
ମାଲକାନଗିରି, ୧୯ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କୋଇମେଟଲା ଗ୍ରାମରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ୩ ଜଣ ଅଭିଯୁକ୍ତଙ୍କ ଠାରୁ ନଗଦ ୧,୮୫୦ ଟଙ୍କା ସହ ଜୁଆ ଖେଳରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୪,୦୫୦ ଟଙ୍କା।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜବତ ସାମଗ୍ରୀ ମଧ୍ୟରେ ୬ଟି ଗୋଟି, ଗୋଟିଏ ପଲିଥିନ ମ୍ୟାଟ୍, ୨ଟି ମହମବତୀ ଏବଂ ନଗଦ ଟଙ୍କା ରହିଛି। ଏହି ଘଟଣାରେ କୋଇମେଟଲା ଗ୍ରାମର ରାକେଶ ମାଡ଼ି (୨୮), ଉରା କବାସୀ (୪୦) ଏବଂ ନାମକୋଣ୍ଡା ଗ୍ରାମର ଭୀମା ମାଡ଼କାମୀଙ୍କ ନାମରେ ମାମଲା ରୁଜୁ ହୋଇଛି। ଏନେଇ କାଲିମେଳା ଥାନା କେସ୍ ନମ୍ବର ୨୬୧/୨୦୨୬, ଓଡ଼ିଶା ପ୍ରିଭେନସନ୍ ଅଫ୍ ଗ୍ୟାମ୍ବଲିଂ ଆକ୍ଟର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ