
ଭୁବନେଶ୍ୱର,୧୬ ଅକ୍ଟୋବର (ହି.ସ.) - ବିଶ୍ୱ ଖାଦ୍ୟ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନ୍ନଦାତା ଚାଷୀଙ୍କ ପ୍ରତି ହୃଦୟରୁ କୃତଜ୍ଞତା ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସମସ୍ତଙ୍କୁ ପୁଷ୍ଟିକର ଖାଦ୍ୟ ଉପଲବ୍ଧ କରାଇବା ଏବଂ ରାଜ୍ୟରୁ ଅପପୁଷ୍ଟିକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ଏକ୍ସ ମାଧ୍ୟମରେ ନିଜର ବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାଦ୍ୟ ନଷ୍ଟ ନକରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ। ଏଥିସହ ଏକ ସୁସ୍ଥ, ସମୃଦ୍ଧ ଓ ସମୃଦ୍ଧିଶାଳୀ ଓଡ଼ିଶା ଗଠନରେ ପ୍ରତ୍ୟେକ ନାଗରିକ ସକ୍ରିୟ ଯୋଗଦାନ ଦେବାକୁ ସେ ଆହ୍ୱାନ ଦେଇଛନ୍ତି।
ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ, ନିରାପଦ ଓ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ସହ ଖାଦ୍ୟର ଅପଚୟ ରୋକିବା ଦିଗରେ ସାମୂହିକ ଉଦ୍ୟମ ହିଁ ଏକ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର ବୋଲି ଏହି ବାର୍ତାରେ ଗୁରୁତ୍ୱାରୋପ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା