ବ୍ରଜରାଜନଗରରେ ରାସ୍ତାରେ ଅଟକାଇ ଲୁଟ୍ ଓ ଆକ୍ରମଣ, ୩ ଗିରଫ
Robbery and Assault After Waylaying a Man on the Road in Brajrajnagar
ବ୍ରଜରାଜନଗରରେ ରାସ୍ତାରେ ଅଟକାଇ ଲୁଟ୍ ଓ ଆକ୍ରମଣ, ୩ ଗିରଫ


ଜଣେ ନାବାଳକ ଆଇନ ବିବାଦରେ; ମୋବାଇଲ, ୬ ହଜାର ଟଙ୍କା ଓ ଲୁହା କଡ଼ା ଜବତ

ଝାରସୁଗୁଡ଼ା, ୧୭ ଅକ୍ଟୋବର (ହି.ସ.): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୁଲିସ ଏକ ଲୁଟ୍ ଓ ଆକ୍ରମଣ ମାମଲାରେ ୩ ଜଣ ଯୁବକଙ୍କୁ ଗିରଫ କରିବା ସହ ଜଣେ ନାବାଳକକୁ ଅଟକ ରଖିଛି। ଅଭିଯୁକ୍ତଙ୍କଠାରୁ ଲୁଟ୍ ହୋଇଥିବା ମୋବାଇଲ ଫୋନ୍, ୬ ହଜାର ଟଙ୍କା ନଗଦ ଏବଂ ଆକ୍ରମଣରେ ବ୍ୟବହୃତ ହୋଇଥିବା ଏକ ଲୁହା କଡ଼ା ଜବତ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ବ୍ରଜରାଜନଗର ଇଟାଭଟା ଅଂଚଳର ବିରଂଚି ପାନ (୩୨)ଙ୍କ ଲିଖିତ ଅଭିଯୋଗ ଆଧାରରେ ବ୍ରଜରାଜନଗର ଥାନାରେ କେସ୍ ନମ୍ବର ୨୪୫, ତାରିଖ ୧୬.୧୦.୨୦୨୬ରେ ବିଏନ୍ଏସ୍ର ଧାରା ୩୦୯(୬)/୩(୫) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।

ଅଭିଯୋଗ ଅନୁସାରେ, ଗତ ୧୬ ତାରିଖ ଅପରାହ୍ନ ପ୍ରାୟ ୨ଟା ସମୟରେ ଅଭିଯୋଗକାରୀଙ୍କ ସାନଭାଇ ବିରବଲ ପାନ ବ୍ରଜରାଜନଗର ବଜାରରୁ ଘରକୁ ଫେରୁଥିବା ବେଳେ ପୁରୁଣା ବସ୍ଷ୍ଟାଣ୍ଡ ଛକ ନିକଟରେ ୪ ଜଣ ତାଙ୍କୁ ଅଟକାଇ ମୋବାଇଲ ଫୋନ୍ ଓ ଟଙ୍କା ମାଗିଥିଲେ। ସେ ବିରୋଧ କରିବାରୁ ଅଭିଯୁକ୍ତମାନେ ଏକ ଲୁହା କଡ଼ାରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା। ତଳେ ପଡ଼ିଯିବା ପରେ ମଧ୍ୟ ତାଙ୍କୁ ମାଡ଼ ମାରି ମୋବାଇଲ ଫୋନ୍ ଓ ୮ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକେ ହସ୍ତକ୍ଷେପ କରିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଆହତ ବିରବଲଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା।

ଘଟଣାର ତଦନ୍ତ ଚାଲିଥିବା ବେଳେ ଆଜି ୧୭ ତାରିଖରେ ବିଶ୍ୱସନୀୟ ସୂଚନା ଆଧାରରେ ବ୍ରଜରାଜନଗର ପୁଲିସ ଏକ ଟିମ୍ ଗଠନ କରି ଚଢ଼ାଉ କରିଥିଲା। ଏହି ମାମଲାରେ ଚୁନାଭଟାର ତୁଷାର ମହାନନ୍ଦ (୧୯), ଟେଲେନପାଲିର ଶ୍ରବଣ ଟାଣ୍ଡି (୨୧) ଓ ମୁକେଶ କୁମ୍ଭାର (୨୦)ଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ନାବାଳକକୁ ମଧ୍ୟ ଧରାଯାଇଛି।

ଅଭିଯୁକ୍ତ ତୁଷାର ମହାନନ୍ଦଙ୍କଠାରୁ ଆକ୍ରମଣରେ ବ୍ୟବହୃତ ଲୁହା କଡ଼ା ଜବତ କରାଯାଇଛି। ଲୁଟ୍ ହୋଇଥିବା ୮ ହଜାର ଟଙ୍କା ମଧ୍ୟରୁ ୬ ହଜାର ଟଙ୍କା ପୁଲିସ ଉଦ୍ଧାର କରିଛି। ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକକୁ ଝାରସୁଗୁଡ଼ା ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande