
ଧର୍ମଶାଳା,୧୬ଅକ୍ଟୋବର(ହି.ସ.) : ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା କଲେଜ ପରିସରରେ ୟୁନିସେଫ ର ସହଯୋଗ ରେ ପରିଚାଳିତ 'ୟୁଥ୍-୪-ୱାଟର ପ୍ଲସ୍' ଏବଂ ବ୍ରହ୍ମବରଦା କଲେଜର ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ‘ଆନ୍ତର୍ଜାତୀୟ ହାତଧୁଆ ଦିବସ' ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟକର ଦୈନନ୍ଦିନ ଅଭ୍ୟାସ ଏବଂ ହାତ ଧୋଇବାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡିଛି ।ଏହି କାର୍ଯ୍ୟକ୍ରମକୁ ବ୍ରହ୍ମବରଦା କଲେଜର ଅଧ୍ୟାପକ ତଥା ଏନଏସଏସ ପ୍ରୋଗ୍ରାମ୍ ଅଫିସ ନିହାର ରଞ୍ଜନ ମଲ୍ଲିକ ସଂଯୋଜନା କରିଥିଲେ । ସଚେତନତା ଶିବିରରେ ଦେଢ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କଟକ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟର ସିନେଟ୍ ସଭ୍ୟ ତଥା ୟୁଥ୍-୪-ୱାଟର ପ୍ଲସ୍ର ଯୁବ ସ୍ୱେଚ୍ଛାସେବୀ ଅରୂପ କୁମାର ଦେଓ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଦୈନନ୍ଦିନ ଜୀବନରେ ହାତ ଧୋଇବାର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ସେ ସଠିକ୍ ଭାବେ ହାତ ଧୋଇବାର ୬ଟି ସୋପାନ ପ୍ରଦର୍ଶନ କରିବା ସହ ନିୟମିତ ହାତ ସଫା ରଖିବା ଦ୍ୱାରା କିପରି ସଂକ୍ରମଣରୁ ରକ୍ଷା ମିଳିପାରିବ ଏବଂ ଜନସ୍ୱାସ୍ଥ୍ୟର ସୁରକ୍ଷା ହୋଇପାରିବ, ସେ ବିଷୟରେ ବୁଝାଇ ଥିଲେ । ବ୍ରହ୍ମବରଦା ଜୁନିୟର କଲେଜର ଅଧ୍ୟକ୍ଷ ଉଲ୍ଲାସ ବିଶ୍ୱାଳ ସଭାକୁ ସମ୍ବୋଧିତ କରି ବ୍ୟକ୍ତିଗତ ସ୍ୱଚ୍ଛତା ବଜାୟ ରଖିବା ଏବଂ ସ୍ୱାସ୍ଥ୍ୟକର ଅଭ୍ୟାସ ଆପଣାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧ୍ୟାପକ ରାଜକିଶୋର ପଣ୍ଡା, ଅଧ୍ୟାପିକା ବନଲତା ଲେଙ୍କା, ଅଧ୍ୟାପକ ଓମକାର ପ୍ରସାଦ, ରିଙ୍କନ ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ଉପାୟରେ ହାତ ଧୋଇବା ଅଭ୍ୟାସ କରିବାକୁ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ସଠିକ୍ କୌଶଳ ବୁଝାଇବା ପାଇଁ ଏକ ବ୍ୟବହାରିକ ହାତଧୁଆ ପ୍ରଦର୍ଶନ କରାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନେ ନିକଟସ୍ଥ ଗୁପ୍ଚୁପ୍ ଓ ଦହିବରା ବିକ୍ରେତାମାନଙ୍କ ପାଖକୁ ଯାଇ ହାତ ଧୋଇବାର ଗୁରୁତ୍ୱ ବିଷୟରେ ସଚେତନ କରିଥିଲେ । ସାବୁନ୍ରେ ହାତ ଧୋଇବାକୁ ଏକ ନିୟମିତ ଅଭ୍ୟାସରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ବାର୍ତା ପ୍ରେରଣ କରା ଯାଇ ଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ