେଇ ନିର୍ଦ୍ଦେଶକ ଚୈତନ୍ୟ ପ୍ରକାଶ ତାଲିମ ସମୟରେ ହାସଲ କରିଥିବା ଦକ୍ଷତାର ସଠିକ୍ ଉପଯୋଗ କରି ଆର୍ଥିକ ସ୍ୱାଧୀନତା ହାସଲ କରିବା ସହ ନିଜ ପାଇଁ ସ୍ଥାୟୀ ଜୀବିକାର ମାର୍ଗ ଖୋଲିବାକୁ ଆହ୍ୱାନ ଦେଇଥିଲେ। ଏଥିସହିତ, ପ୍ରକଳ୍ପ ପ୍ରଭାବିତ ଗ୍ରାମଗୁଡ଼ିକର ଆଉ ୬୦ ଜଣ ଯୁବକଯୁବତୀଙ୍କୁ ସ୍ୱାବଲମ୍ବୀ ଦରଜି ପ୍ରଶିକ୍ଷଣର ନୂତନ ବ୍ୟାଚ୍ ରେ ସାମିଲ କରାଯାଇଥିଲା। ନୂତନ ପ୍ରଶିକ୍ଷାର୍ଥୀଙ୍କୁ ସ୍ୱାଗତ କିଟ୍ ପ୍ରଦାନ କରାଯାଇ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ବର୍ତ୍ତମାନର କାର୍ଯ୍ୟକ୍ରମ ଅଧୀନରେ ସ୍ୱାବଲମ୍ବୀ ଦରଜି ପ୍ରଶିକ୍ଷଣରେ ମୋଟ ୩୦୦ ଜଣଙ୍କୁ ତାଲିମ ଦେବାକୁ ଏନ୍ଏଲ୍ସିଆଇଏଲ୍ ଲକ୍ଷ୍ୟ ରଖିଛି। ପୂର୍ବରୁ ୨୪୦ ଜଣ ଦରଜି ପ୍ରଶିକ୍ଷାର୍ଥୀ ଓ ୩୦ ଜଣ ଶିଳ୍ପ ବିଦ୍ୟୁତ୍ ମିସ୍ତ୍ରୀ ପ୍ରଶିକ୍ଷାର୍ଥୀ ତାଲିମ ସମାପ୍ତ କରିଥିବା ବେଳେ, ନୂତନ ବ୍ୟାଚ୍ ର ୬୦ ଜଣଙ୍କୁ ମିଶାଇ ଦରଜି ପ୍ରଶିକ୍ଷଣରେ ଲକ୍ଷ୍ୟ ପୂରଣ ଦିଗରେ କମ୍ପାନୀ ଆଗେଇ ଚାଲିଛି।
ଏନ୍ଏଲ୍ସି ଇଣ୍ଡିଆର ଏହି ପଦକ୍ଷେପ ପ୍ରକଳ୍ପ ପ୍ରଭାବିତ ଲୋକଙ୍କ ପୁନର୍ବାସ ଓ ଥଇଥାନ (ଆର୍ ଆଣ୍ଡ୍ ଆର୍) ତଥା ସାମୁଦାୟିକ ବିକାଶ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ସହ ଗ୍ରାମୀଣ ଯୁବବର୍ଗଙ୍କ ମଧ୍ୟରେ ଉଦ୍ୟୋଗଶୀଳତା, ରୋଜଗାର ଓ ଆର୍ଥିକ ସ୍ୱାବଲମ୍ବନର ସୁଯୋଗ ସୃଷ୍ଟି କରୁଛି। ଏହା ଦକ୍ଷତା ବିକାଶ, ଆତ୍ମନିର୍ଭର ଭାରତ ଓ ସମାବେଶୀ ତଥା ସ୍ଥାୟୀ ବିକାଶର ଜାତୀୟ ଲକ୍ଷ୍ୟ ସହ ସମନ୍ୱୟ ରଖି ସ୍ଥାନୀୟ ସମୁଦାୟର ଜୀବନମାନରେ ଉନ୍ନତି ଆଣିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହେଉଛି। ଦକ୍ଷତାରେ ସଶକ୍ତିକରଣ, ଜୀବିକାରେ ସ୍ୱାବଲମ୍ବନ—ଏହି ଲକ୍ଷ୍ୟ ନେଇ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ ପ୍ରକଳ୍ପ ପ୍ରଭାବିତ ପରିବାରଙ୍କ ଉନ୍ନତି ପାଇଁ ନିଜର ପ୍ରୟାସ ଜାରି ରଖିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ