
ଝାରସୁଗୁଡ଼ା, ୧୫ ଅକ୍ଟୋବର (ହି.ସ.)-
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ଝିର୍ଲାପାଲି ପଞ୍ଚାୟତର କୁଣ୍ଡୁରୁସିଂହା ଗ୍ରାମରେ ସରକାରୀ କ୍ଲବ ଘର ଓ ଫୁଟବଲ ଖେଳ ପଡ଼ିଆକୁ ଜବରଦଖଲ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀମାନେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର ଗଣ୍ଡପଡ଼ା ସରକାରୀ କ୍ଲବ ଘରକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଗୋଦାମ ଘର ଭାବେ ବ୍ୟବହାର କରୁଥିବା ବେଳେ ସରକାରୀ ଜମିରେ ଥିବା ଫୁଟବଲ ଖେଳ ପଡ଼ିଆକୁ ଟ୍ରାକ୍ଟର ଦ୍ୱାରା ଚାଷ କରି ଦିଆଯାଇଛି। ଫଳରେ ଗ୍ରାମର ଯୁବକମାନଙ୍କ ଖେଳକୁଦ ଓ କ୍ରୀଡ଼ାଭ୍ୟାସ ପାଇଁ ଉଦ୍ଦିଷ୍ଟ ପଡ଼ିଆର ବ୍ୟବହାର ନେଇ ପ୍ରଶ୍ନ ଉଠିଛି।
ଏହି ଘଟଣାରେ ଗ୍ରାମର ସୁମନ୍ତ ଜୟପୁରିଆ, ଟଙ୍କଧର ଜୟପୁରିଆ, ବିଷ୍ଣୁ ଜୟପୁରିଆ, ହରେଶ ଜୟପୁରିଆ, ବିନୟ ଖର୍ସେଲ, ଆକାଶ ଧୁରୁଆ, ବୀରେନ୍ଦ୍ର ପଟେଲ, ଯୋଗିରାମ ଧୁରୁଆ, ହେମନ୍ତ ନାଏକ, ଦୀପକ ପାଣ୍ଡେ, ବିନୋଦ ପାଣ୍ଡେ, ଗୁନ୍ଦୁଲୁ ନାଏକ ଓ ହେମାନନ୍ଦ ସୁନାନିଙ୍କ ସମେତ ଅନ୍ୟ ଗ୍ରାମବାସୀ ବିଧାୟକଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ବିଧାୟକ ଶ୍ରୀ ତ୍ରିପାଠୀ ଗ୍ରାମବାସୀଙ୍କ ଅଭିଯୋଗ ଗ୍ରହଣ କରିବା ସହ ଘଟଣାର ତଦନ୍ତ ପାଇଁ କୋଲାବିରା ପୁଲିସ ଓ ତହସିଲଦାରଙ୍କୁ ଅଭିଯୋଗପତ୍ର ପଠାଇଥିବା ସୂଚନା ମିଳିଛି। ତଦନ୍ତ ପରେ ସରକାରୀ କ୍ଲବ ଘର ଓ ଖେଳ ପଡ଼ିଆ ସମ୍ପର୍କରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଗ୍ରାମବାସୀ ଆଶା ରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ