
ପୁରୀ, ୧୬ ଅକ୍ଟୋବର (ହି.ସ.)- ଓଡ଼ିଶାର ଜଣାଶୁଣା ଲେଖକ, କବି, ପ୍ରାବନ୍ଧିକ, ସ୍ତମ୍ଭକାର, ନାଟ୍ୟକାର ଓ ଆଇନଜୀବୀ ଭଗବାନ ଦାଶଙ୍କ ଗତକାଲି ପରଲୋକ ହୋଇଯାଇଛି । ପୁରୀ ଗୁଣ୍ଡିଚା ବିହାର ସ୍ଥିତ ବାସଭବନ ଠାରେ ୭୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ୧୯୫୨ ମସିହା ଫେବୃଆରୀ ୪ ତାରିଖ ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ବିଜୟ ରାମଚନ୍ଦ୍ରପୁର (କୋରଙ୍ଗା) ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ତାଙ୍କର ପ୍ରବନ୍ଧ ଲେଖିବା ଆଗ୍ରହ ରହିଥିଲା । ଜୀବନର ଶେଷ ପର୍ଯ୍ୟନ୍ତ ସମାଜର ମୁଲ୍ଯବୋଧ ଓ ସାମାଜିକ ସ୍ଥିତି ସମ୍ପର୍କରେ ସ୍ତମ୍ବକାର ଭାବେ ବିଭିନ୍ନ ଖବରକାଗଜରେ ତାଙ୍କ ଲେଖା ପ୍ରକାଶିତ ହୋଇଛି । ସେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଅଧିକାରୀ ଭାବେ ଚାକିରି କରି ଅବସର ନେଇଥିଲେ । ସାହିତ୍ଯ ସାଧନା, କବିତା, ଗଳ୍ପ, ପ୍ରବନ୍ଧ ଓ ସ୍ତମ୍ବ ରଚନା ମାଧ୍ୟମରେ ଜନତାଙ୍କୁ ସଚେତନ କରୁଥିଲେ । ତାଙ୍କ କବିତା ସଂକଳନ ସମୟର ସ୍ବରଲିପି, ସମର୍ପଣ, ଗଳ୍ପ ସଙ୍କଳନ ସମୟ ସବୁ ବଦଳାଇ ଦିଏ ଓ ପ୍ରବନ୍ଧ ସଙ୍କଳନ ଜାଣିଲେ ଜିଣିବ ଆଦି ଉଚ୍ଚ ଲେଖା ଯୋଗୁ ସେ ସମାଜରେ ଆଦୃତ ହୋଇଥିଲେ । ତାଙ୍କର ତିନି ଝିଅ ଓ ଏକମାତ୍ର ପୁତ୍ର ସନ୍ତାନ ରହିଛନ୍ତି । ବାସଭବନ ଠାରେ ତାଙ୍କ ଧର୍ମପତ୍ନୀ, ବୋହୁ ନାତି ନାତୁଣୀ, ଝିଅ ଜ୍ଵାଇଁ, ବନ୍ଧୁ ପରିବାର, ଆତ୍ମୀୟସ୍ବଜନ, କବି, ସାହିତ୍ୟିକ, ସାମ୍ବାଦିକ ଓ ଆଇନଜୀବୀଙ୍କ ସମେତ ଆଖପାଖ ଅଞ୍ଚଳର ବୁଦ୍ଧଜୀବୀ ମାନ୍ଯଗଣ୍ଯ ବ୍ଯକ୍ତିମାନେ ତାଙ୍କର ଶେଷ ଦର୍ଶନ କରିଥିଲେ ।
ଗୁରୁବାର ସ୍ବର୍ଗଦ୍ବାର ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁତ୍ର ଚନ୍ଦନ ଦାଶ ମୁଖାଗ୍ନି ଦେଇଥିଲେ । ବନ୍ଧୁ ବାନ୍ଧବ, କୁଟୁମ୍ବ, ସାଙ୍ଗସାଥୀଙ୍କ ସମେତ ଗ୍ରାମ କୋରଙ୍ଗା ଓ ପୁରୀ ସହର ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ