
ଚଣ୍ଡୀଗଡ଼, ୨ ଅକ୍ଟୋବର (ହି.ସ.)। ଅମୃତସର ଗ୍ରାମୀଣ ପୁଲିସ ଅବୈଧ ଅସ୍ତ୍ର ଓ ନିଶାଦ୍ରବ୍ୟ ଯୋଗାଣରେ ସମ୍ପୃକ୍ତ ଦୁଇଟି ପୃଥକ ନେଟୱର୍କର ପର୍ଦ୍ଦାଫାଶ କରି ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୦ କିଲୋଗ୍ରାମ ହେରୋଇନ ଏବଂ ୧୦ଟି ଅବୈଧ ପିସ୍ତଲ ଜବତ କରାଯାଇଛି।
ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଗୌରବ ଯାଦବ କହିଛନ୍ତି ଯେ, ଗଲ୍ଲୁୱାଲ ନିବାସୀ ରାଜନପ୍ରୀତ ସିଂହ, ଘରିଣ୍ଡାର ରାଜାତାଲ କଲୋନୀ ନିବାସୀ ବିଜୟ, କମ୍ବୋଆ ନିବାସୀ ପାରସଦୀପ ସିଂହ ଓରଫ ବିଲ୍ଲା ଏବଂ ଅଟାରୀର କାହନଗଡ଼ ନିବାସୀ ଗୁରମୁଖ ସିଂହ ଓରଫ ବୋଦିଙ୍କୁ ଗିରଫ କରାଯାଇଛି।
ପ୍ରାରମ୍ଭିକ ତଦନ୍ତରୁ ଏହି ଅଭିଯୁକ୍ତମାନଙ୍କ ସମ୍ପର୍କ ବିଦେଶରେ ବସି ଅବୈଧ ଅସ୍ତ୍ର ଓ ନିଶାଦ୍ରବ୍ୟ ଚୋରାଚାଲାଣରେ ସମ୍ପୃକ୍ତ ଥିବା କଥିତ ତସ୍କରମାନଙ୍କ ସହ ଥିବା ଜଣାପଡ଼ିଛି। ସମଗ୍ର ନେଟୱର୍କର ପର୍ଦ୍ଦାଫାଶ ସହ ଏହାର ପୂର୍ବ ଓ ପରବର୍ତ୍ତୀ ସମ୍ପର୍କ ଖୋଜିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି ଡିଜିପି କହିଛନ୍ତି।
ବର୍ଡର ରେଞ୍ଜ୍ ପୁଲିସ ମହାନିରୀକ୍ଷକ (ଆଇଜିପି) ଗୁରପ୍ରୀତ ସିଂହ ଭୁଲ୍ଲର କହିଛନ୍ତି ଯେ, ପ୍ରଥମ ଅଭିଯାନରେ ବେଆଇନ ଅସ୍ତ୍ର ଯୋଗାଣ ସମ୍ପର୍କରେ ମିଳିଥିବା ନିର୍ଭରଯୋଗ୍ୟ ସୂଚନା ଆଧାରରେ ଘରିଣ୍ଡା ଥାନା ପୁଲିସ ରାଜନପ୍ରୀତ ସିଂହ ଓ ବିଜୟଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୧୦ଟି ବେଆଉନ ପିସ୍ତଲ ଜବତ କରାଯାଇଥିଲା।
ସେହିପରି, ଦ୍ୱିତୀୟ ଅଭିଯାନରେ ସୀମାପାରରୁ ପରିଚାଳିତ ନିଶା ଚୋରାଚାଲାଣ ନେଟୱର୍କ ସମ୍ପର୍କରେ ମିଳିଥିବା ନିର୍ଭରଯୋଗ୍ୟ ସୂଚନା ଆଧାରରେ ଘରିଣ୍ଡା ଥାନା ପୁଲିସ ପାରସଦୀପ ସିଂହ ଓରଫ ବିଲ୍ଲା ଏବଂ ଗୁରମୁଖ ସିଂହ ଓରଫ ବୋଦିଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୧୦ କିଲୋଗ୍ରାମ ହେରୋଇନ ଜବତ ହୋଇଛି। ପାରସଦୀପ ଜଣେ କୁଖ୍ୟାତ ନିଶା ତସ୍କର ଏବଂ ସେ ଏହି ଅଞ୍ଚଳରେ ଏକ ଡ୍ରଗ୍ କାର୍ଟେଲ ପରିଚାଳନା କରୁଥିବା ଆଇଜିପି କହିଛନ୍ତି।
ଅମୃତସର ଗ୍ରାମୀଣ ଏସଏସପି କନୱଲପ୍ରୀତ ସିଂହ ଚହଲ କହିଛନ୍ତି ଯେ, ଏହି ଘଟଣା ସମ୍ପର୍କରେ ଘରିଣ୍ଡା ଥାନା (ଅମୃତସର ଗ୍ରାମୀଣ)ରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ