
ଝାରସୁଗୁଡ଼ା, ୧୬ ଅକ୍ଟୋବର (ହି.ସ.)- ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ କଲେଜ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଝାରସୁଗୁଡ଼ାର ଲକ୍ଷ୍ମୀନାରାୟଣ (ଏଲ୍.ଏନ୍.) କଲେଜରେ ନିର୍ବାଚନ ବାତିଲ ହେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ଛାତ୍ର କର୍ମକର୍ତ୍ତାଙ୍କ ପକ୍ଷରୁ ସହରର ବିଟିଏମ୍ କାର୍ଯ୍ୟାଳୟ ଠାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆଜି ଆୟୋଜିତ ହୋଇଥିଲା।
ସାମ୍ବାଦିକ ସମ୍ମିଳନୀରେ ସଂଗଠନର ନେତୃବୃନ୍ଦ ଛାତ୍ର ସଂସଦ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ। ଲିଙ୍ଗଡୋ କମିଶନଙ୍କ ସୁପାରିଶ ଅନୁଯାୟୀ, ଜଣେ ପ୍ରାର୍ଥୀ ନିର୍ବାଚନରେ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିବାର ନିୟମ ରହିଥିବା ବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ। ଏଥିସହ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ହାତେଇବାକୁ ଉଦ୍ୟମ କରାଯାଇଥିବା ମଧ୍ୟ କୁହାଯାଇଥିଲା।
ଅଭିଯୋଗ ଅନୁଯାୟୀ, ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ସହ ଛାତ୍ରଛାତ୍ରୀଙ୍କୁ ଗାଡ଼ିରେ ବିଭିନ୍ନ ହୋଟେଲ ଓ ରିସର୍ଟକୁ ନିଆଯାଇ ରଖାଯିବା ସହ ସେମାନଙ୍କ ମତଦାନକୁ ପ୍ରଭାବିତ କରିବାକୁ ଚେଷ୍ଟା ହୋଇଥିଲା। ନାଇଟ୍ ପାର୍ଟି, ଡିଜେ ଓ ଅନ୍ୟାନ୍ୟ ପ୍ରଲୋଭନ ମାଧ୍ୟମରେ ନିର୍ବାଚନୀ ପରିବେଶକୁ ଦୂଷିତ କରାଯାଇଥିବା ନେଇ ସଂଗଠନ ପକ୍ଷରୁ ଗମ୍ଭୀର ଅଭିଯୋଗ ଅଣାଯାଇଥିଲା। ଏବିଭିପି ପକ୍ଷରୁ କୁହାଯାଇଥିଲା ଯେ, ସଂଗଠନ ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି କଲେଜରେ ରହି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ କାର୍ଯ୍ୟ କରିଆସୁଛି। ତେଣୁ ଛାତ୍ର ସଂସଦ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ଶୃଙ୍ଖଳିତ କରିବା ସହ ଅନିୟମିତତାରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ସଂଗଠନ ଦାବି କରିଥିଲା।
ଏହି ସାମ୍ବାଦିକ ସମ୍ମିଳନୀରେ କୋଲାବିରା କଲେଜ ସଭାପତି ତେଜନ ସୁହୁଲା, ଆଥଲେଟିକ୍ ସେକ୍ରେଟାରୀ ସିଲି ବିଜାର, ଏବିଭିପି ନେତା ବିଶାଳ କୁମାର ରାମ, ବରିଷ୍ଠ ନେତା ତାରଣ ଗିଦୱାନୀ, ଏଲ୍.ଏନ୍. କଲେଜର ସାଂସ୍କୃତିକ ସମ୍ପାଦକ ପ୍ରାର୍ଥୀ ରାହୁଲ କେଡ଼ିଆଙ୍କ ସମେତ କୋଲାବିରା ଓ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ବହୁ ଛାତ୍ରଛାତ୍ରୀ ଏବଂ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ