
ରାଜେଶ-ଲିପୁଙ୍କ ରଣନୀତି ଓ ଗଣେଶ୍ୱରଙ୍କ ଦିଗଦର୍ଶନରେ ଫିକା ପଡ଼ିଲା ଏବିଭିପି ଷ୍ଟ୍ରାଟେଜି
କେନ୍ଦ୍ରାପଡ଼ା, ୧୭ ଅକ୍ଟୋବର(ହି.ସ.) – ରାଜନୈତିକ ତଥା ଐତିହାସିକ ଦୃଷ୍ଟିକୋଣରୁ ସର୍ବଦା ଚର୍ଚ୍ଚାରେ ରହୁଥିବା କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦ(ବିସିଜେଡି) ଏକତରଫା ଓ ଐତିହାସିକ ସଫଳତା ହାସଲ କରିଛି। ମହାବିଦ୍ୟାଳୟର ସମସ୍ତ ପ୍ରମୁଖ ପଦବୀରେ ବିସିଜେଡି ସମର୍ôଥତ ପ୍ରାର୍ଥୀମାନେ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇ ନିଜର ଆଧିପତ୍ୟ ବଜାୟ ରଖିଛନ୍ତି। ଏହି ନିର୍ବାଚନରେ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ଯୁବନେତା ରାଜେଶ ପଣ୍ଡା ଏବଂ ଛାତ୍ରନେତା ଲିପୁ ସାହୁଙ୍କ ସୁଚିନ୍ତିତ ରଣନୀତି ଆଗରେ ବିରୋଧୀ ଏବିଭିପିର ସମସ୍ତ ଯୋଜନା ସମ୍ପୂର୍ଣ୍ଣ ଧୂଳିସାତ ହୋଇଯାଇଛି। ସ୍ଥାନୀୟ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରତ୍ୟକ୍ଷ ଦିଗଦର୍ଶନ ଏବଂ ପ୍ରେରଣା ଏହି ବିଜୟକୁ ଆହୁରି ସୁଗମ କରିଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ତାରିଖ ଘୋଷଣା ହେବା ଦିନରୁ କ୍ୟାମ୍ପସରେ ରାଜନୈତିକ ଉଷ୍ମତା ଚରମ ସୀମାରେ ପହଂଚିଥିଲା। ବିରୋଧୀ ଶିବିର କ୍ୟାମ୍ପସରେ ନିଜ ସ୍ଥିତି ମଜଭୁତ କରିବାକୁ ଜୋରଦାର ଉଦ୍ୟମ କରିଥିଲେ ମଧ୍ୟ ରାଜେଶ ପଣ୍ଡା ଓ ଲିପୁ ସାହୁ ସାଧାରଣ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ କରିଥିଲେ। କ୍ୟାମ୍ପସରେ ଉନ୍ନତ ଶିକ୍ଷାଦାନ, ସୁରକ୍ଷିତ ଏକାଡେମିକ ବାତାବରଣ, ସମୃଦ୍ଧ ପାଠାଗାର ଏବଂ ଛାତ୍ରଛାତ୍ରୀଙ୍କ ମୌଳିକ ସୁବିଧାକୁ ନେଇ ସେମାନେ ପ୍ରଚାର ଚଳାଇଥିଲେ। ପ୍ରତ୍ୟେକ ବିଭାଗ, ଛାତ୍ରାବାସ ତଥା ନବାଗତ +୩ ଛାତ୍ରଛାତ୍ରୀଙ୍କ ସହ ପ୍ରତ୍ୟେକ୍ଷ ସଂପର୍କ ସ୍ଥାପନ କରି ବିଶ୍ୱାସଭାଜନ ହୋଇପାରିଥିଲେ। ରାଜେଶ ପଣ୍ଡାଙ୍କ ପୂର୍ବ ନିର୍ବାଚନ ପରିଚାଳନା ଅଭିଜ୍ଞତା ଏବଂ ଲିପୁ ସାହୁଙ୍କ ସାଂଗଠନିକ ଦକ୍ଷତା ବିସିଜେଡିକୁ ଏକ ମଜଭୁତ ସ୍ଥିତି ପ୍ରଦାନ କରିଥିଲା। ଯୋଗ୍ୟ ଓ ଛାତ୍ରପ୍ରିୟ ପ୍ରାର୍ଥୀ ଚୟନ, ସୂଚାର ପରିଚାଳନାରେ ଶୃଙ୍ଖଳା ଦଳକୁ ଆଗରେ ରଖିଥିଲା। ଅନ୍ୟପକ୍ଷରେ, ବିରୋଧୀ ଶିବିର ଅନ୍ତରୀଣ କନ୍ଦଳ ଓ ଦ୍ୱନ୍ଦ୍ୱରେ ଛନ୍ଦି ହୋଇ ପଡ଼ିଥିବା ବେଳେ ଏହି ଦୁଇ ଯୁବନେତା କର୍ମୀମାନଙ୍କୁ ଏକଜୁଟ କରି ବିଜୟ ନିଶ୍ଚିତ କରିଥିଲେ। ଭୋଟ୍ ଗଣତି ଶେଷ ପରେ ନିର୍ବାଚନ ଅଧିକାରୀ ଫଳାଫଳ ଘୋଷଣା କରିଥିଲେ। ଛାତ୍ର ସଂସଦ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ଯୁଗ୍ମ ସମ୍ପାଦକଙ୍କ ସମେତ ଡ୍ରାମାଟିକ୍, ସ୍ପୋର୍ଟସ ଏବଂ କଲଚରାଲ ସୋସାଇଟି ଭଳି ପ୍ରମୁଖ ପଦବୀଗୁଡ଼ିକରେ ବିସିଜେଡି ପ୍ରାର୍ଥୀମାନେ ରେକର୍ଡ ଭୋଟ୍ରେ ବିଜୟୀ ହୋଇଛନ୍ତି। ବିରୋଧୀ ପ୍ରାର୍ଥୀମାନେ ପ୍ରତ୍ୟେକଟି ଆସନରେ ବହୁ ପଛରେ ରହି ପରାଜୟ ବରଣ କରିଛନ୍ତି। ଫଳାଫଳ ପ୍ରକାଶ ପାଇବା କ୍ଷଣି କ୍ୟାମ୍ପସରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ଛାତ୍ର କର୍ମୀମାନେ ସବୁଜ ଅବିର ବୋଳି, ବାଣ ଫୁଟାଇ ଓ ନାରାବାଜି କରି ବିଜୟ ଉଲ୍ଲାସ ମନାଇଥିଲେ। ବିଜୟୀ ପ୍ରାର୍ଥୀମାନେ ନିଜ ସଫଳତାର ସମସ୍ତ ଶ୍ରେୟ ବିଧାୟକ ଗଣେଶ୍ୱର ବେହେରାଙ୍କ ମାର୍ଗଦର୍ଶନ, ରାଜେଶ ପଣ୍ଡାଙ୍କ ପରିଚାଳନା ଓ ଲିପୁ ସାହୁଙ୍କ ସାଙ୍ଗଠନିକ ଦକ୍ଷତା ଓ ଛାତ୍ର ସମାଜର ଭଲ ପାଇବାକୁ ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜେଶ ଓ ଲିପୁ କହିଛନ୍ତି ଯେ ଏହା କୌଣସି ବ୍ୟକ୍ତିବିଶେଷଙ୍କ ବିଜୟ ନୁହେଁ, ବରଂ କେନ୍ଦ୍ରାପଡ଼ା କଲେଜର ସାଧାରଣ ଛାତ୍ରଛାତ୍ରୀଙ୍କ ଅତୁଟ ଆସ୍ଥାର ପ୍ରତୀକ। କଲେଜର ସାମଗ୍ରିକ ବିକାଶ ଓ ଛାତ୍ର ସ୍ୱାର୍ଥର ସୁରକ୍ଷା ପାଇଁ ବିସିଜେଡି ସର୍ବଦା ଅଙ୍ଗୀକାରବଦ୍ଧ ରହିବ। ଏହି ଏକତରଫା ବିଜୟ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାର ଛାତ୍ର ରାଜନୀତିରେ ବିସିଜେଡିର ସଂଗଠନକୁ ଅଧିକ ସୁଦୃଢ଼ କରିଛି ବୋଲି ଉଭୟ ଲିପୁ ଓ ରାଜେଶ କହିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି