
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.) - ‘ରାଜନୈତିକ ପ୍ରତିରୋଧ’ ଓ ‘ଗଣତନ୍ତ୍ର ବଂଚାଅ’ ନାମରେ ଦେଶରେ ଅରାଜକତା ସୃଷ୍ଟି ପାଇଁ କଂଗ୍ରେସ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ସ୍ମୃତି ପଟ୍ଟନାୟକ। ଦିଲ୍ଲୀରେ ଅକ୍ଟୋବର ୧୦ରେ ହୋଇଥିବା ପ୍ରତିବାଦ ଏବଂ ବାଂଲାଦେଶର ଜେନ୍-ଜି ଆନ୍ଦୋଳନକୁ ନେହା ବୋରାଙ୍କ ସମର୍ଥନ ପ୍ରସଙ୍ଗରେ ସେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି, ବାଂଲାଦେଶର ଆନ୍ଦୋଳନ ସମୟରେ ହିଂସା, ଅଶାନ୍ତି ଓ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଭଳି ଘଟଣା ସାମ୍ନାକୁ ଆସିଥିଲା। ଏଭଳି ମଡେଲକୁ ଆଦର୍ଶ ଭାବେ ଉପସ୍ଥାପନ କରିବା ପୂର୍ବରୁ ଏହାର ପରିଣାମ ବିଚାର କରିବା ଆବଶ୍ୟକ। ନେହା ବୋରାଙ୍କ ଭଳି ବ୍ୟକ୍ତିଙ୍କ ସହ ରାହୁଲ ଗାନ୍ଧୀଙ୍କ ରାଜନୈତିକ ଆଭିମୁଖ୍ୟ କ’ଣ, ତାହା ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି। ପ୍ରତିବାଦ ସମୟରେ ବିପ୍ଳବ ଓ ରକ୍ତପାତ ସମ୍ପର୍କିତ ବକ୍ତବ୍ୟ ଏବଂ କଂଗ୍ରେସ ନେତାଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
ଗଣତନ୍ତ୍ରରେ ସରକାରଙ୍କୁ ସମାଲୋଚନା ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାର ଅଧିକାର ରହିଛି। କିନ୍ତୁ ପ୍ରତିବାଦ ନାମରେ ହିଂସା କିମ୍ବା ସାମ୍ବିଧାନିକ ବ୍ୟବସ୍ଥାକୁ ଅସ୍ଥିର କରିବାର ପ୍ରୟାସକୁ ସମର୍ଥନ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା