
ଧର୍ମଶାଳା,୧୬ଅକ୍ଟୋବର(ହି.ସ.) : ଯାଜପୁର ଜିଲା ରସୁଲପୁର ବ୍ଲକ କଲଣସ୍ଥିତ ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଚାଲିଥିବା ସ୍ତରୀୟ ଜିଲା ସ୍ତରୀୟ ବିଦ୍ୟାଳୟ ସମୂହ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ରବି ନାରାୟଣ ବେହେରା ଯୋଗଦେଇ ଖେଳ ପତାକା ଅବତରଣ କରି ପ୍ରତିଯୋଗିତାକୁ ଉଦଯାପନ କରିଥିଲେ
ଏହି ଅବସରରେ ସାଂସଦ ଶ୍ରୀ ବେହେରା କହିଥିଲେ, କବାଡି ଆମ ମାଟିର ଖେଳ । ଏହି ଖେଳ ମାଧ୍ୟମରେ ଗ୍ରାମାଂଚଳର ପ୍ରତିଭାମାନେ ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିବେ । ସରକାର କ୍ରୀଡା ଭିତିିଭୂମିର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଆପଣମାନେ ପାଠ ପଢା ସହ ଖେଳ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ବିଶେଷ ଅତିଥି ଭାବେ ଜିଲା ଶାରୀରିକ ଶିକ୍ଷା ଅଧିକାରୀ ସବିତା ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରସୁଲପୁର ବ୍ଲକ ଶିକ୍ଷାଅଧିକାରୀ କିଶୋର ଚନ୍ଦ୍ର ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମହେନ୍ଦ୍ର କୁମାର ସାହୁ, ଉପସଭାନେତ୍ରୀ ନିରୁପମା ସାହୁ, ପୂର୍ବତନ ପ୍ରଧାନଶିକ୍ଷକ କୁଶମଣି ପଣ୍ଡା, ଗୁରୁକୁଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୟ କୁମାର ନାୟକ ଓ ଖଣ୍ଡିତର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନନ୍ଦ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ଜିଲାର ୧୦ଟି ବ୍ଲକରୁ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବାଳକ-ବାଳିକା ବର୍ଗରେ ମୋଟ ୬ଶହ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ୫୦ ଜଣ କ୍ରୀଡା ଶିକ୍ଷକ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।୧୭ ବର୍ଷରୁ କମ୍ ବାଳକ ବିଭାଗ: କୋରେଇ ବ୍ଲକ ଚାମ୍ପିଅନ ଓ ବିଂଝାରପୁର ବ୍ଲକ ରନର୍ସଅପ୍,୧୪ ବର୍ଷରୁ କମ୍ ବାଳକ ବିଭାଗରେ କୋରେଇ ବ୍ଲକ ଚାମ୍ପିଅନ, ରସୁଲପୁର ବ୍ଲକ ରନର୍ସଅପ୍,୧୭ ବର୍ଷରୁ କମ୍ ବାଳିକା ବିଭାଗରେ ବରୀ ବ୍ଲକ ଚାମ୍ପିଅନ ଓ କୋରେଇ ବ୍ଲକ - ରନର୍ସଅପ୍ ଓ ୧୪ ବର୍ଷରୁ କମ୍ ବାଳିକା ବିଭାଗରେ ବିଂଝାରପୁର ବ୍ଲକ ଚାମ୍ପିଅନ ଓ କୋରେଇ ବ୍ଲକ ରନର୍ସଅପ୍ ହୋଇଥିଲା । ବିଜେତା ଦଳମାନଙ୍କୁ ସାଂସଦ ଶ୍ରୀ ବେହେରା ଟ୍ରଫି ପ୍ରଦାନ କରିଥିଲେ । ଶେଷରେ କ୍ରୀଡା ଶିକ୍ଷକ ଅନାଦି ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ