
ଝାରସୁଗୁଡା, ୧୬ ଅକ୍ଟୋବର (ହି.ସ.)- ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ପାର୍ବଣ ଋତୁକୁ ନଜରରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ ଧରଣର ଅବକାରୀ ଚଢ଼ଉ କରାଯାଇଅଛି। ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ (ସ୍ପେସିଆଲ ଡ୍ରାଇଭ) ଜରିଆରେ ଗତ ତା : ୧୦.୧୦.୨୦୨୬ରିଖ ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଧରପଗଡ କରି ମୋଟ ୩୭ ଗୋଟି ମାମଲା ରୁଜୁ ହୋଇ ସେଥିରେ ସମ୍ପୃକ୍ତ ୨୩ ଜଣ ବ୍ୟକ୍ତିଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଅଛି |
ବେଲପାହାଡ ଅବକାରୀ ବିଭାଗ ଦ୍ୱାରା କୁଡାଲୋଇ ଗ୍ରାମରେ ଚଢ଼ଉ କରାଯାଇ ୨୦୦ଲିଟର ଦେଶୀ ମଦ ୨୫୦ ଲିଟର ମହୁଲ ପୋଚ ସହିତ ହବିଲ ହଉ ନାମକ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଜେଲ ହାଜତକୁ ପଠାଯାଇ ଥିବାରୁ ବିଭାଗକୁ ବଡ ସଫଳତା ମିଳିଛି | ଏହା ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନ ଯଥା- ବରତାପ, ବର୍ହାମୁଣ୍ଡା, ମୟୁରଡିମା, ଭାତଲଏଡା, ବାଙ୍କୀ, ଗୁର୍ଲ୍ଲା ବାହାଲ, ତୁମ୍ବାଡ଼ିହି, ଦେଓପେନ, ଭଉଁରଖୋଲ, ପତ୍ରାପାଲି, ଠେବେରା, ଜାମମାଲ, ଜୁନିଅନ, କୁଡାଲୋଇ, ଜଳିବାହଲ, ତିଲେଇମାଳ, କୁସୁମମୁଣ୍ଡା, ଚିଚିଣ୍ଡା, ରନକଟା, ବାବୁପଡା ଏବଂ ଗଙ୍ଗାପଡା ଆଦି ସ୍ଥାନ ମାନଙ୍କରେ ଚଢ଼ାଉ କରାଯାଇ ୧୩୩୧.୪୦ ଲିଟର ଦେଶୀ ମଦ, ୫୨.୮୦ ଲିଟର ବାହାରଭାଟି ମହୁଲି ମଦ, ୪.୩୨ ଲିଟର ବିଦେଶୀ ମଦ ଏବଂ ୩୩୦ ଲିଟର ହାଣ୍ଡିଆ ଜବତ ସହିତ ଦୁଇଗୋଟି ଦୁଇ ଚକିଆ ମୋଟର ସାଇକଲ ଜବତ କରାଯାଇଅଛି |
ସେହିପରି ଝାରସୁଗୁଡା ରେଞ୍ଜ ଓ ଝାରସୁଗୁଡା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଦ୍ୱାରା ଝାରସୁଗୁଡା ଶୁକ୍ରବଜlର ଏବଂ ବେଲପାହାଡ଼ ଅଂଚଳରେ ଚଢ଼ାଉ କରାଯାଇ ସର୍ବମୋଟ ୨୧.୭ କେଜି ଗଞ୍ଜେଇ ଜବତ କରାଯାଇ ଏଥିରେ ସମ୍ପୃକ୍ତ ନରହରି କଲୋନୀ, ଝାରସୁଗୁଡା ଅଂଚଳର ଅମନ ତିୱାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଅଛି | ଏହା ବ୍ୟତୀତ ଜିଲ୍ଲାର ସଦର ମହକୁମା, ରେଞ୍ଜ ଅଫିସରେ ଏକ ୨୪ ଘଣ୍ଟିଆ କଂଟ୍ରୋଲରୁମ ଖୋଲା ଯାଇ ପାର୍ବଣ ଋତୁକୁ ନଜରରେ ରଖି ବେଆଇନ ମାଦକ ଦ୍ରବ୍ୟର ପ୍ରସ୍ତୁତି, ଚୋରା ଚାଲାଣ ଏବଂ ବିକ୍ରୟ ଉପରେ ବିଭାଗ ପକ୍ଷରୁ ତିକ୍ଷ୍ନ ନଜର ରଖାଯାଇଅଛି। ଆଗାମୀ ଦିନରେ ଏଇ ଚଢ଼ାଉକୁ ଆହୁରି ଜୋରଦାର କରିବାପାଇଁ ବିଭାଗ ପକ୍ଷରୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଅଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ