ଲିଖିତ ଜବାବ ଦାଖଲ ପାଇଁ ପୂର୍ବତନ ନିର୍ବାହୀ ଅଧିକାରୀଙ୍କୁ ଶେଷ ସୁଯୋଗ, ନଚେତ୍ ଏକତରଫା କାର୍ଯ୍ୟାନୁଷ୍ଠାନ
Last-chance-to-suspended-exEO
ଲିଖିତ ଜବାବ ଦାଖଲ ପାଇଁ ପୂର୍ବତନ ନିର୍ବାହୀ ଅଧିକାରୀଙ୍କୁ ଶେଷ ସୁଯୋଗ, ନଚେତ୍ ଏକତରଫା କାର୍ଯ୍ୟାନୁଷ୍ଠାନ


ଝାରସୁଗୁଡ଼ା, ୧୬ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ପୌରପାଳିକାର ପୂର୍ବତନ ନିର୍ବାହୀ ଅଧିକାରୀ ତଥା ନିଲମ୍ବିତ ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କୁ ବିଭାଗୀୟ ଶୃଙ୍ଖଳାଗତ ମାମଲାରେ ନିଜ ପକ୍ଷ ରଖିବା ପାଇଁ ରାଜ୍ୟ ସରକାର ଶେଷ ସୁଯୋଗ ପ୍ରଦାନ କରିଛନ୍ତି। ଆସନ୍ତା ଅକ୍ଟୋବର ୩୧ ତାରିଖ ସୁଦ୍ଧା ଲିଖିତ ପ୍ରତିରକ୍ଷା ବୟାନ ଦାଖଲ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ ଦେଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ନଦେଲେ ଏକତରଫା ଭାବେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ଗତ ଜୁନ୍ ୧୮ ତାରିଖରେ ଜାରି ନିର୍ଦ୍ଦେଶନାମା (ସଂଖ୍ୟା-୨୫୬୪୮) ଆଧାରରେ ଶ୍ରୀ ମଲ୍ଲିକଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଏହି ମାମଲାରେ ନିଜ ପକ୍ଷ ରଖିବା ପାଇଁ ସମୟ ବୃଦ୍ଧି ଲାଗି ସେ ଗତ ସେପ୍ଟେମ୍ବର ୯ ଓ ୨୧ ତାରିଖରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଭିଯୋଗ ପ୍ରକୋଷ୍ଠ ଜରିଆରେ ଆବେଦନ କରିଥିଲେ।

ତାଙ୍କ ଆବେଦନକୁ ବିଚାରକୁ ନେଇ ବିଭାଗୀୟ ଉପଶାସନ ସଚିବ ଭୀମସେନ ମହାପାତ୍ର ଅକ୍ଟୋବର ୩ ତାରିଖରେ ଚିଠି ସଂଖ୍ୟା ୪୦୯୨୯ ଜାରି କରି ଅକ୍ଟୋବର ୩୧ ସୁଦ୍ଧା ଜବାବ ଦାଖଲ କରିବାକୁ ଶେଷ ସୁଯୋଗ ଦେଇଛନ୍ତି। ଏହି ସମୟସୀମା ମଧ୍ୟରେ ଉତ୍ତର ନମିଳିଲେ ଶ୍ରୀ ମଲ୍ଲିକଙ୍କର ଏ ସମ୍ପର୍କରେ କିଛି କହିବାର ନାହିଁ ବୋଲି ଧରି ନିଆଯିବ ଏବଂ ତାଙ୍କ ଅନୁପସ୍ଥିତିରେ ମାମଲାରେ ଏକତରଫା ନିଷ୍ପତ୍ତି ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ସମ୍ପୃକ୍ତ ସରକାରୀ ନିର୍ଦ୍ଦେଶନାମାକୁ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ କମିସନର (ଆରଡିସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ଅକ୍ଟୋବର ୭ ତାରିଖରେ ନିଲମ୍ବିତ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଆରଡିସିଙ୍କ ସଚିବ ଉପମା କାଲୋ ଅକ୍ଟୋବର ୧୫ ତାରିଖରେ ଏହାର ପ୍ରାପ୍ତିସ୍ୱୀକାର ପତ୍ର ରାଜ୍ୟ ସରକାରଙ୍କୁ ପଠାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅବଗତ କରାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ମଲ୍ଲିକ ବର୍ତ୍ତମାନ ନିଲମ୍ବନରେ ରହି ସମ୍ବଲପୁର ଆରଡିସି କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ଝାରସୁଗୁଡ଼ା ପୌରପାଳିକାରେ ତାଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ ଅନିୟମିତତା ଓ ଦୁର୍ନୀତି ସମ୍ପର୍କିତ ମାମଲାକୁ ନେଇ ସେ ବିବାଦରେ ରହିଥିବା ବେଳେ ତାଙ୍କ ବିରୋଧରେ ବିଭାଗୀୟ ପ୍ରକ୍ରିୟା ଜାରି ରହିଛି। ଏବେ ସରକାରଙ୍କ ଏହି ଶେଷ ନୋଟିସ୍ ପରେ ମାମଲାର ପରବର୍ତ୍ତୀ ଗତିବିଧି ଉପରେ ନଜର ରହିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande