ପାଟକୁରା କଲେଜ ନିର୍ବାଚନରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଶକ୍ତି ପ୍ରଦର୍ଶନ, ବିଜେଡି ଖାତା ଖୋଲିବାରେ ବିଫଳ
କେନ୍ଦ୍ରାପଡ଼ା, ୧୬ ଅକ୍ଟୋବର (ହି.ସ.)- ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ଏବେ ସରଗରମ। ଗୁରୁବାର ପ୍ରକାଶ ପାଇଥିବା କଲେଜ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ସ୍ଥାନୀୟ ରାଜନୀତିରେ ଏକ ବଡ଼ ଧରଣର ସମୀକରଣ ପରିବର୍ତ୍ତନର ସ୍ପଷ୍ଟ ସଙ୍କେତ ଦେଇଛି। ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୬ଟି
ପାଟକୁରା କଲେଜ ନିର୍ବାଚନରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଶକ୍ତି ପ୍ରଦର୍ଶନ


କେନ୍ଦ୍ରାପଡ଼ା, ୧୬ ଅକ୍ଟୋବର (ହି.ସ.)- ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ଏବେ ସରଗରମ। ଗୁରୁବାର ପ୍ରକାଶ ପାଇଥିବା କଲେଜ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ସ୍ଥାନୀୟ ରାଜନୀତିରେ ଏକ ବଡ଼ ଧରଣର ସମୀକରଣ ପରିବର୍ତ୍ତନର ସ୍ପଷ୍ଟ ସଙ୍କେତ ଦେଇଛି। ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୬ଟି ପ୍ରମୁଖ ଡିଗ୍ରୀ କଲେଜ ମଧ୍ୟରୁ ୫ଟିରେ ସ୍ଥାନୀୟ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥିତ ପ୍ରାର୍ଥୀମାନେ ବିପୁଳ ବିଜୟ ହାସଲ କରି କ୍ୟାମ୍ପସ ରାଜନୀତିରେ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି। ଅନ୍ୟପକ୍ଷରେ, ବିଜେପି ସହ ଅନୁବନ୍ଧିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ମାତ୍ର କେତେକ ନିର୍ଦ୍ଦିଷ୍ଟ ପଦବୀରେ ସୀମିତ ରହିଥିବା ବେଳେ ବିଜୁ ଜନତା ଦଳ (ବିଜେଡି) ସମର୍ଥିତ ଛାତ୍ର ସଂଗଠନ ପ୍ରମୁଖ କଲେଜଗୁଡ଼ିକରେ ଖାତା ଖୋଲିବାକୁ ମଧ୍ୟ ସକ୍ଷମ ହୋଇପାରି ନାହିଁ।

କେଉଁ କଲେଜରେ କିଏ ଆଗରେ ପ୍ରକାଶିତ ଫଳାଫଳ ଅନୁସାରେ, ନିର୍ବାଚନମଣ୍ଡଳୀର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଧାୟକଙ୍କ ଅନୁଗାମୀମାନେ ସଭାପତି, ସାଧାରଣ ସମ୍ପାଦକ ସମେତ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକ ଅକ୍ତିଆର କରିଛନ୍ତି। ଲୋକନାଥ ମହାବିଦ୍ୟାଳୟ (କୋରୁଆ) : କ୍ୟାମ୍ପସରେ ବିଧାୟକ ସମର୍ଥିତ ପ୍ୟାନେଲ ସମ୍ପୂର୍ଣ୍ଣ ଭାବେ ଏକତରଫା ବିଜୟ ହାସଲ କରିଛି। ଚିତ୍ରୋତ୍ପଳା ମହିଳା ମହାବିଦ୍ୟାଳୟ : ଛାତ୍ରୀମାନଙ୍କ ମଧ୍ୟରେ ଅରବିନ୍ଦଙ୍କ ସମର୍ଥିତ ପ୍ୟାନେଲ ବଡ଼ ବ୍ୟବଧାନରେ ବିଜୟୀ ହୋଇଛି। କରିଲୋପାଟଣା କଲେଜ : ଏଠାରେ ଏବିଭିପି ସହିତ କଡ଼ା ଟକ୍କର ଦେଖିବାକୁ ମିଳିଥିଲେ ମଧ୍ୟ ଶେଷରେ ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀମାନେ ପ୍ରମୁଖ ଆସନ ବଜାୟ ରଖିଛନ୍ତି। ଚାନ୍ଦୋଳ କଲେଜ ଏବଂ ଡେରାବିଶ କଲେଜ : ଉଭୟ କଲେଜରେ ମହାପାତ୍ର ଗୋଷ୍ଠୀ ବିରୋଧୀଙ୍କୁ ପଛରେ ପକାଇ ନିର୍ଣ୍ଣାୟକ ବିଜୟ ହାସଲ କରିଛନ୍ତି। ୬ଟି ମଧ୍ୟରୁ କେବଳ ଗୋଟିଏ କଲେଜରେ ଏବିଭିପି କିଛି ପଦବୀ ହାସଲ କରି ନିଜର ଉପସ୍ଥିତି ଜାହିର କରିଥିବା ବେଳେ ବିଜେଡିର ବିପର୍ଯ୍ୟୟ ରାଜନୈତିକ ମହଲକୁ ଚକିତ କରିଛି। ଅରବିନ୍ଦଙ୍କ ସ୍ୱତନ୍ତ୍ର ପତିଆରା ଓ ବଦଳୁଥିବା ସମୀକରଣ ଏହି ନିର୍ବାଚନ ଫଳାଫଳ କେବଳ ଛାତ୍ର ରାଜନୀତିରେ ସୀମିତ ନୁହେଁ, ବରଂ ଅରବିନ୍ଦ ମହାପାତ୍ରଙ୍କ ବ୍ୟକ୍ତିଗତ ରାଜନୈତିକ ସ୍ଥିତିକୁ ଦୃଢ଼ କରୁଛି।

୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ଅରବିନ୍ଦଙ୍କୁ ପରବର୍ତ୍ତୀ ସମୟରେ ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟ।ୟରେ ବିଧାନସଭା ଓ ସଂସଦୀୟ କାର୍ଯ୍ୟକ୍ରମରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ପରେ ସେ ଭାରତୀୟ ଜନତା ପାର୍ଟିର ନିକଟତର ହେଉଥିବା ନେଇ ବ୍ୟାପକ ଚର୍ଚ୍ଚା ଚାଲିଥିଲା। ତେବେ ଏହି କଲେଜ ନିର୍ବାଚନ ସମସ୍ତ ପୁରୁଣା ଆକଳନକୁ ଭୁଲ୍ ପ୍ରମାଣିତ କରିଛି। କ୍ୟାମ୍ପସରେ ବିଧାୟକଙ୍କ ସମର୍ଥିତ ପ୍ୟାନେଲ ସିଧାସଳଖ ଏବିଭିପି ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଅରବିନ୍ଦ ବିଜେଡି କିମ୍ବା ବିଜେପି— କୌଣସି ଦଳର ଆନୁଷ୍ଠାନିକ ନିର୍ଦ୍ଦେଶ ଉପରେ ନିର୍ଭର ନ କରି ନିଜସ୍ୱ ଏକ ସ୍ୱତନ୍ତ୍ର ରାଜନୈତିକ ସଂଗଠନ ଗଢ଼ି ତୋଳିଛନ୍ତି। ତୃଣମୂଳ ସ୍ତରର ମନୋଭାବ ଏବଂ ପାରିବାରିକ ଦୁର୍ଗ ପାଟକୁରା ରାଜନୀତିକୁ ପାଖରୁ ଦେଖୁଥିବା ବିଶ୍ଳେଷକଙ୍କ ମତରେ, ଏହି ବିଜୟ ପଛରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଦୀର୍ଘ ବର୍ଷର ସାଙ୍ଗଠନିକ ଭିତ୍ତିଭୂମି ରହିଛି। ପାଟକୁରାରେ ସବୁବେଳେ ଦଳୀୟ ଚିହ୍ନ ଅପେକ୍ଷା ବ୍ୟକ୍ତିଗତ ସମ୍ପର୍କ ଓ ଗୋଷ୍ଠୀକେନ୍ଦ୍ରିକ ରାଜନୀତି ଅଧିକ ପ୍ରଭାବଶାଳୀ ରହିଆସିଛି। ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପ୍ରମାଣ କରୁଛି ଯେ ତୃଣମୂଳ ସ୍ତରର କର୍ମୀ ଓ ଛାତ୍ର ନେତାମାନେ ଦଳୀୟ ହାଇକମାଣ୍ଡଙ୍କ ଅପେକ୍ଷା ସିଧାସଳଖ ବିଧାୟକଙ୍କ ସହ ରହିବାକୁ ପସନ୍ଦ କରୁଛନ୍ତି।

ସେହିପରି ବିଜେପି ମଧ୍ୟ ଏହି ଅଞ୍ଚଳରେ ନିଜର ଏକଚାଟିଆ ସ୍ଥିତି ପ୍ରତିଷ୍ଠା କରିବାରେ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ରାଜନୈତିକ ପୃଷ୍ଠଭୂମିର ଯୁବକର୍ମୀମାନେ ଅରବିନ୍ଦଙ୍କ ନେତୃତ୍ଵରେ ଏକଜୁଟ ହୋଇ କ୍ୟାମ୍ପସରେ ଏକ ନୂତନ ଶକ୍ତି ଭାବେ ଉଭା ହୋଇଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ଏହାର ପ୍ରଭାବ, ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଛାତ୍ର ସଂସଦ ଫଳାଫଳ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ପାଇଁ ଏକ ଚେତାବନୀ ସଦୃଶ। କଲେଜ କ୍ୟାମ୍ପସରୁ ଉତ୍ସାହିତ ହୋଇଥିବା ଯୁବ ଶକ୍ତି ହିଁ ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନରେ ପ୍ରଚାର ଏବଂ ସାଙ୍ଗଠନିକ କାର୍ଯ୍ୟର ମୁଖ୍ୟ ମଙ୍ଗ ଧରିଥାନ୍ତି। ବିଧାୟକଙ୍କ ଶିବିର ଦାବି କରୁଛି ଯେ, ଏହି ବିଜୟ ଆଗାମୀ ଗ୍ରାମୀଣ ନିର୍ବାଚନରେ ଅରବିନ୍ଦ ମହାପାତ୍ରଙ୍କୁ ଏକ ଅପ୍ରତିଦ୍ୱନ୍ଦ୍ୱୀ ତଥା ସ୍ୱାଧୀନ ଶକ୍ତି ଭାବେ ପ୍ରତିଷ୍ଠା କରିବାରେ ବାଟ ଫିଟାଇଛି।

ଅପରପକ୍ଷରେ, ବିଜେଡି ଏବଂ ବିଜେପିର ବରିଷ୍ଠ ରଣନୀତିକାରମାନେ ଏହି ଦାବିକୁ ଅଗ୍ରାହ୍ୟ କରିଛନ୍ତି। ସେମାନଙ୍କ ଯୁକ୍ତି ଅନୁସାରେ, ଛାତ୍ର ସଂସଦ ନିର୍ବାଚନ ସ୍ଥାନୀୟ କ୍ୟାମ୍ପସ ସମସ୍ୟା, ବ୍ୟକ୍ତିଗତ ବନ୍ଧୁତା ଓ ତତ୍କାଳୀନ ଭାବପ୍ରବଣତା ଉପରେ ନିର୍ଭର କରେ, ଯାହା ସାର୍ବଜନୀନ ଗ୍ରାମୀଣ ଭୋଟରଙ୍କ ମନୋଭାବ ସହିତ ସମ୍ପୂର୍ଣ୍ଣ ମେଳ ଖାଏ ନାହିଁ। ତଥାପି, ଏହି ଫଳାଫଳ ଏକଥା ସ୍ପଷ୍ଟ କରିଦେଇଛି ଯେ ପାଟକୁରାରେ କୌଣସି ଦଳ ପାଇଁ ରାସ୍ତା ସହଜ ନୁହେଁ। ଦଳୀୟ ଢାଞ୍ଚା ବାହାରେ ରହି ମଧ୍ୟ ଅରବିନ୍ଦ ମହାପାତ୍ର ଯୁବପିଢ଼ିଙ୍କୁ ନିଜ ସପକ୍ଷରେ ରଖି ଏକ ଶକ୍ତିଶାଳୀ ତୃତୀୟ ଶକ୍ତି ଭାବେ ନିଜର ଦୃଢ଼ ଉପସ୍ଥିତି ଜାହିର କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande