ୟୁ ପି ଏସ ଇ ଜିଓସାଇଣ୍ଟିଷ୍ଟ ପରୀକ୍ଷାରେ ୧୬ତମ ସ୍ଥାନରେ ଦାରିଙ୍ଗବାଡ଼ି ଝିଅ ମୋନାଲିସା ସାହୁ
Girl of KANDHAMAL Cracks UPSC
ଫୋଟ ୨


ଫୋଟ


କନ୍ଧମାଳ, ୧୯ ଅକ୍ଟୋବର (ହି.ସ.)- କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଦଣ୍ଡିମାହା ଗ୍ରାମର ମୋନାଲିସା ସାହୁ ୟୁପିଏସସି –୨୦୨୬ କମ୍ବାଇନ୍ଡ ଜିଓସାଇଣ୍ଟିଷ୍ଟ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୬ତମ ସ୍ଥାନ ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ହାଇଡ୍ରୋଲୋଜିଷ୍ଟ ପଦବୀ ପାଇଁ ତାଙ୍କର ଏହି ସଫଳତାରେ ପରିବାରବର୍ଗ, ଶିକ୍ଷକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

ବିଶ୍ୱନାଥ ସାହୁଙ୍କ ସୁପୁତ୍ରୀ ମୋନାଲିସା ତାଙ୍କ ଶିକ୍ଷାଯାତ୍ରା ନିଜ ଗ୍ରାମର ଦଣ୍ଡିମାହା ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ରମାଦେବୀ ମହିଳା ଜୁନିୟର କଲେଜରୁ ଯୁକ୍ତ ଦୁଇ ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ। ପିଜି ପରେ ବଡ଼ଭାଇ ପ୍ରଦୀପଙ୍କ ତତ୍ୱାବଧାନରେ ଫୁଲବାଣୀ ସ୍ଥିତ ଜିଲ୍ଲା ଇ - ପାଠାଗାର, କନ୍ଧମାଳରେ କିଛି ମାସ ନିଜ ପ୍ରସ୍ତୁତି ଅୟମାରମ୍ଭ କରିଥିଲେ । ବିନା କୋଚିଂରେ କେବଳ ସୀମିତ ସମ୍ବଳ ତଥା ୟୁଟ୍ୟୁବ ଓ କିଛି ନିଃଶୁଳ୍କ ଚ୍ୟାନେଲ ଆଦି ସହ ଜରୁରୀ ପୁସ୍ତକ ଅଧ୍ୟୟନ ଫଳରେ ୨ୟ ପ୍ରୟାସରେ ୩୨ ତମ ସ୍ଥାନ ଓ ୩ୟ ପ୍ରୟାସରେ ୧୬ ତମ ସ୍ଥାନ ହାସଲ କରିଛନ୍ତି। ସୁଯୋଗ ମିଳିଲେ ନିଜ ଜନ୍ମ ମାଟି କନ୍ଧମାଳର ଯଥୋଚିତ ଉନ୍ନତି କରିବାର ସ୍ୱପ୍ନ ରଖିଛନ୍ତି ମୋନାଲିସା। ନିଜର ଅଧ୍ୟବସାୟ, ନିଷ୍ଠା ଓ ଦୃଢ଼ ମନୋବଳ ବଳରେ ମୋନାଲିସା ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହି ଯାତ୍ରାରେ ତାଙ୍କ ପିତା, ମାତା, ବଡ଼ ଭାଇ, ସାନ ଭାଇ, ମାମୁ, ଶିକ୍ଷକ, ଇ- ପାଠାଗାର, ବନ୍ଧୁ ବାନ୍ଧବମାନଙ୍କର ସହଯୋଗ ଓ ପ୍ରେରଣା ରହିଥିବା ସେ ଜଣାଇଛନ୍ତି। ମୋନାଲିସାଙ୍କ ଏହି ସଫଳତା ଦଣ୍ଡିମାହା ଗ୍ରାମ ସମେତ ଦାରିଙ୍ଗବାଡ଼ି ଅଞ୍ଚଳ ପାଇଁ ଗର୍ବର ବିଷୟ। କନ୍ଧମାଳ ଭଳି ଜିଲ୍ଲାରେ ୟୁ ପି ଏସ ଇ ପରୀକ୍ଷା ଦ୍ୱାରା ସର୍ବପ୍ରଥମ ଜିଓସାଇନଟିଷ୍ଟ ମୋନାଲିସା ଗ୍ରହଣ କରିଛନ୍ତି। ତାଙ୍କର ଏହି କୃତିତ୍ୱ ଗ୍ରାମାଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଲକ୍ଷ୍ୟ ରଖି ନିଷ୍ଠାର ସହ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇବ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande