ବନ୍ଦ ଘରେ କଳାକନା ବୁଲାଇଲେ ଚୋର, ୯ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଲୁଟ୍
Theft from closed house
ବନ୍ଦ ଘରେ କଳାକନା ବୁଲାଇଲେ ଚୋର, ୯ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଲୁଟ୍


ଝାରସୁଗୁଡ଼ା, ୧୭ ଅକ୍ଟୋବର (ହି.ସ.) ଘରେ ତାଲା ପକାଇ ଗାଁକୁ ଯାଇଥିବା ବେଳେ ଚୋରିର ଶିକାର ହୋଇଛନ୍ତି ଜଣେ ମହିଳା। ଝାରସୁଗୁଡ଼ା ସହରର ସରସ୍ୱତୀ ନଗରସ୍ଥିତ ବୃନ୍ଦାବନ କଲୋନୀରେ ଏହି ଚୋରି ଘଟଣା ଘଟିଛି। ଦୁର୍ବୃତ୍ତମାନେ ଘରର ମୁଖ୍ୟ ଫାଟକ ଓ ଆଲମାରିର ତାଲା ଭାଙ୍ଗି ସୁନା, ରୁପା ଅଳଙ୍କାର ସମେତ ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି। ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୯,୫୦୦ ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ବୃନ୍ଦାବନ କଲୋନୀର ସଙ୍ଗ୍ରାମ କେଶରୀ ପଟେଲଙ୍କ ପତ୍ନୀ ହରିପ୍ରିୟା ନାଏକ (୩୮) ଗତ ୧୫ ତାରିଖ ସକାଳ ପ୍ରାୟ ୫ଟା ୩୦ ମିନିଟ୍ରେ ଘରର ମୁଖ୍ୟ ଫାଟକରେ ତାଲା ପକାଇ ନିଜ ଗାଁ ମୁଣ୍ଡାଗାଁକୁ ଯାଇଥିଲେ। ପରଦିନ ଅର୍ଥାତ୍ ୧୬ ତାରିଖ ସକାଳ ପ୍ରାୟ ୯ଟା ୩୦ ମିନିଟ୍ରେ ଘରକୁ ଫେରିବା ପରେ ଫାଟକ ଓ ଘରର କବାଟ ଭଙ୍ଗା ଯାଇଥିବା ଦେଖିଥିଲେ। ଏହାସହ ଆଲମାରିର ତାଲା ମଧ୍ୟ ଭଙ୍ଗା ଯାଇଥିଲା।

ଯାଞ୍ଚ କରିବା ପରେ ତିନୋଟି ସୁନା ପାଣି ଚଢ଼ା ହାର, ପ୍ରତ୍ୟେକଟିରେ ପ୍ରାୟ ଏକ ଗ୍ରାମ ସୁନା ଥିବା, ରୁପା କାନଫୁଲ, ମୋତି ହାର, ରୁପା ମୁଦି, ଗୋଟିଏ ସୁନା ଲକେଟ୍, ନଗଦ ୧,୦୦୦ ଟଙ୍କା, ଗୋଟିଏ ଭ୍ୟାନିଟି ବ୍ୟାଗ୍ ଓ ମନିପର୍ସ ଆଦି ଚୋରି ହୋଇଥିବା ଜଣାପଡ଼ିଥିଲା।

ଏନେଇ ହରିପ୍ରିୟା ୧୬ ତାରିଖ ରାତି ୧୧ଟା ୪୩ ମିନିଟ୍ରେ ଝାରସୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଝାରସୁଗୁଡ଼ା ଥାନା ପୁଲିସ କେସ୍ ନମ୍ବର ୫୬୩, ତାରିଖ ୧୬.୧୦.୨୦୨୬ରେ ବିଏନ୍ଏସ୍ର ଧାରା ୩୩୧(୪)/୩୦୫(ଏ) ଅନୁଯାୟୀ ମାମଲା ରୁଜୁ କରିଛି। ଏସ୍ଆଇ ଆର୍. ଖଟୋଇଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଘଟଣାରେ ସମ୍ପୃକ୍ତ ଅଜଣା ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ତଦନ୍ତ ଚଳାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande