

ବଲାଙ୍ଗିର, ୧୬ ଅକ୍ଟୋବର (ହି.ସ.)- ଶାରଦୀୟ ନବରାତ୍ରୀର ଷଷ୍ଠ ଦିବସରେ ଆଜି ମା' କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି। ବଲାଙ୍ଗିରର ସମସ୍ତ ଶକ୍ତି ପିଠ ଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ମହାଳୟାରେ ମା' ଙ୍କ ଧବଳ ମୁଖି ବେଶରୁ ଦେବୀ ପୀଠ ଗୁଡ଼ିକରେ ନବ ଦିନାତ୍ମକ ପୂଜା ଆରମ୍ଭ ହୋଇ ସମଗ୍ର ଅଞ୍ଚଳରେ ପାର୍ବଣ ଋତୁରେ ଦେବୀ ପୀଠ ଗୁଡ଼ିକରେ ଷୋଡଶ ଉପଚାର ବିଧି ଚାଲିଛି।
ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ଶାରଦୀୟ ନବରାତ୍ରୀର ଷଷ୍ଠ ଦିନରେ (ଷଷ୍ଠୀ ତିଥି) କାତ୍ୟାୟନୀ ବେଶ ବା ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଏହି ପବିତ୍ର ଦିନରେ ମା' ଦୁର୍ଗାଙ୍କ ଷଷ୍ଠ ସ୍ୱରୂପ ଦେବୀ କାତ୍ୟାୟନୀଙ୍କ ରୂପରେ ସଜ୍ଜିତ କରାଯାଇଥାଏ, ଯାହା ଅତ୍ୟନ୍ତ ମନୋରମ ଓ ଆଧ୍ୟାତ୍ମିକ ଭାବରେ ପୂର୍ଣ୍ଣ ଅଟେ। ମା' ସମଲେଶ୍ୱରୀଙ୍କ କାତ୍ୟାୟନୀ ବେଶର ବିଶେଷତ୍ୱ ସମଲେଶ୍ୱରୀ ପୀଠରେ ଷୋଡ଼ଶ ଉପଚାର ପୂଜା ଚାଲିଥିବା ବେଳେ ପ୍ରତିଦିନ ନବଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପ ମଧ୍ୟରୁ ଷଷ୍ଠ ଦିନରେ ଏହି ବିଶେଷ କାତ୍ୟାୟନୀ ବେଶ ଅନୁଷ୍ଠିତ ହୁଏ।
ଦେବୀଙ୍କୁ ବିଭିନ୍ନ ଅଳଙ୍କାର, ସୁନ୍ଦର ବସ୍ତ୍ର ଏବଂ ପୁଷ୍ପମାଲ୍ୟରେ ସଜାଯାଇ ଏକ ଶକ୍ତିଶାଳୀ ତଥା କରୁଣାମୟୀ ରୂପ ପ୍ରଦାନ କରାଯାଇଥାଏ।
ମା'ଙ୍କ ଏହି ରୂପକୁ ଦର୍ଶନ କଲେ ଭକ୍ତଙ୍କ ଜୀବନର ସମସ୍ତ ବାଧାବିଘ୍ନ ଦୂର ହେବା ସହ ସାହସ ଓ ଶକ୍ତି ପ୍ରାପ୍ତି ହୁଏ ବୋଲି ଦୃଢ଼ ଜନବିଶ୍ୱାସ ରହିଛି। ସକାଳୁ ସକାଳୁ ମା'ଙ୍କ ଏହି ଦୁର୍ଲ୍ଲଭ ବେଶ ଦେଖିବା ପାଇଁ ସମଲେଶ୍ୱରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥାଏ।
ନବରାତ୍ରୀ ସମୟରେ ମା' ସମଲେଶ୍ୱରୀ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ଶେଷରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥାନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ