
ନୂଆଦିଲ୍ଲୀ, ଅକ୍ଟୋବର ୨ (ହି.ସ.) - ଜାମ୍ମୁ-କାଶ୍ମୀରରେ ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ଲିଙ୍କ (ୟୁ. ଏସ୍?. ବି. ଆର.ଏଲ୍?.) ପ୍ରକଳ୍ପ ଅଧୀନରେ ମାତା ବୈଷ୍ଣୋଦେବୀ କଟରା-ବନିହାଲର ୧୧୧ କିଲୋମିଟର ପଥରେ ଟ୍ରେନଗୁଡ଼ିକର ସର୍ବାଧିକ ଅନୁମୋଦିତ ବେଗ ଘଂଟାପ୍ରତି ୭୫ କିଲୋମିଟରରୁ ୧୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି। ଶୁକ୍ରବାର ଦିନ ବର୍ଦ୍ଧିତ ବେଗକୁ ସଫଳତାର ସହ ପରୀକ୍ଷା କରାଯାଇଥିଲା। ଏହି ସମୟରେ, ବନ୍ଦେ ଭାରତ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୨୬୪୦୧/୨୬୪୦୪) ଘଂଟାପ୍ରତି ୧୦୦ କି. ମି. ବେଗରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଚେନାବ ସେତୁ ଏବଂ ଭାରତର ପ୍ରଥମ କେବୁଲ-ଷ୍ଟେଡ୍ ରେଳ ସେତୁ ଅଞ୍ଜି ସେତୁ ଅତିକ୍ରମ କରିଥିଲା।
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ ଏହି ବେଗ ବୃଦ୍ଧି ୟୁ. ଏସ. ବି. ଆର. ଏଲ. ପ୍ରକଳ୍ପର ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଟ୍ରେନ୍ ଚଳାଚଳ ଅଧିକ ସହଜ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ଯାତ୍ରା ସମୟ ହ୍ରାସ କରିବ। ଏହା ଯାତ୍ରୀମାନଙ୍କୁ ଦ୍ରୁତ, ନିରାପଦ ଏବଂ ଅଧିକ ଆରାମଦାୟକ ରେଳ ଯାତ୍ରା ପ୍ରଦାନ କରିବାରେ ସହାୟକ ହେବ।
କଟରା-ବନିହାଲ ବିଭାଗରେ ସର୍ବାଧିକ ଅନୁମୋଦିତ ବେଗ ବୃଦ୍ଧି କରିବା ପାଇଁ ଆବଶ୍ୟକ ପରୀକ୍ଷଣ ଏବଂ ବୈଷୟିକ ମୂଲ୍ୟାଙ୍କନ ପରେ ଏହି ପରିବର୍ତନ କରାଯାଇଛି। ବର୍ଦ୍ଧିତ ବେଗକୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଦ୍ୱାରା ପରୀକ୍ଷା କରାଯାଇଥିଲା ଏବଂ ଟ୍ରେନ୍ ଘଂଟା ପ୍ରତି ୧୦୦ କି. ମି. ବେଗରେ ଚେନାବ ଏବଂ ଅଞ୍ଜି ବ୍ରିଜ୍ ଅତିକ୍ରମ କରିଥିଲା।
ଚେନାବ ସେତୁ ହେଉଛି ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ଖିଲାନ ସେତୁ। ଅଞ୍ଜି ସେତୁ ହେଉଛି ଭାରତର ପ୍ରଥମ କେବୁଲ-ଷ୍ଟେଡ୍ ରେଳ ସେତୁ। ଉଭୟ ସେତୁ ୟୁ. ଏସ୍?. ବି. ଆର.ଏଲ୍?. ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ଢାଂଚା ମଧ୍ୟରେ ରହିଛି ଏବଂ ଏହି ଧାରରେ ରେଳ ଚଳାଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଘଂଟାପ୍ରତି ୭୫ କିଲୋମିଟରରୁ ୧୦୦ କିଲୋମିଟର ବେଗ ବୃଦ୍ଧି ହେବା ଦ୍ୱାରା କଟରା ଏବଂ ବନିହାଲ ମଧ୍ୟରେ ରେଳ ଚଳାଚଳ କ୍ଷମତା ବୃଦ୍ଧି ପାଇବ। ଏହାଦ୍ୱାରା ଯାତ୍ରୀମାନେ ସହଜ ପରିଚାଳନା ସହିତ ଯାତ୍ରା ସମୟ ସଂଚୟ କରିବାରେ ଉପକୃତ ହେବେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ