
ସମ୍ବଲପୁର, ୧୭ ଅକ୍ଟୋବର(ହି.ସ.) – ରାଜ୍ୟ ସରକାରଙ୍କ ରାଜକୋଷକୁ ସର୍ବାଧିକ ରାଜସ୍ୱ ଅବକାରୀ ବିଭାଗରୁ ହିଁ ସଂଗୃହିତ ହେଉଛି। ଏଥିପାଇଁ ରାଜ୍ୟ ସରକାର ମଦ ବିକ୍ରି ପାଇଁ କଡ଼ା କଟକଣାରେ ତଥା ମୋଟା ଅଙ୍କର ଅର୍ଥ ଜିମା ନେଇ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମଦ ଦୋକାନ ପାଇଁ ଲାଇସେନ୍ସ ପ୍ରଦାନ କରିଥାଆନ୍ତି। ଚଳିତ ଋତୁରେ ସମଗ୍ର ରାଜ୍ୟରେ ସରକାରଙ୍କ ନୂଆନୂଆ ନୀତି ନିୟମରେ ବହୁ ଓଡ଼ିଆ ମଦ ବ୍ୟବସାୟୀ ଲାଇସେନ୍ସ ପାଇବାରେ ହତାଶ ହୋଇ ପଡ଼ିଥିବା ବେଳେ ସର୍ବାଧିକ ଅର୍ଥ ଜିମାକରି ସର୍ବାଧିକ କାଉଂଟର ପାଇଁ ଲାଇସେନ୍ସ ଆବେଦନ କରିଥିବା ବ୍ୟବସାୟୀଙ୍କ ମଧ୍ୟରେ ଅଣ ଓଡିଆ ପଡୋଶୀ ବିହାର ରାଜ୍ୟର ପୋଖତ ମଦବିକ୍ରେତା ମାନେ ରାଜ୍ୟର ବିଭିନ୍ନ କାଉଂଟର ପାଇଁ ଲାଇସେନ୍ସ ପାଇବାରେ ସଫଳ ହୋଇଥିବା ଦେଖାଯାଇଛି।
ଅବକାରୀ ବିଭାଗ ମଦ ବିକିବା ପାଇଁ ନିର୍ଦ୍ଧିଷ୍ଟ ନୀତି ନିୟମ ମଧ୍ୟ ଧାର୍ଯ୍ୟ କରିଛନ୍ତି। କେବଳ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ହିଁ ନିର୍ଦ୍ଧିଷ୍ଟ କାଉଂଟରରେ ମଦ ବିକ୍ରି କରି ପାରିବ। ମାତ୍ର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ଭଳି ଅଂଚଳରେ ଶତାଧିକ ସ୍ଥାନରେ ଖୁଲମ ଖୁଲା ବିଦେଶୀ ମଦ ବିକ୍ରି ହେଉଥିବା ଘଟଣା ସାଧାରଣରେ ଲୋକଙ୍କୁ ଚକିତ କରାଇଛି। ପୁରୁଣା ସରକାର ବଦଳିବା ପରେ ନୂତନ ସରକାର ନୂତନ ନୀତି ନିୟମ ଲାଗୁ କରି ସମଗ୍ର ରାଜ୍ୟରେ ଲାଇସେନ୍ସ ନବୀକରଣ ଓ ନୂଆ ନୂଆ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ କରିଛନ୍ତି। ତଦନୁସାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକରେ ଏବେ ଜଣେ ନୂତନ ଭାବେ ଲାଇସେନ୍ସ ପାଇଁ ମଦ ବିକ୍ରି କରୁଛନ୍ତି। ମାତ୍ର ଏବେ ଏହି ମଦ କାଉଂଟରକୁ ନେଇ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ବିଭିନ୍ନ ସମୟରେ ଏହି ମଦ ଦୋକାନରୁ ୧୮ ବର୍ଷରୁ କମ୍ ବାଳକ ମାନେ ମଦ କିଣୁଥିବା ଦେଖିବାକୁ ମିଳୁଥିବା ବେଳେ ବିଭିନ୍ନ ସମୟରେ ଧାର୍ଯ୍ୟଦର ଠାରୁ ମାତ୍ରାଧିକ ଅର୍ଥ ଶୋଷଣ କରୁଥିବା ନେଇ ଗ୍ରାହକ ଓ ମଦ ବିକ୍ରେତାଙ୍କ ମଧ୍ୟରେ ବଚସା ଓ ହାତ ଉଠାଉଠି ହେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ସେହିପରି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ମଦ ବିକ୍ରିରେ କୋଣସି ଅସୁବିଧା ନଥିଲେ ମଧ୍ୟ ଏହି ବିଦେଶୀ ମଦ ଦୋକାନରୁ ଶହଶହ ସଂଖ୍ୟାରେ କୁଚିଆ ଏବଂ ରାସ୍ତା ପାର୍ଶ୍ୱରେ ଥିବା ଢ଼ାବା ଗୁଡିକୁ ପର୍ଯ୍ୟାପ୍ତ ପରିମାଣର ମଦ ଚାଲାଣ ହେବା ଘଟଣାକୁ ନେଇ ଏବେ ତୀବ୍ର ଜନ ଅସନ୍ତୋଷ ମୁଣ୍ଡ ଟେକିଛି। ସୁସ୍ଥ ସମାଜ ଗଠନ ପାଇଁ ଗୋଟିଏ ପଟେ ନିଶା ନିବାରଣ ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ କୁଚିଣ୍ଡା ଭଳି ଅଂଚଳ ଓ ଏହାର ଆଖପାଖ ଅନେକ ଗ୍ରାମରେ ଅବାଧରେ ବିଦେଶୀ ମଦ ବିକ୍ରି କରାଯିବା ସମ୍ପ୍ରତି ନିଶା ନିବାରଣ ସଚେତନତା ପ୍ରତି ଶକ୍ତ ଉପହାସ ପାଲଟିଛି। ପ୍ରତ୍ୟେକ ଗାଁ ଗହଳିରେ ନିବ୍ ଗୋଟା ୨୫୦ ଟଙ୍କାରୁ ୨୭୦ ଓ ୩ ଶହ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି । ଅପରପକ୍ଷରେ କାଉଣ୍ଟରରୁ ଗ୍ରାହକ କିଣିବା ଅପେକ୍ଷା କିଛି କୁଚିଆଙ୍କୁ ହାତବାରିସୀ କରି ବିଭିନ୍ନ ଗାଁ ଗହଳିରେ ମଦ ବିକ୍ରି ପାଇଁ ଲାଇସେନ୍ସ ଧାରୀ ବ୍ୟବସାୟୀ ଜଣଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଉତ୍ସାହିତ କରାଇବା ଅଭିଯୋଗ ହେଉଛି । ଯାହା ଫଳରେ ସମଗ୍ର ସମ୍ବଲପୁର ଜିଲ୍ଲାର ମଦ୍ୟପଙ୍କ ସଂଖ୍ୟା ଅନୁପାତରେ କୁଚିଣ୍ଡା ଓ ଏହାର ଆଖପାଖ ଅଂଚଳ ଏକ କୁଖ୍ୟାତ ମାନ୍ୟତା ହାସଲ କରିବାକୁ ଯାଉଛି। ଏହି ଘଟଣାକୁ ନେଇ କୁଚିଣ୍ଡା ଅଂଚଳର କିଛି ସଚେତନ, ବରିଷ୍ଠ ନାଗରିକ ଓ କିଛି ଗଣମାଧ୍ୟମ ପ୍ରତିନିଧି ସମ୍ବଲପୁର ଜିଲ୍ଲା ଆସିଷ୍ଟାଂଟ ଅବକାରୀ ଅଧିକାରୀ କୈଳାଶ ଦେହୁରୀଙ୍କ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଅଭିଯୋଗ ବାଢ଼ିଥିଲେ। ମାତ୍ର ଦୁର୍ଭାଗ୍ୟ, ଏଦିଗରେ ଅବକାରୀ ଅଧିକାରୀ ଜଣଙ୍କ ତଦନ୍ତ ବା କାର୍ଯ୍ୟାନୁଷ୍ଠାନର କୌଣସି ପ୍ରତିଶ୍ରୁତି ଦେବା ହଠାତ୍ ଉତେଜିତ ହୋଇ ପଡିଥିଲେ। ଏପରିକି ଯଦି ଆପଣମାନଙ୍କ ମଧ୍ୟରୁ କେହି ଜଣେ କୁଚିଆ ଦ୍ୱାରା ଓ ଢାବାକୁ ମଦ ଚାଲାଣ ବେଳେ ଧରାଇଦେବ ତେବେ କିଛି କରିହେବ। ଯେତେବେଳେ ମଦ ଚୋରା ଚାଲାଣ ହେଉଥିବ ସେତେବେଳେ ଖବର କଲେ ଆମେ ଘଟଣାର ଯାଂଚ କରିବୁ ବୋଲି ଅତି ତାଚ୍ଛଲ୍ୟ ମୁଦ୍ରାରେ କହିଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ମାନେ କହିଛନ୍ତି ବେଆଇନ ମଦ ଚୋରା କାରବାରରେ ମୋଟା ଅଙ୍କର କମିଶନୀ ମିଳୁଥିବା ଯୋଗୁଁ ବହୁ ଅସାମାଜିକ ଓ ଅପରାଧୀ ଗୋଷ୍ଠୀର ଯୁବକ ମାନେ ଏଥିରେ ସମ୍ପୃକ୍ତ ରହୁଛନ୍ତି। ଆମେ ଅବକାରୀ ବିଭାଗର ଜଣେ ସଚ୍ଚୋଟ ଅଧିକାରୀ ଭାବେ କୈଳାଶ ଦେହୁରୀଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଷ୍ଟି ଆକର୍ଷଣ କରାଇଥିଲୁ। ମାତ୍ର ଅଧିକାରୀ ଜଣଙ୍କ ଚୋରା ମଦ କାରବାର ରୋକିବା ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ଇଙ୍ଗିତରେ ଏଭଳି ଅଭିଯୋଗରୁ ଦୂରେଇ ରହିବା ପାଇଁ ଯେଉ ପରୋକ୍ଷରେ ସୂଚିତ କରାଇଛନ୍ତି ତାହା ସମଗ୍ର କୁଚିଣ୍ଡା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଦିଗରେ ଜିଲ୍ଲା ଅବକାରୀ ବିଭାଗ କୌଣସି ତଦନ୍ତ ବା କାର୍ଯ୍ୟାନୁଷ୍ଠାନ ଗହଣ ନକଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଆବଶ୍ୟକତା ପଡ଼ିଲେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ