
ଝାରସୁଗୁଡ଼ା, ୧୬ ଅକ୍ଟୋବର (ହି.ସ.)- ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ପରିବହନ ଓ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ଲଖନପୁରଠାରେ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଅଟଳ ବସ୍ଷ୍ଟାଣ୍ଡର ଆଜି ଶିଳାନ୍ୟାସ କରାଯାଇଥିବା ବେଳେ ବେଲପାହାଡ଼ଠାରେ ୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅଟଳ ବସ୍ଷ୍ଟାଣ୍ଡର ଉଦ୍ଘାଟନ କରାଯାଇଛି। ସେହିପରି ରାଜପୁରଠାରେ ନବନିର୍ମିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ଲୋକାର୍ପଣ କରାଯାଇଛି। ଏହା ସହିତ ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ କରାଯାଇଛି।
ଏହି ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖଣି, ପରିବହନ ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ଓଏସ୍ଆର୍ଟିସିର ଜେନେରାଲ ମ୍ୟାନେଜର, ଝାରସୁଗୁଡ଼ା ଜିଲ୍ଲାପାଳ, ଅନ୍ୟ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।
ଲଖନପୁରରେ ଅଟଳ ବସ୍ଷ୍ଟାଣ୍ଡ ନିର୍ମାଣ ହେଲେ ଅଞ୍ଚଳର ଯାତ୍ରୀମାନଙ୍କୁ ଉନ୍ନତ ପରିବହନ ସୁବିଧା ମିଳିବା ସହ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ହେବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ, ବେଲପାହାଡ଼ରେ ନୂତନ ବସ୍ଷ୍ଟାଣ୍ଡ ଲୋକାର୍ପିତ ହେବା ଦ୍ୱାରା ଯାତ୍ରୀଙ୍କୁ ଉନ୍ନତ ସୁବିଧା ମିଳିବ। ରାଜପୁରରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆରମ୍ଭ ହେବା ଫଳରେ ସ୍ଥାନୀୟ ଲୋକଙ୍କୁ ଚିକିତ୍ସା ସେବା ପାଇବାରେ ସୁବିଧା ହେବ।
ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ପରିବହନ ଓ ସ୍ୱାସ୍ଥ୍ୟସେବାର ଉନ୍ନତି ସହ ଭୂମିହୀନ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ ଦ୍ୱାରା ସେମାନଙ୍କୁ ଜମି ଅଧିକାର ମିଳିବାରେ ସହାୟତା ମିଳିବ। ଏହାଦ୍ୱାରା ଅଞ୍ଚଳର ହଜାର ହଜାର ଲୋକ ଉପକୃତ ହେବେ ବୋଲି ଆଶା ପ୍ରକାଶ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ