କ୍ୟାମ୍ପସରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା, ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, 16 ଅକ୍ଟୋବର (ହି.ସ.) ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ସଫଳତାର ସହ ଶେଷ ହେବା ପରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜରିଆରେ ସେ ବିଜୟୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, 16 ଅକ୍ଟୋବର (ହି.ସ.) ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ସଫଳତାର ସହ ଶେଷ ହେବା ପରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜରିଆରେ ସେ ବିଜୟୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ କ୍ୟାମ୍ପସରେ ଗଣତାନ୍ତ୍ରିକ ପରମ୍ପରାକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି ଯେ, ପୂର୍ବ ସରକାର ନିଜର ରାଜନୈତିକ ସ୍ୱାର୍ଥ ପାଇଁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ସ୍ୱରକୁ ଚାପି ଦେଇଥିଲେ। ତେବେ ଛାତ୍ର ସମାଜକୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରି ବର୍ତ୍ତମାନର ସରକାର ସଫଳତାର ସହ ନିର୍ବାଚନ ପରିଚାଳନା କରିଛନ୍ତି ଏବଂ କ୍ୟାମ୍ପସରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ଆଶା, ଆକାଂକ୍ଷା ଓ ସ୍ୱରକୁ ସମ୍ମାନ ଦେବା ସହ ନିଜ ଦାୟିତ୍ୱକୁ ନିଷ୍ଠା ଓ ସଚ୍ଚୋଟତାର ସହ ନିର୍ବାହ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏଥିସହ କ୍ୟାମ୍ପସରେ ଶୃଙ୍ଖଳା, ଉନ୍ନତ ଶୈକ୍ଷିକ ପରିବେଶ, ଏକତା ଓ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାକୁ ଆହୁରି ମଜବୁତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଛାତ୍ରନେତୃତ୍ୱ କେବଳ କ୍ୟାମ୍ପସର ସମସ୍ୟା ସମାଧାନରେ ସୀମିତ ନ ରହି ଏକ ବିକଶିତ ଓଡ଼ିଶା ଗଠନରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ ବୋଲି ସେ ଆହ୍ୱାନ ଦେଇଛନ୍ତି।

ଶେଷରେ ସମସ୍ତ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳ କାର୍ଯ୍ୟକାଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କର ଏହି ବାର୍ତ୍ତା ଛାତ୍ରନେତୃତ୍ୱରେ ଦାୟିତ୍ୱବୋଧ, ଶୃଙ୍ଖଳା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଗୁରୁତ୍ୱକୁ ପ୍ରତିଫଳିତ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande