ନବରାତ୍ରୀର ନବମ ଦୁର୍ଗା ସ୍ଵରୂପ ମା ସିଦ୍ଧିଦାତ୍ରୀ
ଭୁବନେଶ୍ୱର, ୧୯ ଅକ୍ଟୋବର (ହି.ସ.)- ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ମା’ଙ୍କ ନବରାତ୍ରୀ ପୂଜା ଅନୁଷ୍ଠିତ ହେଉଛି । ଆଜି ନବରାତ୍ରୀର ନବମ ଦିବସରେ ମା’ ଦୁର୍ଗାଙ୍କ ସିଦ୍ଧିଦାତ୍ରୀ ବେଶ ଅନୁଷ୍ଠିତ ହୋଇଛି । ନବରାତ୍ରୀର ନବମ ତଥା ଅନ୍ତିମ ଦୁର୍ଗା ସ୍ୱରୂପ ମାତା ସିଦ୍ଧିଦାତ୍ରୀ
ନବରାତ୍ରୀର ନବମ ଦୁର୍ଗା ସ୍ଵରୂପ ମା ସିଦ୍ଧିଦାତ୍ରୀ


ଭୁବନେଶ୍ୱର, ୧୯ ଅକ୍ଟୋବର (ହି.ସ.)- ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ମା’ଙ୍କ ନବରାତ୍ରୀ ପୂଜା ଅନୁଷ୍ଠିତ ହେଉଛି । ଆଜି ନବରାତ୍ରୀର ନବମ ଦିବସରେ ମା’ ଦୁର୍ଗାଙ୍କ ସିଦ୍ଧିଦାତ୍ରୀ ବେଶ ଅନୁଷ୍ଠିତ ହୋଇଛି । ନବରାତ୍ରୀର ନବମ ତଥା ଅନ୍ତିମ ଦୁର୍ଗା ସ୍ୱରୂପ ମାତା ସିଦ୍ଧିଦାତ୍ରୀ । ମା’ ଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ପାଇଁ ବିଭିନ୍ନ ଶକ୍ତି ପୀଠ ତଥା ଦେବୀ ପୀଠ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି । ଭକ୍ତମାନେ ଶୃଙ୍ଖଳିତ ଭାବେ ଧାଡିରେ ଯାଇ ଦେବୀଙ୍କ ସିଦ୍ଧିଦାତ୍ରୀ ବେଶ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି ।

ପୁରାଣରେ ବର୍ଣ୍ଣିତ ଅଛି ଯେ, ବ୍ରହ୍ମାଣ୍ଡର ଅୟମାରମ୍ଭ ସମୟରେ ସୃଷ୍ଟି ସର୍ଜନା ପାଇଁ ଭଗବାନ ରୁଦ୍ର ଆଦି ପରାଶକ୍ତିଙ୍କୁ ଆବାହନ କରିଥିଲେ । ଆଦି ପରାଶକ୍ତି ନିର୍ଗୁଣ ନିରାକାର ତେଣୁ ସେ ମହାରୁଦ୍ରଙ୍କ ବାମଭାଗରୁ ସାକାର ରୂପରେ ସିଦ୍ଧିଦାତ୍ରୀ ଭାବରେ ଆବିର୍ଭୁତା ହେଲେ । ନବରାତ୍ରିର ଅନ୍ତିମ ଅର୍ଥାତ୍ ନବମ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ମା’ ସିଦ୍ଧିଦାତ୍ରୀ କେତୁ ଗ୍ରହକୁ ନିୟନ୍ତ୍ରଣ କରନ୍ତି । ମା’ କମଳାସନା ଓ ସିଂହବାହିନୀ, ଚତୁର୍ଭୂଜା, ଦକ୍ଷିଣ ଦୁଇ ହସ୍ତରେ ଗଦା ଏବଂ ଚକ୍ର ଓ ବାମ ଦୁଇ ହସ୍ତରେ ଶଙ୍ଖ ଏବଂ ପଦ୍ମପୁଷ୍ପ ଧାରଣ କରିଥାନ୍ତି । ମା'ଙ୍କୁ କେବଳ ମାନବ ନୁହନ୍ତି ବରଂ ଦେବତା, ଗନ୍ଧର୍ବ, ଯକ୍ଷ ଏବଂ ସିଦ୍ଧ ସମସ୍ତେ ପୂଜା କରନ୍ତି ।

ଦେବୀ ପୁରାଣ ରେ ବର୍ଣ୍ଣିତ ଅଛି ଯେ, ସ୍ୱୟଂ ମହାଦେବ ମଧ୍ୟ ତାଙ୍କର ସମସ୍ତ ସିଦ୍ଧି ମହାଶକ୍ତିଙ୍କୁ ଆରାଧନା କରି ପ୍ରାପ୍ତ କରିଥିଲେ । ମା’ ତାଙ୍କ ଭକ୍ତଙ୍କୁ ଅଷ୍ଟ ସିଦ୍ଧି (ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରକାମ୍ୟ, ଈଶୀତ୍ୱ ଓ ବଶିତ୍ୱ) ପ୍ରଦାନ କରନ୍ତି । ବାମ ଭାଗରୁ ମା’ ସିଦ୍ଧିଦାତ୍ରୀଙ୍କ ଆବିର୍ଭାବ ପରେ ମହାରୁଦ୍ରଙ୍କୁ ଅର୍ଦ୍ଧନାରୀଶ୍ୱର ରୂପରେ ପୂଜା କରାଗଲା ।

ପ୍ରକାଶ ଥାଉକି, ଗତ ୧୧ ତାରିଖରେ ମା’ ଦୁର୍ଗାଙ୍କ ଶୈଳପୁତ୍ରୀ ବେଶ, ୧୨ ତାରିଖରେ ବ୍ରହ୍ମଚାରିଣୀ ବେଶ, ୧୩ ତାରିଖରେ ଚନ୍ଦ୍ରଘଣ୍ଟା ବେଶ, ୧୪ ତାରିଖରେ କୁଷ୍ମାଣ୍ଡା ବେଶ, ୧୫ ତାରିଖରେ ସ୍କନ୍ଧମାତା ବେଶ, ୧୬ ତାରିଖରେ ମା’ ଦୁର୍ଗାଙ୍କ କାତ୍ୟାୟନୀ ବେଶ, ୧୭ ତାରିଖରେ ମା’ ଦୁର୍ଗାଙ୍କ କାଳରାତ୍ରୀ ବେଶ ଏବଂ ୧୮ ତାରିଖରେ ମହାଗୌରୀ ବେଶ ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande