ସାହିକୁ ନାହିଁ ରାସ୍ତା, ଖଟରେ ବୁହା ହେଉଛନ୍ତି ରୋଗୀ: ନିର୍ବାଚନ ବର୍ଜନ ଚେତାବନୀ
ଚମ୍ପୁଆ, 17 ଅକ୍ଟୋବର (ହି.ସ.) ବିଜ୍ଞାନ ଓ ପ୍ରଗତିର ଯୁଗରେ ବି ଅପହଞ୍ଚ ହୋଇ ରହିଛି ମୌଳିକ ସୁବିଧା। ସାହିକୁ ପ୍ରବେଶ କରିବା ପାଇଁ ରାସ୍ତାଟିଏ ନଥିବା ବେଳେ ଅସୁସ୍ଥ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଖଟ ହିଁ ସାଜିଛି ଏକମାତ୍ର ସାହାରା। ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଚମ୍ପୁଆ ଏନ୍ଏସ
ସାହି ରାସ୍ତା ର ଚିତ୍ର


ଚମ୍ପୁଆ, 17 ଅକ୍ଟୋବର (ହି.ସ.) ବିଜ୍ଞାନ ଓ ପ୍ରଗତିର ଯୁଗରେ ବି ଅପହଞ୍ଚ ହୋଇ ରହିଛି ମୌଳିକ ସୁବିଧା। ସାହିକୁ ପ୍ରବେଶ କରିବା ପାଇଁ ରାସ୍ତାଟିଏ ନଥିବା ବେଳେ ଅସୁସ୍ଥ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଖଟ ହିଁ ସାଜିଛି ଏକମାତ୍ର ସାହାରା। ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଗୋଧୂଳୀ ଗ୍ରାମର ମାଛଘାଟ ସାହିରେ। ପ୍ରଶାସନର ଏଭଳି ଅଣଦେଖା ପ୍ରତିବାଦରେ ଏବେ ସ୍ଥାନୀୟ ବାସିନ୍ଦା ଆଗାମୀ ଏନ୍ଏସି ନିର୍ବାଚନରେ ସମୂହ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ମାଛଘାଟ ସାହିରେ ପ୍ରାୟ ୧୮ଟି ପରିବାର ବସବାସ କରନ୍ତି। ଦୀର୍ଘ ଦିନ ଧରି ଏହି ପରିବାରଗୁଡ଼ିକ ଅତି ସାଧାରଣ ଓ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ସାହିକୁ ସଂଯୋଗ କରିବା ପାଇଁ କୌଣସି ପକ୍କା କିମ୍ବା କଞ୍ଚା ରାସ୍ତା ନାହିଁ। ଫଳରେ ଗାଁକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଯାନବାହନ ପ୍ରବେଶ କରିବା ସମ୍ଭବ ହେଉନାହିଁ। କେହି ହଠାତ୍ ଅସୁସ୍ଥ ହେଲେ କିମ୍ବା ଜରୁରୀ ପରିସ୍ଥିତି ଉପୁଜିଲେ, ଗ୍ରାମବାସୀ ବାଧ୍ୟ ହୋଇ ରୋଗୀଙ୍କୁ ଖଟରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଥାନ୍ତି। ଖାଲି ସେତିକି ନୁହେଁ, ସାହିର କୋମଳମତି ସ୍କୁଲ ପିଲାମାନେ ପ୍ରତିଦିନ ବିଲ ହୁଡ଼ା ରାସ୍ତା ଦେଇ ବିପଦପୂର୍ଣ୍ଣ ଭାବେ ବିଦ୍ୟାଳୟକୁ ଯାଉଛନ୍ତି। ବର୍ଷା ଦିନେ ଏହି ସମସ୍ୟା ଆହୁରି ଗମ୍ଭୀର ରୂପ ଧାରଣ କରିଥାଏ।

ଏହି ଚରମ ଦୁର୍ଦ୍ଦଶାରୁ ମୁକ୍ତି ପାଇବା ପାଇଁ ସାହିବାସୀ ବରିଷ୍ଠ କଂଗ୍ରେସ ନେତା ଗୁରୁବକ୍ସ ସିଂ ଆହ୍ଲୁୱାଲୀଆଙ୍କ ନେତୃତ୍ୱରେ ଚମ୍ପୁଆ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦରଖାସ୍ତ ପ୍ରଦାନ କରିଛନ୍ତି। ନିଜର ଦୁଃଖ ଓ କ୍ଷୋଭ ପ୍ରକାଶ କରିବା ସହ ସେମାନେ ପ୍ରଶାସନକୁ ଚେତାଇ ଦେଇଛନ୍ତି ଯେ, ଯଦି ତୁରନ୍ତ ଏହି ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ କରାନଯାଏ, ତେବେ ଆଗାମୀ ଏନ୍ଏସି ନିର୍ବାଚନରେ ମାଛଘାଟ ସାହିର କୌଣସି ବ୍ୟକ୍ତି ମତଦାନ କରିବେ ନାହିଁ ଏବଂ ସମୂହ ଭାବେ ଭୋଟ୍ ବର୍ଜନ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande