ଦିବ୍ୟାଙ୍ଗଙ୍କ ପାଇଁ ସୁଗମ ହେବ ରସୁଲପୁର ବ୍ଲକର ସମସ୍ତ ସରକାରୀ କାର୍ଯ୍ୟାଳୟ
ଧର୍ମଶାଳା,୧୬ଅକ୍ଟୋବର(ହି.ସ.): ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସରକାରୀ ସେବାକୁ ସୁଗମ, ସହଜ ଓ ଭେଦଭାବମୁକ୍ତ କରିବା ଲକ୍ଷ୍ୟରେ ଯାଜପୁର ଜିଲା ରସୁଲପୁର ବ୍ଲକ ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ବ୍ଲକ ଅଧୀନ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଜ
ଦିବ୍ୟାଙ୍ଗଙ୍କ ପାଇଁ ସୁଗମ ହେବ ରସୁଲପୁର ବ୍ଲକର ସମସ୍ତ ସରକାରୀ କାର୍ଯ୍ୟାଳୟ


ଧର୍ମଶାଳା,୧୬ଅକ୍ଟୋବର(ହି.ସ.): ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସରକାରୀ ସେବାକୁ ସୁଗମ, ସହଜ ଓ ଭେଦଭାବମୁକ୍ତ କରିବା ଲକ୍ଷ୍ୟରେ ଯାଜପୁର ଜିଲା ରସୁଲପୁର ବ୍ଲକ ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ବ୍ଲକ ଅଧୀନ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଜନସେବା ଅନୁଷ୍ଠାନରେ ଦିବ୍ୟାଙ୍ଗଙ୍କ ପାଇଁ ଆବଶ୍ୟକୀୟ ଭିତିିଭୂମି ଓ ସୁଗମ ପ୍ରବେଶ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ସୁଗମ ଓଡିଶା ଅଭିଯାନର ରାଜ୍ୟ ମୁଖ୍ୟ ତଥା ଦିବ୍ୟାଙ୍ଗ ଅଧିକାର କର୍ମୀ ମଂଟୁ ଦାସଙ୍କ ଆବେଦନ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଆଇନ, ୨୦୧୬ର ବ୍ୟବସ୍ଥାକୁ ଆଧାର କରି ରସୁଲପୁର ପଞ୍ଚାୟତ ସମିତି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ବ୍ଲକ ପ୍ରଶାସନର ନିର୍ଦେ୍ଦଶ ଅନୁଯାୟୀ, କାର୍ଯ୍ୟାଳୟଗୁଡ଼ିକରେ ଦିବ୍ୟାଙ୍ଗଙ୍କ ଯାତାୟାତ ପାଇଁ ଉପଯୁକ୍ତ ରାଂପ ଓ ହ୍ୟାଣ୍ଡ୍ରେଲ୍, ବାଧାମୁକ୍ତ ପ୍ରବେଶ ପଥ, ଦିବ୍ୟାଙ୍ଗ ଅନୁକୂଳ ଶୌଚାଳୟ ଏବଂ ଆବଶ୍ୟକୀୟ ସୂଚନା ସଙ୍କେତର ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆ ଯାଇଛି । ସେହିପରି ଜନସାଧାରଣଙ୍କୁ ସେବା ଯୋଗାଉଥିବା ସ୍ଥାନଗୁଡ଼ିକରେ ଦିବ୍ୟାଙ୍ଗମାନେ ଯେପରି ବିନା ବାଧାରେ ପଂହଚି ନିଜର କାର୍ଯ୍ୟ ସଂପାଦନ କରିପାରିବେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ।ଏହି ନିର୍ଦ୍ଦେଶନାମା ସଂପର୍କରେ ତହସିଲ କାର୍ଯ୍ୟାଳୟ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ ଓ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମେତ କୁଆଖିଆ ଓ ବ୍ରହ୍ମବରଦା ଥାନାର ଅଧିକାରୀମାନଙ୍କୁ ଅବଗତ କରାଯାଇଛି । ଏଥିସହ ରସୁଲପୁର ବ୍ଲକ ଅଞ୍ଚଳରେ ଥିବା ସମସ୍ତ ବ୍ୟାଙ୍କରେ ଦିବ୍ୟାଙ୍ଗ ଅନୁକୂଳ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ ଯାଜପୁରର ଅଗ୍ରଣୀ ଜିଲ୍ଲା ବ୍ୟାଙ୍କ ପରିଚାଳକଙ୍କୁ ମଧ୍ୟ ଅବଗତ କରାଯାଇଛି ।କେବଳ ପୁରୁଣା କୋଠା ନୁହେଁ, ନୂତନ ଭାବେ ନିର୍ମାଣାଧୀନ କିମ୍ବା ମରାମତି ହେଉଥିବା ସରକାରୀ କୋଠାଗୁଡ଼ିକରେ ମଧ୍ୟ ପ୍ରଯୁଜ୍ୟ ସୁଗମତା ମାନଦଣ୍ଡ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସୁଗମତା କୌଣସି ଅନୁକମ୍ପା ନୁହେଁ, ଏହା ସେମାନଙ୍କର ଆଇନଗତ ଅଧିକାର । ତେଣୁ ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁଠାରେ ବାଧାମୁକ୍ତ ପରିବେଶ ସୃଷ୍ଟି ହେବା ଆବଶ୍ୟକ । ରସୁଲପୁର ବ୍ଲକ ପ୍ରଶାସନର ଏହି ପଦକ୍ଷେପ ଦିବ୍ୟାଙ୍ଗଙ୍କ ସମ୍ମାନ, ସ୍ୱାଧୀନତା ଓ ସମାନ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande