

ସମ୍ବଲପୁର, ୧୬ ଅକ୍ଟୋବର(ହି.ସ.) – ମେରା ଯୁବ ଭାରତ, ସମ୍ବଲପୁର ପକ୍ଷରୁ ଆୟୋଜିତ ‘ବନ୍ଦେ ମାତରମ୍ କ୍ୟାମ୍ପ’ର ଉଦ୍ଯାପନୀ ସମାରୋହ ଶୁକ୍ରବାର ଦିନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ୟାମ୍ପରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ, ମିଜୋରାମ ଓ ପଶ୍ଚିମବଙ୍ଗ ଆଦି ୬ଟି ରାଜ୍ୟର ଯୁବ ପ୍ରତିନିଧିମାନେ ଯୋଗଦେଇ ଜାତୀୟ ଏକତା, ଦେଶପ୍ରେମ ଓ ସାଂସ୍କୃତିକ ଆଦାନପ୍ରଦାନର ବାର୍ତା ଦେଇଥିଲେ। ଉଦ୍ଯାପନୀ ସମାରୋହରେ ଅତିଥିମାନଙ୍କୁ ମଂଚକୁ ସ୍ୱାଗତ କରାଯିବା ପରେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ଓ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ପରିବେଷଣ କରାଯାଇଥିଲା। ଏହାପରେ ସମ୍ବଲପୁର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ବଲପୁରର ସାମାଜିକ କର୍ମୀ ସୂର୍ଯ୍ୟ ପାଣିଗ୍ରାହୀ ଏହି କ୍ୟାମ୍ପରେ ଯୋଗ ଦେଇ ଉପସ୍ଥିତି ଯୁବପିଢ଼ିଙ୍କୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଭୂମିକା, ଦାୟିତ୍ୱପୂର୍ଣ୍ଣ ଗଣମାଧ୍ୟମ ବ୍ୟବହାର, ସୂଚନାର ସତ୍ୟତା ଯାଂଚ ଏବଂ ସମାଜରେ ସକରାତ୍ମକ ପରିବର୍ତନ ଆଣିବାରେ ମିଡିଆର ଗୁରୁତ୍ୱ ସମ୍ପର୍କରେ ଏକ ଶିକ୍ଷଣୀୟ ଅଧିବେଶନ ପ୍ରଦାନ କରିଥିଲେ। ଏହି ଅଧିବେଶନ ଯୁବ ପ୍ରତିନିଧିମାନଙ୍କୁ ଡିଜିଟାଲ୍ ଯୁଗରେ ସଚେତନ ଓ ଦାୟିତ୍ୱବାନ ନାଗରିକ ହେବା ପାଇଁ ବେଶ୍ ପ୍ରେରଣା ଯୋଗାଇଥିଲା। ସମାରୋହରେ ଅତିଥିମାନେ ଯୁବଶକ୍ତିର ଗୁରୁତ୍ୱ ଓ ରାଷ୍ଟ୍ର ନିର୍ମାଣରେ ଯୁବକ ଯୁବତୀଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ପ୍ରଦୀପ କୁମାର ନାଏକ, ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ମେରା ଯୁବ ଭାରତ ଓଡ଼ିଶାର ରାଜ୍ୟ ନିର୍ଦ୍ଦେଶକ ଶକ୍ତି ସ୍ୱରୂପ ସିଂହ ଏବଂ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧିମାନେ ନିଜ ନିଜର ଅନୁଭୂତି ବାଂଟିଥିଲେ। ଶେଷରେ ବୌଦ୍ଧ ଜିଲ୍ଲା ଯୁବ ଅଧିକାରୀ ସୁଶ୍ରୀ ପ୍ରେରଣା ମୀନା ଧନ୍ୟବାଦ ଅର୍ପଣ କରିଥିଲେ। ଜାତୀୟ ଏକତା, ଯୁବ ନେତୃତ୍ୱ, ସାମାଜିକ ଦାୟିତ୍ୱ ଓ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବାର ସଂକଳ୍ପ ସହ ‘ବନ୍ଦେ ମାତରମ୍ କ୍ୟାମ୍ପ’ର ଉଦ୍ଯାପନ ହୋଇଥିଲା। ମେରା ଯୁବ ଭାରତ, ସମ୍ବଲପୁର ପକ୍ଷରୁ ଆୟୋଜିତ ଏହି କ୍ୟାମ୍ପ ଦେଶର ବିଭିନ୍ନ ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଭାଇଚାରା, ଜାତୀୟ ସଂହତି ଓ ସାମାଜିକ ସଚେତନତା ବୃଦ୍ଧି କରିବାର ଏକ ଉଲ୍ଲେଖନୀୟ ପ୍ରୟାସ ହୋଇଥିବା ଦେଖିବାକୁ ମିଳିଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ