
ଝାରସୁଗୁଡ଼ା, ୧୫ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ାସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ (ଏଲ୍.ଏନ୍. କଲେଜ)ରେ ଛାତ୍ରସଂସଦ ନିର୍ବାଚନ ହଠାତ୍ ବାତିଲ ହେବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନିର୍ବାଚନ ପ୍ରକ୍ରିୟା ପ୍ରାୟ ଶେଷ ହୋଇଥିବା ବେଳେ ବିଳମ୍ବିତ ରାତିରେ ବାତିଲ ନିଷ୍ପତ୍ତି ନିଆଯିବା ଏବଂ ଏହାର ସ୍ପଷ୍ଟ କାରଣ ଦର୍ଶାଯାଇନଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରସଙ୍ଗରେ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ କଲେଜର ଛାତ୍ରଛାତ୍ରୀ ଏମ୍.ଡି. ନାଶିର ହୁସେନ, ପ୍ରିୟଙ୍କା ମେହେର ଓ ଜ୍ୟୋତିର୍ମୟୀ ସାହୁଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀମାନେ ନିର୍ବାଚନ ବାତିଲ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ଛାତ୍ରସଂସଦ ନିର୍ବାଚନର ପ୍ରାୟ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା। ମାତ୍ର ବୁଧବାର ବିଳମ୍ବିତ ରାତିରେ କଲେଜର ଗ୍ରୁପ୍ ମାଧ୍ୟମରେ ନିର୍ବାଚନ ବାତିଲ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସ୍ପଷ୍ଟ କାରଣ ଜଣାଇବା ସହ ନିୟମିତ ପ୍ରକ୍ରିୟା ଅନୁସରଣ କରାଯିବା ଆବଶ୍ୟକ ଥିଲା ବୋଲି ସେମାନେ ମତ ରଖିଛନ୍ତି।
ଛାତ୍ରଛାତ୍ରୀମାନେ ଆହୁରି କହିଛନ୍ତି ଯେ, ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଆଲୋଚନା ଓ କମିଟି ବୈଠକ ମାଧ୍ୟମରେ ନିର୍ବାଚନ ବାତିଲ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିବା ବେଳେ ଏଲ୍.ଏନ୍. କଲେଜରେ କେଉଁ ପ୍ରକ୍ରିୟା ଅନୁସରଣ କରାଗଲା, ତାହା ସ୍ପଷ୍ଟ ହେବା ଦରକାର। ଏହି ନିଷ୍ପତ୍ତିର ପଛରେ ଥିବା କାରଣକୁ ନେଇ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ନିର୍ବାଚନରେ ପରାଜୟ ଆଶଙ୍କାରେ ଜଣେ ପ୍ରାର୍ଥୀ ଆନ୍ଦୋଳନର ଧମକ ଦେଇଥିବା ବେଳେ କେତେକ ବାହାର ଲୋକ କଲେଜ ପରିସରରେ ଟାୟାର ଜାଳି ଅସ୍ଥିରତା ସୃଷ୍ଟି କରିଥିଲେ। ଏହାର ଚାପରେ ପ୍ରଶାସନ ନିର୍ବାଚନ ବାତିଲ କରିଥିବା ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ନେଇ ସେମାନେ ଅଭିଯୋଗ ଉଠାଇଛନ୍ତି। ତେବେ ଏହି ଅଭିଯୋଗ ଗୁଡ଼ିକର ସ୍ୱାଧୀନ ଭାବେ ପୁଷ୍ଟି ହୋଇପାରିନାହିଁ।
ଛାତ୍ରସଂସଦ ନିର୍ବାଚନ ବାତିଲ ପଛରେ ପ୍ରକୃତ କାରଣ କ’ଣ, କେଉଁ ନିୟମ ଆଧାରରେ ଏହି ନିଷ୍ପତ୍ତି ନିଆଗଲା ଏବଂ ଏହାର ଦାୟିତ୍ୱ କାହାର, ଏସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦାବି କରିଛନ୍ତି ଛାତ୍ରଛାତ୍ରୀ। ଘଟଣାର ନିରପେକ୍ଷ ତଦନ୍ତ ସହ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର ଓ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ନିଶ୍ଚିତ କରିବାକୁ ସେମାନେ ଦାବି ଜଣାଇଛନ୍ତି।
ଏହି ଘଟଣାକୁ ନେଇ କଲେଜ ଛାତ୍ର ରାଜନୀତିରେ ଉତ୍ତେଜନା ବଢ଼ିଥିବା ବେଳେ, ନିର୍ବାଚନ ବାତିଲର କାରଣ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଓ ପ୍ରଶାସନର ଆନୁଷ୍ଠାନିକ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ