
ନୂଆଦିଲ୍ଲୀ, ୧୭ ଅକ୍ଟୋବର (ହି.ସ.) - ଶିଶୁଙ୍କ ପୋଷଣ ସମ୍ବନ୍ଧୀୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଖାଦ୍ୟ ନିୟାମକ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଛଅ ମାସ ପର୍ଯ୍ୟନ୍ତର ଶିଶୁଙ୍କ ଖାଦ୍ୟ ଉତ୍ପାଦରେ ଫ୍ରୁକ୍ଟୋଜ୍ ଏବଂ ସୁକ୍ରୋଜ୍ ମିଶାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛି।
ଏଫଏସଏସଏଆଇ ଶନିବାର ‘ଏକ୍ସ’ରେ ଜାରି ଏକ ପୋଷ୍ଟରେ କହିଛି ଯେ ଛଅ ମାସ ପର୍ଯ୍ୟନ୍ତର ଶିଶୁଙ୍କ ପାଇଁ ତିଆରି ଖାଦ୍ୟ ଉତ୍ପାଦରେ ସୁକ୍ରୋଜ୍ ଏବଂ ଫ୍ରୁକ୍ଟୋଜ୍ ମିଶାଇବା ଉପରେ ରୋକ୍ ଲଗାଇ ଶିଶୁ ପୋଷଣ ମାନକକୁ ଆହୁରି ସୁଦୃଢ଼ କରିବା ପାଇଁ ଏହି ପ୍ରସ୍ତାବ ଦିଆଯାଇଛି।
ନିୟାମକ କହିଛି ଯେ ଖାଦ୍ୟ ସୁରକ୍ଷା ଏବଂ ମାନକ (ଶିଶୁ ପୋଷଣ ପାଇଁ ଖାଦ୍ୟ ପଦାର୍ଥ) ବିନିୟମ, ୨୦୨୦ରେ ସଂଶୋଧନର ଏକ ଚିଠା ପ୍ରକାଶ କରାଯାଇଛି। ଏଥିରେ ଛଅ ମାସ ପର୍ଯ୍ୟନ୍ତ ବୟସର ଶିଶୁଙ୍କ ପାଇଁ ନିର୍ଦ୍ଧାରିତ ଖାଦ୍ୟ ଉତ୍ପାଦରେ ସୁକ୍ରୋଜ୍ ଏବଂ ଫ୍ରୁକ୍ଟୋଜ୍ ମିଶାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି।
ଏଫଏସଏସଏଆଇ କହିଛି ଯେ ଏହି ପ୍ରସ୍ତାବିତ ସଂଶୋଧନର ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କୁ ଅଳ୍ପ ବୟସରୁ ହିଁ ଅତିରିକ୍ତ ଶର୍କରା (ଏଡେଡ୍ ସୁଗାର)ର ସଂସ୍ପର୍ଶରେ ଆସିବାରୁ ରକ୍ଷା କରିବା। ଶିଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ବାଲ୍ୟାବସ୍ଥାରେ ମୋଟାପଣକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଖାଦ୍ୟ ନିୟାମକଙ୍କ ପକ୍ଷରୁ ଭାରତର ରାଜପତ୍ରରେ ୧୬ ଅକ୍ଟୋବରରେ ପ୍ରକାଶିତ ଖାଦ୍ୟ ସୁରକ୍ଷା ଏବଂ ମାନକ (ଶିଶୁ ପୋଷଣ ପାଇଁ ଖାଦ୍ୟ ପଦାର୍ଥ) ସଂଶୋଧନ ବିନିୟମ, ୨୦୨୬ର ଚିଠାର ଉଦ୍ଦେଶ୍ୟ ହେଉଛି ବର୍ତମାନର ନିୟାମକ ଢାଂଚାକୁ ଆହୁରି ସୁଦୃଢ଼ କରିବା। ବର୍ତମାନର ବିନିୟମଗୁଡ଼ିକରେ ଜନ୍ମରୁ ୨୪ ମାସ ପର୍ଯ୍ୟନ୍ତର ଶିଶୁଙ୍କ ପାଇଁ ନିର୍ଦ୍ଧାରିତ ବିଭିନ୍ନ ବର୍ଗର ଶିଶୁ ପୋଷଣ ଉତ୍ପାଦଗୁଡ଼ିକର ପୋଷଣ ଗଠନ, ଗୁଣବତା ଏବଂ ସୁରକ୍ଷା ପାଇଁ ବ୍ୟାପକ ମାନକ ନିର୍ଦ୍ଧାରଣ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଖାଦ୍ୟ ସୁରକ୍ଷା ଏବଂ ମାନକର ବର୍ତମାନର ବ୍ୟବସ୍ଥା ଅନୁଯାୟୀ ଲାକ୍ଟୋଜ୍ ଏବଂ ଗ୍ଲୁକୋଜ୍ ପଲିମର କାର୍ବୋହାଇଡ୍ରେଟ୍ର ପସନ୍ଦଯୋଗ୍ୟ ଉତ୍ସ ଅଟନ୍ତି, ଯେତେବେଳେ କି ସୁକ୍ରୋଜ୍ କିମ୍ବା ଫ୍ରୁକ୍ଟୋଜ୍କୁ ନିର୍ଦ୍ଧାରିତ ସୀମା ଅଧୀନରେ କେବଳ ସେତେବେଳେ ମିଶାଇବାକୁ ଅନୁମତି ଦିଆଯାଏ, ଯେତେବେଳେ କାର୍ବୋହାଇଡ୍ରେଟ୍ର ଉତ୍ସ ଭାବେ ସେଗୁଡ଼ିକର ଆବଶ୍ୟକତା ଥାଏ।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ