ସ୍ୱଚ୍ଛତା ସହ ଆର୍ଥିକ ସାକ୍ଷରତାର ବାର୍ତ୍ତା : ଗ୍ରାମ୍ୟ ବ୍ୟାଙ୍କର ବିଭିନ୍ନ ଯୋଜନାର ସୁଯୋଗ ନେବାକୁ ଆହ୍ୱାନ
ଜୟପୁର, ୧୫ ଅକ୍ଟୋବର (ହି.ସ.)-ସ୍ୱଚ୍ଛତା ସହ ଆର୍ଥିକ ସାକ୍ଷରତାର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ଗ୍ରାମାଞ୍ଚଳର ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ସହ ଯୋଡ଼ିବା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାର ମାନବର ନିକଟସ୍ଥ କେନ୍ଦାରଠାରେ ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଏକ ଆର୍ଥିକ ସଚେତନତା କାର୍ଯ
ସ୍ୱଚ୍ଛତା ସହ ଆର୍ଥିକ ସାକ୍ଷରତାର ବାର୍ତ୍ତା  ଗ୍ରାମ୍ୟ ବ୍ୟାଙ୍କର ବିଭିନ୍ନ ଯୋଜନାର ସୁଯୋଗ ନେବାକୁ ଆହ୍ୱାନ


ଜୟପୁର, ୧୫ ଅକ୍ଟୋବର (ହି.ସ.)-ସ୍ୱଚ୍ଛତା ସହ ଆର୍ଥିକ ସାକ୍ଷରତାର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ଗ୍ରାମାଞ୍ଚଳର ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ସହ ଯୋଡ଼ିବା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାର ମାନବର ନିକଟସ୍ଥ କେନ୍ଦାରଠାରେ ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଏକ ଆର୍ଥିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ବିଭିନ୍ନ ସେବା, ସରକାରୀ ଯୋଜନା, ଋଣ ସୁବିଧା, ବୀମା ଓ ସଞ୍ଚୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଜିରୋ ବାଲାନ୍ସରେ ବ୍ୟାଙ୍କ ଖାତା ଖୋଲିବା, ଗୋଲ୍ଡ ଲୋନ୍ ସୁବିଧାର ଉପଯୋଗ କରିବା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା , ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା , ରିକରିଂ ଡିପୋଜିଟ୍ ଏବଂ ଶିଶୁଙ୍କ ଭବିଷ୍ୟତ ପାଇଁ ବାତ୍ସଲ୍ୟ ଯୋଜନାର ସୁଯୋଗ ନେବାକୁ ପରାମର୍ଶ ଦିଆଯାଇଥିଲା।ଏଥିସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗୋଷ୍ଠୀ ଋଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମୁଦ୍ରା ଋଣ, କୃଷକ ଉତ୍ପାଦକ ସଂଗଠନ ଭଳି ଯୋଜନା ମାଧ୍ୟମରେ ଆତ୍ମନିଯୁକ୍ତି ଓ ଉଦ୍ୟୋଗ ପ୍ରତିଷ୍ଠାର ସୁଯୋଗ ନେବାକୁ ଆହ୍ୱାନ ଦିଆଯାଇଥିଲା। ବ୍ୟାଙ୍କିଙ୍ଗ ସେବାର ଉପଯୋଗ କରି ନିଜ ଅର୍ଥକୁ ସୁରକ୍ଷିତ ରଖିବା ସହ ମହାଜନଙ୍କ ଠାରୁ ଅଧିକ ସୁଧରେ ଋଣ ନେବାରୁ ଦୂରେଇ ରହିବା ଏବଂ ଋଣ ନେବା ପୂର୍ବରୁ ସୁଧହାର ଓ ଅନ୍ୟାନ୍ୟ ସର୍ତ୍ତାବଳୀ ସମ୍ପର୍କରେ ଜାଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ କୋରାପୁଟ ଶାଖା ପରିଚାଳକ ଦେବେନ୍ଦ୍ର କୁମାର ଶୁକ୍ଳା, ଆଞ୍ଚଳିକ ପରିଚାଳକ ରମେଶ ମହାକୁଡ଼ ଏବଂ ଆଡଭାନ୍ସ ହେଡ୍ ବ୍ରଜମୋହନ ରାଉତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଆର୍ଥିକ ସାକ୍ଷରତା, ନିୟମିତ ସଞ୍ଚୟ ଓ ସୁରକ୍ଷିତ ବ୍ୟାଙ୍କିଙ୍ଗ ଅଭ୍ୟାସ ଗ୍ରାମାଞ୍ଚଳର ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ସ୍ୱାବଲମ୍ବୀ ହେବାରେ ସହାୟକ ହେବ ବୋଲି ଏହି ସଚେତନତା କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande