ସାତପଡ଼ା ପଞ୍ଚାୟତରେ ଡାହାଣୀପ୍ରଥାର ବିଲୋପ ସଚେତନତା
ପୁରୀ, ୧୬ ଅକ୍ଟୋବର (ହି.ସ.)- ସମାଜରେ ଡାହାଣୀ ପ୍ରଥା ଘୃଣ୍ୟ ତଥା ଅପରାଧ। ଏହାର ବିଲୋପ ଘଟିଲେ ଏକ ସୁସ୍ଥ, ସମୃଦ୍ଧ ଓ ଶୃଙ୍ଖଳିତ ସମାଜ ଗଠନରେ ସହାୟକ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଆଜି ପୂର୍ବାହ୍ନରେ କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ା ପଞ୍ଚାୟତ
ସାତପଡ଼ା ପଞ୍ଚାୟତରେ  ଡାହାଣୀପ୍ରଥା ର ବିଲୋପ  ସଚେତନତା


ପୁରୀ, ୧୬ ଅକ୍ଟୋବର (ହି.ସ.)- ସମାଜରେ ଡାହାଣୀ ପ୍ରଥା ଘୃଣ୍ୟ ତଥା ଅପରାଧ। ଏହାର ବିଲୋପ ଘଟିଲେ ଏକ ସୁସ୍ଥ, ସମୃଦ୍ଧ ଓ ଶୃଙ୍ଖଳିତ ସମାଜ ଗଠନରେ ସହାୟକ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଆଜି ପୂର୍ବାହ୍ନରେ କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଡାହାଣୀ ପ୍ରଥା ବିରୁଦ୍ଧରେ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ପୁରୁଣା ସମୟରେ ଶିକ୍ଷାର ଅଭାବ, କୁସଂସ୍କାର, ଚିକିତ୍ସାର ଅଭାବ, ଅନ୍ଧବିଶ୍ୱାସ ଓ ସନ୍ଦେହ କାରଣରୁ ଡାହାଣୀ ପ୍ରଥା ବ୍ୟାପକ ପରିବ୍ୟାପ୍ତ ହେଉଥିଲା। ଆଜିର ସମୟରେ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥା, ସଚେତନତା ଓ ସଂସ୍କାରିତ ପଦକ୍ଷେପ ଯୋଗୁଁ ଏହା ହ୍ରାସ ପାଇଛି ସତ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ। ଡାହାଣୀ ପ୍ରଥାକୁ ସମାଜରୁ ଉଛେଦ ପାଇଁ ଆଇନଗତ ଅନେକ ବ୍ୟବସ୍ଥା ରହିଛି। ଦଣ୍ଡ ଓ ଜୋରିମାନା ବ୍ୟବସ୍ଥା ରହିଛି।ଏହାକୁ ସଠିକ ଭାବେ କାର୍ଯ୍ୟକାରିତା କରିବା ସହ ସମସ୍ତଙ୍କ ଉଦ୍ୟମରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ ସେ ଆହ୍ୱାନ ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଡାହାଣୀ, ଗୁଣିଆ, ଭୂତ, ପ୍ରେତ ଇତ୍ୟାଦି କାଳ୍ପନିକ ଚରିତ୍ର ଓ ଘଟଣା ଗୁଡିକ ସମାଜର ଅନେକ କ୍ଷତି ସାଧନ କରୁଛନ୍ତି। ଏହା ଶିକ୍ଷା ଓ ସଚେତନତାର ଅଭାବ ଏବଂ କୁସଂସ୍କାର ଯୋଗୁଁ ଘଟୁଛି। ଏହି କଳଙ୍କିତ ପ୍ରଥାକୁ ସମାପ୍ତ କରିବା କ୍ଷେତ୍ରରେ ସମାଜର ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ରହିଛି ବୋଲି ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୀୟ କୁମାର ପଣ୍ଡା, ସାତପଡ଼ା ପଞ୍ଚାୟତର ସରପଞ୍ଚ ରଶ୍ମିତା ସାମନ୍ତରାୟ, ମେଡ଼ିକାଲ ଅଫିସର ଡା. ନବ କିଶୋର କର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଡାହାଣୀ ପ୍ରଥାର କୁ- ପ୍ରଭାବ ଓ ନିରାକରଣ ସମ୍ପର୍କରେ ବିବିଧ ସୂଚନା ପ୍ରଦାନ କରିଥିଲେ। ଡାହାଣୀ ପ୍ରଥା, ଏହାର କାରଣ, ଏହା ଦ୍ୱାରା ସମାଜ ଓ ବ୍ୟକ୍ତି ବିଶେଷଙ୍କ କ୍ଷତି ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ।

ଶିବିର ରେ ପୋଲିସ କର୍ମଚାରୀ ଜଗନ୍ନାଥ ବେହେରା, ବି. ଦୀପ, ସୁପରଭାଇଜର ଦିପ୍ତୀରାଣୀ ଦଣ୍ଡପାଟ, ଲୀନା ମହାପାତ୍ର, ବିପିସି ସସ୍ମିତା ନନ୍ଦ, ବିପିଏ ଅମିତ ବିଶ୍ବାଳ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଶିବିର ରେ ଅଙ୍ଗନବାଡି କର୍ମୀ, ସିଆରପି, ଏମବିକେ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଆଶା କର୍ମୀ, ସାଧାରଣ ଜନତା ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସଚେତନତା ପ୍ରଚାର ପତ୍ର ବା ଲିଫଲେଟ କୁ ଉନ୍ମୋଚନ କରାଯାଇ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା। ପୂର୍ବରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶେଷରେ କୃଷ୍ଣ ପ୍ରସାଦ ସିଡିପିଓ ମନୋରମା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande