
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ମା’ଙ୍କ ନବରାତ୍ରି ପୂଜା ଅନୁଷ୍ଠିତ ହେଉଛି । ଏହି ଅବସରରେ ଆଜି ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ତଥା ନବରାତ୍ରିର ଷଷ୍ଠ ଦିବସରେ ମା’ କାତ୍ୟାୟନୀଙ୍କୁ ଉପାସନା କରାଯାଉଛି । ମା’ ଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ପାଇଁ ବିଭିନ୍ନ ଶକ୍ତି ପୀଠ ତଥା ଦେବୀ ପୀଠ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି । ଭକ୍ତମାନେ ଶୃଙ୍ଖଳିତ ଭାବେ ଧାଡିରେ ଯାଇ ଦେବୀଙ୍କ ସ୍କନ୍ଦମାତା ବେଶ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି ।
ମା’ ଦୁର୍ଗାଙ୍କର ଷଷ୍ଠ ସ୍ୱରୂପର ନାମ ହେଉଛି କାତ୍ୟାୟନୀ । ମା’ଙ୍କର ନାମ କାତ୍ୟାୟନୀ କାହିଁକି ହେଲା, ତାହାର ମଧ୍ୟ ଏକ କଥା ରହିଛି । କତ ନାମକ ଏକ ପ୍ରସିଦ୍ଧ ମହର୍ଷି ଥିଲେ । ତାଙ୍କର ପୁତ୍ର ଋଷି କାତ୍ୟ ଥିଲେ । ସେହି କାତ୍ୟଙ୍କ ଗୋତ୍ରରେ ବିଶ୍ୱ ପ୍ରସିଦ୍ଧ ମହର୍ଷି କାତ୍ୟାୟନ ଥିଲେ । ସେ ଦେବୀ ଭଗବତୀ ପରାମ୍ବାଙ୍କ ଉପାସନା କରି କଠିନ ତପସ୍ୟା କରିଥିଲେ । ତାଙ୍କର ଇଚ୍ଛା ଥିଲା ମା’ ଭଗବତୀ ତାଙ୍କର ପୁତ୍ରୀ ହୋଇ ଜନ୍ମ ହୁଅନ୍ତୁ । ମା’ ଭଗବତୀ ତାଙ୍କର ମନବାଞ୍ଛା ପୂର୍ଣ୍ଣ କରିଥିଲେ । ଯେବେ ଦାନବ ମହିଷାସୁରର ଅତ୍ୟାଚାର ପୃଥିବୀରେ ବଢିଗଲା । ସେତେବେଳେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତିନି ଦେବତା ନିଜ ନିଜର ତେଜର ଅଂଶ ଦେଇ ମହିଷାସୁରର ବିନାଶ ପାଇଁ ଏକ ଦେବୀଙ୍କୁ ପ୍ରକଟ କଲେ, ସେତେବେଳେ ମହର୍ଷି କାତ୍ୟାୟନ ମାଆଙ୍କର ପୂଜା କରିଥିବାରୁ ମାତା ତାଙ୍କୁ ପିତା ସମ୍ବୋଧନ କରିଥିଲେ । ତେଣୁ ମାତାଙ୍କର ନାମ କାତ୍ୟାୟନୀ ରଖାଯାଇଥିଲା ।
ମା’ କାତ୍ୟାୟନୀଙ୍କର ସ୍ୱରୂପ ଅତ୍ୟନ୍ତ ଉଜ୍ଜ୍ୱଳ, ପ୍ରଚଣ୍ଡ ଏବଂ ତାଙ୍କର ଚାରି ହାତ । ମା’ ଙ୍କର ଡାହାଣ ପଟର ଉପର ହାତରେ ଅଭୟମୁଦ୍ରା ଓ ତଳ ହାତ ବରମୁଦ୍ରା ଅବସ୍ଥାରେ ଥିବାବେଳେ ବାମ ପଟ ଉପର ହାତରେ ଖଣ୍ଡା ଓ ତଳ ହାତରେ ପଦ୍ମଫୁଲ ଧାରଣ କରିଥାନ୍ତି ମା’ । ମା’ଙ୍କର ବାହାନ ପଶୁରାଜ ସିଂହ ଅଟେ । ମାତା କାତ୍ୟାୟନୀଙ୍କର ଭକ୍ତି ଓ ଉପାସନା ଦ୍ୱାରା ମନୁଷ୍ୟ ସହଜରେ ଅର୍ଥ, ଧର୍ମ, କାମ, ମୋକ୍ଷ ଆଦି ସାରା ବୈଭବ ପ୍ରାପ୍ତ ହୋଇଥାଏ ।
ପ୍ରକାଶ ଥାଉକି, ଗତ ୧୧ ତାରିଖରେ ମା’ ଦୁର୍ଗାଙ୍କ ଶୈଳପୁତ୍ରୀ ବେଶ, ୧୨ ତାରିଖରେ ବ୍ରହ୍ମଚାରିଣୀ ବେଶ, ୧୩ ତାରିଖରେ ଚନ୍ଦ୍ରଘଣ୍ଟା ବେଶ, ୧୪ ତାରିଖରେ କୁଷ୍ମାଣ୍ଡା ବେଶ ଏବଂ ୧୫ ତାରିଖରେ ସ୍କନ୍ଧମାତା ବେଶ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ