ଜିଲ୍ଲାସ୍ତରୀୟ ଖୋ ଖୋ ଓ କବାଡ଼ି ପ୍ରତିଯୋଗିତା
District level khoko competition
ଜିଲ୍ଲାସ୍ତରୀୟ ଖୋ ଖୋ ଓ କବାଡ଼ି ପ୍ରତିଯୋଗିତା


ଝାରସୁଗୁଡ଼ା, ୧୬ ଅକ୍ଟୋବର (ହି.ସ.)- ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ସଂଗଠନ ପକ୍ଷରୁ ଜିଲ୍ଲାସ୍ତରୀୟ ଖୋ ଖୋ ଓ କବାଡ଼ି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ପାଞ୍ଚଟି ବ୍ଲକ୍ ରୁ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗରେ ପ୍ରାୟ ୪୮୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ସୁପରିଚାଳନା ନିମନ୍ତେ ୭୦ରୁ ଊର୍ଦ୍ଧ୍ୱ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ।

ଉଦ୍ଘାଟନୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ରାଧାକାନ୍ତ ଗର୍ତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କିର୍ମିରା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ ନାରାୟଣ ପଣ୍ଡା, ଏମ୍ସିଏଲ୍ କର୍ତ୍ତୃପକ୍ଷ ପ୍ରଦୀପ ସୋଡ଼ି, ଏରିଆ ମାନବ ସମ୍ବଳ ପ୍ରବନ୍ଧକ, ଏବଂ ପ୍ରକାଶ ସୋନି, ବରିଷ୍ଠ ମାନବ ସମ୍ବଳ ପ୍ରବନ୍ଧକଙ୍କ ସମେତ କମ୍ପାଉଣ୍ଡର ବେହେରା ଉପସ୍ଥିତ ଥିଲେ।

ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାର ଉଦୀୟମାନ ଖେଳାଳିମାନଙ୍କ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ରାଜ୍ୟସ୍ତରରେ ଅଂଶଗ୍ରହଣ ପାଇଁ ସୁଯୋଗ ପ୍ରଦାନ କରିବା। ଚୟନ ପ୍ରକ୍ରିୟା ମାଧ୍ୟମରେ ମୋଟ ୯୬ ଜଣ ଖେଳାଳି ମନୋନୀତ ହୋଇଛନ୍ତି। ସେମାନେ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଝାରସୁଗୁଡ଼ା ଜିଲ୍ଲାର ପ୍ରତିନିଧିତ୍ୱ କରିବେ।

ଏ ସମ୍ପର୍କରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଶାନ୍ତ ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏଭଳି କ୍ରୀଡ଼ା ଆୟୋଜନ ଛାତ୍ରଛାତ୍ରୀଙ୍କ ଶାରୀରିକ ଦକ୍ଷତା, ଶୃଙ୍ଖଳା, ଦଳଗତ ମନୋଭାବ ଓ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ଜିଲ୍ଲାର କ୍ରୀଡ଼ା ପ୍ରତିଭାଙ୍କୁ ଉଚ୍ଚସ୍ତରରେ ପ୍ରତିଷ୍ଠିତ ହେବାର ସୁଯୋଗ ପ୍ରଦାନ କରିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande