
ଜୟପୁର, ୧୬ ଅକ୍ଟୋବର(ହି.ସ.) – କୋରାପୁଟ ଜିଲାରେ ଜଙ୍ଗଲ କ୍ଷୟ , ପରିବେଶ ଦୁଷିତ ଯୋଗୁଁ ଜିଲା ବାସୀ ଆତଙ୍କିତ ହୋଇ ପଡିଛନ୍ତି। ଅବିଭକ୍ତ କୋରାପୁଟ ଜିଲା ଚାରିପଟେ ଥିଲା ଶସ୍ୟଶ୍ୟାମଳା କ୍ଷେତର ପ୍ରାଚୁର୍ଯ୍ୟ। ପରିବେଶ ପ୍ରଦୂଷଣ ଯୋଗୁଁ ଧିରେ ଧିରେ କୋରାପୁଟ ଜିଲାର ଜୟପୁର, ବୈପାରଗୁଡା, ବୋରିଗୁମ୍ମା, ଲମତାପୁଟ, କୋଟପାଡ, କୁନ୍ଦୁରା ସେମିଳିଗୁଡାରେ ଉଭେଇ ଗଲେଣି ଜଳଚର ପ୍ରାଣୀ। ପ୍ରାକୃତିକ ଉପାୟରେ ବିଲ ବାଡ଼ିକୁ ଜଳସେଚିତ କରି ରଖିଥିଲା। ପଟୁ ମିଶା ଏହି ପୌଷ୍ଟିକ ଜଳରେ ଧାନ ବଳଶାଳୀ ହୋଇ ବଢ଼ୁଥିଲା। ପ୍ରଜାତିର ମାଛ ବାଳିଆ, ଶେଉଳ, ଶାଳ, ଆଳି, କାଠି ପୋହଳା, ବାଟା ପୋହଳା, ସେରେଣା, ତୋଡ଼ି, ବମି, ରତା, ମାଗୁର, କଉ, କୋଚିଆ, କେରାଣ୍ଡି, ମହୁରାଡ଼ି, ଜରାଡ଼ି, ଜିମାଣି, ପୋପତା, ଜିଆ, ଗଡ଼ିଶା, ଖଙ୍କାରଖାଇ, ନାହାକା ସିଙ୍ଘି, ଛୋଟ ସିଙ୍ଘି, କିଆ କେରେଣ୍ଡା, ଚାରି ଆଖିଆ, ବାଲି ଗେରେଡ଼ା, କାଳି ପୋଇ, ବଡ଼ ଚୁଙ୍ଗୁଡ଼ି, ଡାଆଁଶା ,ଚୁଙ୍ଗୁଡ଼ି, ଝାଇଁ ଚୁଙ୍ଗୁଡ଼ି, ମାଣ୍ଡିଆ କଙ୍କଡ଼ା, ମାଟିଆ କଙ୍କଡ଼ା, କୁଜି ଗେଣ୍ଡା, ବଡ଼ ଗେଣ୍ଡା, କଇଁଛ ଆଦି ଅନେକ ପ୍ରକାଣ ଜଳଜୀବଙ୍କ ଥିଲା ଜଳ ଭଣ୍ଡାର।। କ୍ଷେତରୁ ମିଳୁଥିଲା ଭାତ ଆଉ ପ୍ରୋଟିନ୍। ବିଲ ମାଟି ଆଡ଼େଇ ଦେଲେ ବାହାରୁଥିଲେ ବଡ଼ ବଡ଼ ଗେଣ୍ଡା ଆଉ କଙ୍କଡ଼ା। ତୋଡ଼ି, କଉ ଭଳି ମାଛ ବି ମିଳୁଥିଲା। ହେଲେ ଶସ୍ୟଶ୍ୟାମଳା କ୍ଷେତ ଏବେ ଖାଁ ଖାଁ। ଧାନ, ବିରି, ମୁଗ ତ ନାହିଁ। ତା’ ସହିତ ଉଭେଇ ଯାଇଛନ୍ତି ବିଲର ସାଥୀ ଗେଣ୍ଡା, କଙ୍କଡ଼ା, ମାଛ। ଘୋର ପ୍ରଦୂଷିତ ଜଳର ଜହର ସମସ୍ତଙ୍କୁ ନିଶ୍ଚିହ୍ନ କରି ଦେଇଛି। ଏପରିକି ମାଟିରୁ ଜିଆନାଳର ମଞ୍ଜି ବି ମାରି ଦେଇଛି । ବର୍ଷା ଦିନେ ଗଙ୍ଗୁଆ ନଦୀ ଓ ଝରଣା ଜଳ କୂଳ ଲଙ୍ଘି କ୍ଷେତକୁ ମାଡ଼ିଯାଏ। ତା’ ସହିତ ମାଛ, କଙ୍କଡ଼ା, ଗେଣ୍ଡା ଅଣ୍ଡା ଦେବା ପାଇଁ କ୍ଷେତ ଭିତରକୁ ମାଡ଼ି ଯାଆନ୍ତି। ଅଣ୍ଡାଦେବା ପରେ ଛୁଆ ଫୁଟନ୍ତି । ଧାନ କ୍ଷେତ ଛୁଆ ମାଛଙ୍କ ନର୍ସରି ପାଲଟି ଯାଏ । ଧାନ ଫୁଲ ଓ ବିଭିନ୍ନ ପ୍ରକାରର ପୋକ ଜୋକ ଖାଇ ୪ ମାସରେ ଛୁଆ ଗୁଡ଼ିକ ବଡ଼ ହୋଇଯାଆନ୍ତି। ପାଣି କମିବା ସହିତ ତାଳ ମିଳାଇ ଅନେକ ମୂଳ ନଦୀ ଝରଣାକୁ ଫେରି ଯାଆନ୍ତି। ହେଲେ ପଙ୍କୁଆ ଜୀବ ଭାବେ ବହୁ ସଂଖ୍ୟକ ତୋଡ଼ି, ଗଡ଼ିଶା, ରତା, ଗେଣ୍ଡା, କଙ୍କଡ଼ା କ୍ଷେତର ହିଡ଼ ଓ ପଙ୍କୁଆ ମାଟିରେ ଲୁଚି ରହିଯାଆନ୍ତି। ମାର୍ଗଶିର, ପୌଷ ମାସରେ ଧାନ ଅମଳ ବେଳ। ଚାଷୀ ଓ ଶ୍ରମିକମାନେ ଦଳ ଦଳ ହୋଇ ଦା’ରେ ଧାନ କାଟି ହଳା ବାନ୍ଧି ଖଳା ବାଡ଼ିକୁ ବୋହି ଆଣନ୍ତି। ବିଲର ଚପଚପିଆ ମାଟିରେ କିଲିବିଲି ହୁଅନ୍ତି ମାଛ ଓ କଙ୍କଡ଼ା। ଯେତେ ବୋହିଲେ ବି ସରେନି। ମାସ ମାସ ଧରି ଘରେ ଘରେ ମାଛ, କଙ୍କଡ଼ାର ସ୍ୱାଦିଷ୍ଟ ଭୋଜନ ଥାଏ। ବର୍ତମାନ ପରିବେଶ ପ୍ରଦୁଷଣ ଯୋଗୁଁ ଗେଣ୍ଡା, କଙ୍କଡ଼ା, ମାଛ ସବୁ ଉଭେଇ ଯାଇଛି । ତେଣୁ ପ୍ରଶାସନ ତରଫରୁ ସଚେତନର ଆବଷଯକତା ରହିଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି