କୋଟିଆ ପଛେ ଯାଉ, ମୋଦିଙ୍କ ଆସନ ସୁରକ୍ଷିତ ରହୁ; ଏହା କ’ଣ ଓଡ଼ିଆ ଅସ୍ମିତା – ରାଜ୍ୟ କଂଗ୍ରେସ
କୋଟିଆ ପ୍ରସଙ୍ଗରେ ମୋହନ ମାଝୀ ନିରବ କାହିଁକି? ରାଜ୍ୟ କଂଗ୍ରେସ ଭୁବନେଶ୍ୱର ୧୭ଅକ୍ଟୋବର (ହି.ସ) ଗତ ୧୪ ତାରିଖ ଦିନ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବାପରେ କୋଟିଆ ପ୍ରସଙ୍ଗ ଏକ ବଡ଼ ପ୍ରସଙ୍ଗ ହୋଇ ଛିଡ଼ା ହୋଇଛି । ଆନ୍ଧ୍ର ସରକାରଙ୍କର ପାର୍ବତୀପୁରମ ମାନ୍ୟମ ନୂଆ ଜିଲ୍ଲାର ଅଧିକାରୀମାନ
କୋଟିଆ ପଛେ ଯାଉ, ମୋଦିଙ୍କ ଆସନ ସୁରକ୍ଷିତ ରହୁ; ଏହା କ’ଣ ଓଡ଼ିଆ ଅସ୍ମିତା – ରାଜ୍ୟ କଂଗ୍ରେସ


କୋଟିଆ ପ୍ରସଙ୍ଗରେ ମୋହନ ମାଝୀ ନିରବ କାହିଁକି? ରାଜ୍ୟ କଂଗ୍ରେସ

ଭୁବନେଶ୍ୱର ୧୭ଅକ୍ଟୋବର (ହି.ସ) ଗତ ୧୪ ତାରିଖ ଦିନ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବାପରେ କୋଟିଆ ପ୍ରସଙ୍ଗ ଏକ ବଡ଼ ପ୍ରସଙ୍ଗ ହୋଇ ଛିଡ଼ା ହୋଇଛି । ଆନ୍ଧ୍ର ସରକାରଙ୍କର ପାର୍ବତୀପୁରମ ମାନ୍ୟମ ନୂଆ ଜିଲ୍ଲାର ଅଧିକାରୀମାନେ କୋଟିଆ ଅଞ୍ଚଳରେ ପ୍ରବେଶକରି ପଞ୍ଚାୟତ ନିର୍ବାଚନ କରିବାପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏ ଘଟଣା ଜାଣିଲାପରେ ମଧ୍ୟ ରାଜ୍ୟ ସରକାର ଯେଉଁଭଳି ଭାବରେ ତତ୍ପରତା ଦେଖାଇବା କଥା ତାହା ଦେଖାଉନାହାନ୍ତି । ଆମ ନିଜ ଅଞ୍ଚଳ ଓ ନିଜ ଜମିକୁ ଆନ୍ଧ୍ର ସରକାର ଅନୁପ୍ରବେଶ କରି ହାତ କରିନେବାକୁ ବସିଥିବା ବେଳେ ରାଜ୍ୟର ଡବଲ ଇଞ୍ଜିନ ସରକାର ଏବଂ ଖୋଦ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ସଂପୂର୍ଣ୍ଣ ନିରବତା ଏ ସରକାରର ମୁଖା ଖୋଲି ଦେଇଛି । ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ମିଡିଆ ବିଭାଗର ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ କହିଲେ ଯେ ଡବଲ ଇଞ୍ଜିନ ସରକାର ଓଡ଼ିଶାର ଜମି ଓ ଜନସାଧାରଣଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି । ଓଡ଼ିଆ ଅସ୍ମିତା ନାରେ ଆସିଥିବା ସରକାର ଓଡ଼ିଶାର ବହୁ ବଡ଼ ବଡ଼ ପ୍ରସଙ୍ଗ ଯଥା ପୋଲାବରମ, ଇଷ୍ଟକୋଷ୍ଟ ରେଲୱେ, ଏମଏମଡିଆର ପ୍ରସଙ୍ଗ ଉପରେ ସରକାର ଦଳର ବିଧାୟକ, ନେତା ଏବଂ ସାଂସଦମାନେ ସଂପୂର୍ଣ୍ଣ ଚୁପ । ଆନ୍ଧ୍ରକୁ ଓଡ଼ିଶା ସରକାର କାହିଁକି ଏତେ ଡରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଦାସ କୋଟିଆ ପ୍ରସଙ୍ଗରେ କୋଟିଆ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ହସ୍ତକ୍ଷେପ କରିବାପାଇଁ କହିବା ପରେ ମଧ୍ୟ ଏହାକୁ ସରକାର ସଂପୂର୍ଣ୍ଣ ରୂପେ ଏଡ଼ାଇ ଦେଇଛନ୍ତି । ଶନିବାର ଅପରାହ୍ନରେ କଂଗ୍ରେସ ନେତାମାନେ କୋଟିଆ ଗସ୍ତ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ସାମ୍ବାଦିକ ମାନଙ୍କୁ କହିଲେ ଯେ ୧୯୩୬ ମସିହାରେ ଓଡ଼ିଶା ଭାରତ ବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ସୃଷ୍ଟି ହେଲା । ଏହା ପୂର୍ବରୁ କୋଟିଆ ଅଞ୍ଚଳ ଜୟପୁର ଇଷ୍ଟେଟ ଅଧିନରେ ଥିଲା । ସ୍ୱାଧୀନତା ପ୍ରାପ୍ତି ପରେ ଏହି ଅଞ୍ଚଳ ଓଡ଼ିଶାର ଅବିଛେଦ୍ୟ ଅଙ୍ଗ ରୂପେ ପରିଗଣିତ ହେଲା । କିନ୍ତୁ ୧୯୫୫ ମସିହାରେ ଆନ୍ଧ୍ରପ୍ରଦେଶ ଏକ ରାଜ୍ୟର ମାନ୍ୟତା ପାଇଲା । ଓଡ଼ିଶାର ୧୯ ବର୍ଷପରେ ଆନ୍ଧ୍ରପ୍ରଦେଶର ଜନ୍ମ। କିନ୍ତୁ ଆନ୍ଧ୍ରପ୍ରଦେଶ ସରକାର କୋଟିଆକୁ ନିଜ ଅଞ୍ଚଳ ରୂପେ ଦାବି କରିବାକୁ ଓଡ଼ିଶା କେବେ ଗ୍ରହଣ କରିନାହିଁ । ଓଡ଼ିଶାର ସରକାର ଆନ୍ଧ୍ରପ୍ରଦେଶର ଏହି ଅନୁପ୍ରବେଶକୁ ବିରୋଧ କରି ୧୯୬୦ ମସିହାରେ ମାନ୍ୟବର ସୁପ୍ରିମକୋର୍ଟରେ ଏହି ଘଟଣାକୁ ନେଇ କେସ ଦାୟର କରିଥିଲେ । ସେହି ଦିନ ଠାରୁ ସୁପ୍ରିମକୋର୍ଟ ଆନ୍ଧ୍ରର ଅନୁପ୍ରବେଶକୁ ରୋକିବାପାଇଁ ଇଞ୍ଜକସନ ଜାରି କରିଥିଲେ । ଆନ୍ଧ୍ରପ୍ରଦେଶର କୋଟିଆ ଅଞ୍ଚଳ ପ୍ରତି ଯେଉଁ ଲୋଲୁପ ଦୃଷ୍ଟି ପଡ଼ିଛି, ତାର ମୁଖ୍ୟ କାରଣ ହେଲା କୋଟିଆ ଅଞ୍ଚଳର ମାଟି ତଳେ ବହୁ ମୂଲ୍ୟବାନ ଖଣିଜ ସମ୍ପଦ ଯଥା ସୁନା, ବକ୍ସସାଇଡ, ଗ୍ରାଫାଇଟ, ଚୂନ ପଥର, ମାଙ୍ଗାନିଜ ଏପିରିକି ହୀରା ବହୁ ପରିମାଣରେ ଗଛିତ ରହିଥିବାର ଅନୁସନ୍ଧାନନରୁ ଜଣାପଡ଼ିବା ପରେ ଏହିସବୁ ଖଣିଜ ପଦାର୍ଥକୁ ଲୁଟ କରିବାପାଇଁ ଆନ୍ଧ୍ରପ୍ରଦେଶ ସରକାର ବାରମ୍ବାର କୋଟିଆ ଅଞ୍ଚଳକୁ ଅନୁପ୍ରବେଶ କରି ବିବାଦ ସୃଷ୍ଟି କରୁଛନ୍ତି । ୨୦୨୩ ମସିହାରେ କୋଟିଆ ଅଞ୍ଚଳରର ଅନୁପ୍ରବେଶକୁ ସେତେବେଳେ ରାଜ୍ୟ ବିଜେପିର ବରିଷ୍ଠ ନେତମାନେ ଗସ୍ତକରି ବିରୋଧ କରିଥିଲେ । କିନ୍ତୁ ରାଜ୍ୟରେ ବିଜେପି ସରକାର ହେଲାପରେ କାହିଁକି କୋଟିଆ ପ୍ରସଙ୍ଗକୁ ନେଇ ସରକାର ସଂପୂର୍ଣ୍ଣ ଚୁପ । ଏପରିକି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପାଟି ଖୋଲୁ ନାହାନ୍ତି ତାର ମୁଖ୍ୟ କାରଣ ହେଲା ଟିଡିପି ଏନଡିଏ ମେଣ୍ଟର ଏକ ବଡ ଅଂଶୀଦାର । ଟିଡିପି ସହାୟତାରେ କେନ୍ଦ୍ରରେ ମୋଦି ସରକାର ଚାଲିଛି । ଯଦି ଆନ୍ଧ୍ର ସରକାରଙ୍କର କୋଟିଆ ଅନୁପ୍ରବେଶକୁ ଓଡ଼ିଶା ସରକାର ବିରୋଧ କରିବେ ହୁଏତ ଚନ୍ଦ୍ରବାବୁ ନାଇଡୁ ଏନଡିଏ ମେଣ୍ଟରୁ ବାହାରି ଯିବାର ଭୟ ଖୋଦ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଘାରିଛି କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ନିଜ ରାଜ୍ୟର ନିଜ ଅଞ୍ଚଳ ଚାଲିଯାଉ କିିନ୍ତୁ କେନ୍ଦ୍ରରେ ମୋଦି ସରକାର ରହୁ ଏହି ନ୍ୟାୟରେ ମୋହନ ସରକାର ବୋଧହୁଏ ଚୁପ ରହିଛନ୍ତି । ଏହା କ’ଣ ଓଡ଼ିଆ ଅସ୍ମିତା କି? ଡବଲଇଞ୍ଜିନ ସରକାର ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରିବା ପରିବର୍ତ୍ତେ ଓଡ଼ିଶା ସ୍ୱାର୍ଥ ବିରୋଧି କାମ କରୁଛଡ଼ନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟ କଂଗ୍ରେସ କୋଟିଆ ପ୍ରସଙ୍ଗରେ କେବେ ଚୁପ ବସିନାହିଁ ବସିବ ମଧ୍ୟ ନାହିଁ ବୋଲି ସେ ସରକାରଙ୍କୁ ଚେତେଇ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande