
ଜୟପୁର, ୧୭ ଅକ୍ଟୋବର (ହି.ସ.)- ସ୍ୱତନ୍ତ୍ର ଅଭିଯାନ ୬.୦ ଅନ୍ତର୍ଗତ ରାୟଗଡ଼ା ରେଳ ମଣ୍ଡଳର ବିଭିନ୍ନ ସ୍ଥାନରେ ରେଳ ଜନ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯାତ୍ରୀଙ୍କ ସହ ସିଧାସଳଖ ଆଲୋଚନା, ଯାତ୍ରା ସମୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ବୁଝିବା ଏବଂ ରେଳ ସେବାର ଉନ୍ନତି ପାଇଁ ସେମାନଙ୍କର ମୂଲ୍ୟବାନ ମତାମତ ଓ ପରାମର୍ଶ ସଂଗ୍ରହ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମ ସମୟରେ ବିଶେଷକରି ଯୁବ ଯାତ୍ରୀମାନଙ୍କ ସହ ଆଲୋଚନା କରାଯାଇ ସେମାନଙ୍କ ରେଳଯାତ୍ରା ସମୟରେ ହେଉଥିବା ଅସୁବିଧା ଓ ଆବଶ୍ୟକତା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଯାତ୍ରୀମାନଙ୍କ ମତାମତ ଓ ପରାମର୍ଶ ଜାଣିବା ପାଇଁ ମତାମତ ଫର୍ମ ବଣ୍ଟନ କରାଯାଇଥିଲା। ଏହା ମାଧ୍ୟମରେ ଯାତ୍ରୀଙ୍କ ସମସ୍ୟା, ଆଶା ଓ ଆବଶ୍ୟକତା ସମ୍ପର୍କରେ ରେଳ ଅଧିକାରୀମାନେ ଅବଗତ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ରେଳ ଷ୍ଟେସନ ଓ ଟ୍ରେନ୍ ରେ ସ୍ୱଚ୍ଛତା ବଜାୟ ରଖିବାର ଗୁରୁତ୍ୱ ସମ୍ପର୍କରେ ଯାତ୍ରୀ ଓ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। ଆବର୍ଜନାର ଉପଯୁକ୍ତ ପୃଥକୀକରଣ, ଦାୟିତ୍ୱପୂର୍ଣ୍ଣ ଆବର୍ଜନା ନିଷ୍କାସନ ଏବଂ ଏକ ସ୍ୱଚ୍ଛ, ସ୍ୱାସ୍ଥ୍ୟକର ଓ ସୁନ୍ଦର ରେଳ ପରିବେଶ ବଜାୟ ରଖିବାରେ ଯାତ୍ରୀମାନଙ୍କ ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା।ରାୟଗଡ଼ା ରେଳ ମଣ୍ଡଳର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡା. ସଞ୍ଜୀବ କୁମାର ସାହୁ ରାୟଗଡ଼ା, କୋରାପୁଟ, ଜଗଦଲପୁର ଓ ଆରାକୁଠାରେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକର ନେତୃତ୍ୱ ନେଇଥିବା ବେଳେ ସହକାରୀ ମଣ୍ଡଳ ଯାନ୍ତ୍ରିକ ଇଞ୍ଜିନିୟର/କୋରାପୁଟ ରମେଶ ବାବୁ ପୋଟଲୁରୀ ଏବଂ ସମ୍ପୃକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ନିରୀକ୍ଷକମାନେ ଏହି କାର୍ଯ୍ୟକ୍ରମ ଗୁଡିକୁ ସଂଯୋଜନା କରିଥିଲେ। ଯାତ୍ରୀମାନଙ୍କ ସହ ଆଲୋଚନା କରି ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଏହି ଅଭିଯାନରେ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରାଯାଇଥିଲା । ଏହି ପଦକ୍ଷେପ ମାଧ୍ୟମରେ ରାୟଗଡ଼ା ରେଳ ମଣ୍ଡଳ ଯାତ୍ରୀଙ୍କ ସହ ନିରନ୍ତର ସମ୍ପର୍କ ସ୍ଥାପନ, ଉତ୍ତମ ସେବା ପ୍ରଦାନ ଏବଂ ରେଳ ପରିଚାଳନାର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି। ରେଳ ଷ୍ଟେସନ ଓ ଟ୍ରେନ୍ କୁ ସ୍ୱଚ୍ଛ ଏବଂ ସ୍ୱାସ୍ଥ୍ୟକର ରଖିବା ପାଇଁ ଯାତ୍ରୀମାନେ ନିଜର ମତାମତ ଦେବା ସହ ସକ୍ରିୟ ସହଯୋଗ କରିବାକୁ ମଣ୍ଡଳ ପକ୍ଷରୁ ଆହ୍ୱାନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି