
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ଏକ ଭାରତ ଶ୍ରେଷ୍ଠ ଭାରତ' କାର୍ଯ୍ୟକ୍ରମର ଯୁବ ସଙ୍ଗମ' ପର୍ଯ୍ୟାୟ-୭ ଅଧୀନରେ ଅକ୍ଟୋବର ୧୩ ରୁ ୧୮ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିଥିବା ହିମାଚଳ ପ୍ରଦେଶର ୫୦ଜଣିଆ ଛାତ୍ରଛାତ୍ରୀ ପ୍ରତିନିଧି ଦଳ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।
ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରି ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, ଯୁବ ସଙ୍ଗମ' କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ ନିଜର ପରିଚିତ ପରିବେଶରୁ ବାହାରକୁ ଆସି ଭାରତର ବିବିଧତାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବା, ଭାବର ଆଦାନପ୍ରଦାନ କରିବା ଏବଂ ବିଭିନ୍ନ ରାଜ୍ୟ ମଧ୍ୟରେ ସୁସମ୍ପର୍କ ଗଢ଼ିତୋଳିବା ପାଇଁ ଏକ ଅନନ୍ୟ ସୁଯୋଗ ଯୋଗାଇଦେଉଛି।
ଏଭଳି କାର୍ଯ୍ୟକ୍ରମର ପ୍ରକୃତ ମୂଲ୍ୟ କେବଳ ନୂଆ ଜାଗା ବୁଲିବାରେ ନାହିଁ, ବରଂ ଲୋକମାନଙ୍କୁ ଭେଟିବା, ସେମାନଙ୍କର ଭିନ୍ନ ଦୃଷ୍ଟିକୋଣକୁ ବୁଝିବା ଏବଂ ବିଭିନ୍ନ ସଂସ୍କୃତି ଓ ଅଂଚଳର ଲୋକଙ୍କ ସହ ମିଶି କାମ କରିବା ପାଇଁ ଆବଶ୍ୟକ ମାନସିକତା ଓ ଆପଣେଇବାର ଦକ୍ଷତା ହାସଲ କରିବାରେ ରହିଛି। ବିଭିନ୍ନ ରାଜ୍ୟର ଯୁବବର୍ଗଙ୍କ ମଧ୍ୟରେ ଏହିଭଳି ଆଲୋଚନା ଓ ମିଳାମିଶା ପାରସ୍ପରିକ ବୁଝାମଣାକୁ ମଜବୁତ କରେ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତ'ର ସ୍ୱପ୍ନକୁ ବାସ୍ତବ ରୂପ ଦିଏ।
କାର୍ଯ୍ୟକ୍ଷେତ୍ର ଓ ଚାକିରି ଦୁନିଆରେ ଦ୍ରୁତ ପରିବର୍ତନ ବିଷୟରେ ମନ୍ତ୍ରୀ କହିଥିଲେ ଯେ, ଆର୍ଟିଫିସିଆଲ୍ ଇେଂଟଲିଜେନ୍ସ , ଆଡଭାନ୍ସଡ୍ ମ୍ୟାନୁଫାକ୍ଚରିଂ, କ୍ଲିନ୍ ଏନର୍ଜି ଏବଂ ଡିଜିଟାଲ୍ ଟେକ୍ନୋଲୋଜି ଯୁବବର୍ଗଙ୍କ ପାଇଁ ନୂଆ ନୂଆ ସୁଯୋଗ ସୃଷ୍ଟି କରୁଛି। ତେଣୁ ଏଭଳି ପରିବର୍ତିତ ପରିବେଶରେ ଭବିଷ୍ୟତରେ ସଫଳ ହେବା ପାଇଁ ନୂଆ କଥା ଶିଖିବା, ନିଜକୁ ବଦଳାଇବା ଏବଂ ନୂତନ ଇନୋଭେସନ୍ କରିବାର ଦକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।
ଶିଳ୍ପ ମନ୍ତ୍ରୀ ଭାବେ ନିଜର ଅନୁଭୂତିରୁ ସେ କହିଥିଲେ ଯେ, ଶିଳ୍ପାଂଚଳର ବିକାଶ ଏବଂ ଦକ୍ଷ ମାନବ ସମ୍ବଳ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ଅର୍ଥନୈତିକ ପ୍ରଗତି ପାଇଁ ଶିଳ୍ପ, ଭିତିଭୂମି ଓ ପ୍ରଯୁକ୍ତିବିଦ୍ୟାରେ ପୁଞ୍ଜିନିବେଶ ଯେତିକି ଜରୁରୀ, ଗୋଟିଏ ସମୃଦ୍ଧ ଭବିଷ୍ୟତ ଗଢ଼ିବା ପାଇଁ ପ୍ରତିଭାବାନ୍, ଦକ୍ଷ ଓ ଉତ୍ସାହୀ ଯୁବବର୍ଗଙ୍କ ପଛରେ ନିବେଶ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।
ମନ୍ତ୍ରୀ ଯୁବ ପ୍ରତିନିଧିମାନଙ୍କୁ ଓଡ଼ିଶାର ଯୁବକଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ କରିବା ସହ କାର୍ଯ୍ୟକ୍ରମ ସରିବା ପରେ ମଧ୍ୟ ସେହି ସମ୍ପର୍କ ବଜାୟ ରଖିବାକୁ ଉତ୍ସାହିତ କରିଥିଲେ। ସେ ସେମାନଙ୍କୁ ନୂଆ କଥା ଶିଖିବାର ଆଗ୍ରହ ରଖିବା, ନୂତନ ଅନୁଭୂତିକୁ ଆପଣେଇବା ଏବଂ କେବଳ ସୁଯୋଗ ଖୋଜିବା ପରିବର୍ତ୍ତେ ନିଜେ ନୂଆ ସୁଯୋଗ ସୃଷ୍ଟି କରି ସଫଳ ଇନୋଭେଟର, ଉଦ୍ୟୋଗୀ ଓ ଜବ୍ କ୍ରିଏଟର ଭାବେ ଗଢ଼ି ଉଠିବାକୁ ଆହ୍ୱାନ ଦେଇଥିଲେ।
ଏକ ଭାରତ ଶ୍ରେଷ୍ଠ ଭାରତ' କାର୍ଯ୍ୟକ୍ରମ ଅଧୀନରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଯୁବ ସଙ୍ଗମ' କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ବିଭିନ୍ନ ରାଜ୍ୟର ଯୁବବର୍ଗଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ମଜବୁତ କରିବା ଏବଂ ବୁଝାମଣା ବୃଦ୍ଧି କରିବା। ଏହି ଗସ୍ତ ମାଧ୍ୟମରେ ଅଂଶଗ୍ରହଣକାରୀମାନେ ଗସ୍ତ କରୁଥିବା ରାଜ୍ୟର ସଂସ୍କୃତି, ଜୀବନଶୈଳୀ, ପ୍ରାକୃତିକ ସୌନ୍ଦର୍ଯ୍ୟ, ବିକାଶର ଯାତ୍ରା, ସଫଳତା ଏବଂ ଯୁବ ସହଭାଗିତାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଥାନ୍ତି।
ପର୍ଯ୍ୟାୟ-୭ ଅଧୀନରେ, ହିମାଚଳ ପ୍ରଦେଶର ପ୍ରତିନିଧି ଦଳ ଅକ୍ଟୋବର ୧୩ ରୁ ୧୮ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିଛନ୍ତି, ଯେଉଁଥିରେ ଆଇଆଇଏମ୍ ସମ୍ବଲପୁରକୁ ଓଡ଼ିଶା ପାଇଁ ନୋଡାଲ୍ ଅନୁଷ୍ଠାନ ଭାବେ ମନୋନୀତ କରାଯାଇଛି। ଏହି ଗସ୍ତ ଯୁବ ପ୍ରତିନିଧିମାନଙ୍କୁ ଓଡ଼ିଶାକୁ ନିକଟରୁ ବୁଝିବା, ଏହାର ଜନସାଧାରଣ ଓ ଅନୁଷ୍ଠାନଗୁଡ଼ିକ ସହ ଆଲୋଚନା କରିବା ଏବଂ ଏହାର ବିକାଶ ଓ ସାଂସ୍କୃତିକ ପରିବେଶକୁ ଅନୁଭବ କରିବାର ଏକ ସୁଯୋଗ ଯୋଗାଇଛି। ଆଜିର କାର୍ଯ୍ୟକ୍ରମରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା