
ଅମୂଳକ ଉଚ୍ଚାରଣ ଆପଣଙ୍କ ଛବିକୁ ମଳିନ କରୁଛି- ସୂର୍ଯ୍ୟବଂଶୀ
ଭୁବନେଶ୍ୱର, 17 ଅକ୍ଟୋବର (ହି.ସ.)- ଛାତ୍ର ସଂସଦ ନିର୍ବାଚନ
ନେଇ ବିରୋଧୀ ଦଳ ନେତାଙ୍କ ବୟାନକୁ ନିନ୍ଦା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ
ସୂରଜ । ସେ କହିଛନ୍ତି ଯେ, ଓଡ଼ିଶାରେ ଦୁଇ ଦିନ ତଳେ ଛାତ୍ର ସଂସଦ ନିର୍ବାଚନ ଶେଷ
ହୋଇଛି, ଯାହା ଗତ ୮ ବର୍ଷ ଧରି ହୋଇପାରୁନଥିଲା । ଛାତ୍ର ସଂସଦ ନିର୍ବାଚନକୁ
ବନ୍ଦ କରିବାରେ ଆପଣଙ୍କ ଓ ଆପଣଙ୍କ ପ୍ରରୋଚକମାନଙ୍କ ଭୂମିକାକୁ ଆଜି ବି ଓଡ଼ିଶାର ଛାତ୍ର ଓ ଯୁବସମାଜ
ଏକ କଳଙ୍କିତ ଅଧ୍ୟାୟର ଆଖ୍ୟା ଦେଇଛନ୍ତି l
ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରୁ ମନେହେଉଛି, ଆପଣ ଆପଣଙ୍କ ଦଳକୁ
ବଞ୍ଚାଇବାକୁ ତଥା ଦଳ ଭିତରେ ନୂଆ ମୁଖିଆଙ୍କ ଗ୍ରହଣୀୟତାକୁ ସୁରକ୍ଷା ଦେବାକୁ ଯାଇ ଏପରି ଅସତ୍ୟ
କହିଛନ୍ତି । ଆପଣଙ୍କ ପାଖରେ ଥିବା ଲୋକମାନେ
ଆପଣଙ୍କ ଭଳି ଜଣେ ଅନୁଭବୀ ନେତୃତ୍ୱଙ୍କ ମୁହଁରୁ ଛାତ୍ର-ନିର୍ବାଚନ ସମ୍ପର୍କରେ ଅମୂଳକ ଉଚ୍ଚାରଣ
କରାଇବା ଆପଣଙ୍କ ଛବିକୁ ଆହୁରି ମଳିନ କରୁଛି !
ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନ ଯେଉଁ ସକରାତ୍ମକ ବାର୍ତ୍ତା ଦେଉଛି, ତାହା ଓଡ଼ିଶାର
ଛାତ୍ର ଓ ଯୁବ ସମାଜ ଭଲ ଭାବେ ଜାଣିପାରିଛନ୍ତି । କେଉଁ ଦଳ କେଉଁ ସଂଗଠନର ସମର୍ଥନରେ କେତେ
ଛାତ୍ର ନେତା ନିର୍ବାଚିତ ହୋଇଛନ୍ତି, ତାହା ରାଜ୍ୟବାସୀ ଜାଣିଛନ୍ତି
।
ବାରମ୍ବାର ମିଛ କହି ତାହାକୁ ସତ୍ୟରେ ପରିଣତ କରିବା ପାଇଁ ଚେଷ୍ଟା
କରିବା ଆପଣଙ୍କ ଭଳି ବ୍ୟକ୍ତିଙ୍କ ପକ୍ଷେ କଦାପି ଶୋଭାପାଉନାହିଁ । ଏହି ସମୟରେ ଆପଣ
ଛାତ୍ରସମାଜକୁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ ତାହା
ଅଧିକ ଭଲ ହୋଇଥା'ନ୍ତା।
ଓଡିଶାର ଛାତ୍ର ଓ ଯୁବ ସମାଜକୁ ଭ୍ରମ ଓ ଭ୍ରାନ୍ତିଠାରୁ ଦୂରରେ ରଖି
ରାଷ୍ଟ୍ର ନିର୍ମାଣରେ ସେମାନଙ୍କୁ ପ୍ରେରିତ କରିବା ଆମର ଧ୍ୟେୟ ହେଉ ବୋଲି ସେ କହିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା