

ନୂଆଦିଲ୍ଲୀ, ଅକ୍ଟୋବର 2(ହି.ସ): ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀ ଅବସରରେ ଆଜି ସମ୍ବିଧାନ ସଦନର ସେଣ୍ଟ୍ରାଲ ହଲରେ ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜ୍ ନାଥ ସିଂହ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ରସାୟନ ଓ ସାର ମନ୍ତ୍ରୀ ଜେପି ନଡ୍ଡା, କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ତଥା ବିଜେପି ଅଧ୍ୟକ୍ଷ ନିତିନ ନବୀନ, ସାଂସଦ, ପୂର୍ବତନ ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍କୁଲ ପିଲାଙ୍କ ସହ ଭାବ ବିନିମୟ କରିଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲା ଏହି ଦୁଇ ମହାନ ନେତାଙ୍କ ଜୀବନ ଏବଂ ଦେଶ ପ୍ରତି ସେମାନଙ୍କ ଅବଦାନକୁ ସ୍ମରଣ କରିଥିଲେ। ଏକ୍ସରେ ସେୟାର କରାଯାଇଥିବା ତାଙ୍କ ବାର୍ତ୍ତାରେ ସେ କହିଛନ୍ତି ଯେ ପୂଜ୍ୟ ମହାତ୍ମା ଗାନ୍ଧୀ ଏବଂ ପୂଜ୍ୟ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସମଗ୍ର ଜୀବନ ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ। ସତ୍ୟ, ଅହିଂସା, ସରଳତା ଏବଂ ରାଷ୍ଟ୍ର ପ୍ରତି ସେବାର ତାଙ୍କର ଆଦର୍ଶ ଆଗାମୀ ପିଢ଼ିକୁ ମାର୍ଗଦର୍ଶନ ଜାରି ରଖିବ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା