
ଭୁବନେଶ୍ୱର, ୧୬ ଅକ୍ଟୋବର (ହି.ସ.)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଇଂରାଜୀ ସ୍ନାତକୋତର ଶିକ୍ଷକ ମାନଙ୍କ ପାଇଁ ପାଂଚ ଦିନିଆ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱରର ସିରିପୁରସ୍ଥିତ ଇମେଜ୍' ଠାରେ ଉଦ୍ଯାପିତ ହୋଇଯାଇଛି ।
ରାଜ୍ୟସାରା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରୁ ପ୍ରାୟ ୧୧୨ ଜଣ ଇଂରାଜୀ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କର ବିଷୟଗତ ଜ୍ଞାନ, ଶିକ୍ଷାଦାନ କୌଶଳ, ଶ୍ରେଣୀଗୃହ ଅଭ୍ୟାସ ଏବଂ ବୃତିଗତ ଦକ୍ଷତାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଉଦ୍ଯାପନୀ ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକ ଶ୍ରୀମତୀ ନିୟତି ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ମାଳୀ ଏବଂ ଉପ-ନିର୍ଦ୍ଦେଶକ ଶ୍ରୀମତୀ ସି.ଏଚ୍. ବିଜୟଲକ୍ଷ୍ମୀ, ୟୁନିସେଫ୍ ଶିକ୍ଷା କନସଲଟାଂଟ ଶ୍ରୀମତୀ ଜୟାଜ୍ୟୋତି ପଣ୍ଡା ଉପସ୍ଥିତ ଥିଲେ ।
ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ନିର୍ଦ୍ଦେଶିକ ଶ୍ରୀମତୀ ନିୟତି ପଟ୍ଟନାୟକ ଶିକ୍ଷକମାନଙ୍କ ମଧ୍ୟରେ ନିରନ୍ତର ଶିକ୍ଷଣ ଏବଂ ବୃତିଗତ ବିକାଶର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ମାଳୀ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଉପ-ନିର୍ଦ୍ଦେଶକ ଶ୍ରୀମତୀ ସି.ଏଚ୍ ବିଜୟଲକ୍ଷ୍ମୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ରିସୋର୍ସ ପର୍ସନ, ଅଂଶଗ୍ରହଣକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କର୍ମକର୍ତାମାନଙ୍କୁ ସେ କୃତଜ୍ଞତା ଜଣାଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା