
ଝାରସୁଗୁଡ଼ା, 17 ଅକ୍ଟୋବର (ହି.ସ.)
୩୯ ଦିନର ରିଲେ ଅନଶନ ସ୍ଥଗିତ, ନଭେମ୍ବର ୨୦ ଯାଏଁ ସରକାରଙ୍କୁ ମହଲତ
ଝାରସୁଗୁଡ଼ା ଜିଲ୍ଲାରେ ଉଚ୍ଚଶିକ୍ଷାର ପ୍ରସାର ଓ ଉନ୍ନତ ସ୍ୱାସ୍ଥ୍ୟସେବା ଦାବିରେ ଦୀର୍ଘ ୩୯ ଦିନ ଧରି ଚାଲିଥିବା ରିଲେ ଅନଶନକୁ ସାମୟିକ ଭାବେ ସ୍ଥଗିତ ରଖିଛି ଜିଲ୍ଲା ଛାତ୍ର ସାମ୍ମୁଖ୍ୟ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆଲୋଚନା ଏବଂ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ସଂଗଠନ ନିଷ୍ପତ୍ତି ନେଇଛି। ତେବେ ଏହା ଆନ୍ଦୋଳନର ପରିସମାପ୍ତି ନୁହେଁ, ବରଂ ସରକାରଙ୍କୁ ଦାବି ପୂରଣ ପାଇଁ ଦିଆଯାଇଥିବା ଏକ ସୁଯୋଗ ବୋଲି ସାମ୍ମୁଖ୍ୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଜିଲ୍ଲାର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘଦିନର ସମସ୍ୟାର ସମାଧାନ ଦାବିରେ ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ରିଲେ ଅନଶନ ଚାଲିଥିଲା। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ପ୍ରଦାନ ସହ ଜିଲ୍ଲାରେ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ସାମ୍ମୁଖ୍ୟର ଚାରି ଦଫା ଦାବି ମଧ୍ୟରେ ଝାରସୁଗୁଡ଼ାର ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟକୁ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରଦାନ, ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟକୁ ଇଞ୍ଜିନିୟରିଂ ମହାବିଦ୍ୟାଳୟରେ ପରିଣତ କରିବା, ଉପାନ୍ତ ୧୯ ଖଣ୍ଡ ମୌଜା ଅଞ୍ଚଳରେ ଏକ ସରକାରୀ ଡିଗ୍ରୀ କଲେଜ ସ୍ଥାପନ ଏବଂ ଝାରସୁଗୁଡ଼ାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଅନ୍ତର୍ଭୁକ୍ତ ରହିଛି।
ଏହି ଦାବିଗୁଡ଼ିକର ସମାଧାନ ନେଇ ଅକ୍ଟୋବର ୧୬ ତାରିଖ ରାତି ପ୍ରାୟ ୯ଟାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଛାତ୍ର ସାମ୍ମୁଖ୍ୟର ପ୍ରତିନିଧିମାନଙ୍କର ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଆଲୋଚନାରେ ସାମ୍ମୁଖ୍ୟର ସଭାପତି ଅସୀମ ପଟେଲ, ଉପସଭାପତି ରବି ରୋହିଦାସ ଓ ନନ୍ଦୁ ରୋହିଦାସ, ଛାତ୍ରନେତା ବଳିଷ୍ଠ ପ୍ରଧାନ, ପ୍ରିୟଙ୍କା ମେହେରଙ୍କ ସମେତ ବହୁ ଛାତ୍ରନେତା ଉପସ୍ଥିତ ଥିଲେ।
ସେହିପରି ବିଜେପିର ଝାରସୁଗୁଡ଼ା ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା, ଜିଲ୍ଲା ଓକିଲ ସଂଘର ସଭାପତି ରଘୁମଣି ପଟେଲ, ଆଇନଜୀବୀ ସାଧନା ସାମନ୍ତରାୟ, ସୋଡ଼ାମାଳର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ବଳରାମ ପାଣ୍ଡେ, ରାହୁଲ ରାୟ ଓ ତେଜରାଜ ଲୁହା ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲେ।
ଆଲୋଚନା ସମୟରେ ଦାବିଗୁଡ଼ିକର ପୂରଣ ଦିଗରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଛାତ୍ର ସାମ୍ମୁଖ୍ୟ ନଭେମ୍ବର ୨୦ ପର୍ଯ୍ୟନ୍ତ ରିଲେ ଅନଶନ ସ୍ଥଗିତ ରଖିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ଦିଗରେ ଠୋସ୍ ପଦକ୍ଷେପ ନିଆ ନ ଗଲେ ପୁନର୍ବାର ରିଲେ ଅନଶନ ଆରମ୍ଭ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।
୩୯ ଦିନର ଏହି ଆନ୍ଦୋଳନ ପରେ ଏବେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଓ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଜିଲ୍ଲାର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ଚାରି ଦଫା ଦାବି କେବେ ବାସ୍ତବ ରୂପ ନେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ