
ନୂଆଦିଲ୍ଲୀ, ୨ ଅକ୍ଟୋବର (ହି.ସ.): ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (ଏସଆଇଆର) ପ୍ରକ୍ରିୟା ବନ୍ଦ କରିବା ଦାବିରେ ଶୁକ୍ରବାର ଦିଲ୍ଲୀର ଜନ୍ତର ମନ୍ତରରେ ବିରୋଧୀ ଦଳ ଓ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାମପନ୍ଥୀ ଦଳ, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ସମେତ ବିଭିନ୍ନ ସଂଗଠନର କର୍ମୀ ଓ ସମର୍ଥକମାନେ ଧାରଣାରେ ବସିଥିବା ବେଳେ ପୁଲିସ ଅନେକ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଛି।
ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ରେ ଜନ୍ତର ମନ୍ତରରେ ପ୍ରଦର୍ଶନ କରିବାକୁ ବିଭିନ୍ନ ଛାତ୍ର ସଂଗଠନ ଆହ୍ୱାନ ଦେଇଥିଲେ। ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀ ଏବଂ ଭୋଟର ତାଲିକା ସମ୍ବନ୍ଧୀୟ ମାମଲା ପରିଚାଳନାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ପୁଲିସର କହିବା ଅନୁଯାୟୀ ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇନଥିଲା। ଏହା ସତ୍ତ୍ୱେ ସାମାଜିକ କର୍ମୀ ଓ ଛାତ୍ର ସଂଗଠନ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (ଆଇସା), ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସଏଫଆଇ), ଏନଏସୟୁଆଇ ଏବଂ ଡେମୋକ୍ରାଟିକ୍ ୟୁଥ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡିୱାଇଏଫଆଇ) ପକ୍ଷରୁ ପ୍ରଦର୍ଶନ ପାଇଁ ଆହ୍ୱାନ ଦିଆଯାଇଥିଲା।
ଅଞ୍ଚଳରେ ନିଷେଧାଜ୍ଞା ଲାଗୁ ହୋଇଥିବାରୁ ବିନା ଅନୁମତିରେ ଭିଡ଼ ଜମା ହେବାକୁ ରୋକିବା ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଜନ୍ତର ମନ୍ତର ଓ ଏହାର ଆଖପାଖ ଅଞ୍ଚଳରେ ଅତିରିକ୍ତ ପୁଲିସ ବଳ ମୁତୟନ କରାଯାଇଥିଲା। ଜନ୍ତର ମନ୍ତରକୁ ଯିବା ପାଇଁ ସୁବିଧାଜନକ ଥିବା ଦିଲ୍ଲୀର ପ୍ରାୟ ୧୧ଟି ମେଟ୍ରୋ ଷ୍ଟେସନକୁ ସକାଳୁ ବନ୍ଦ ରଖାଯାଇଥିବା ଜଣାପଡ଼ିଛି। ଏଥିସହ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଥିଲା।
ପ୍ରଦର୍ଶନ ସମୟରେ ଆମ୍ ଆଦମୀ ପାର୍ଟିର ନେତା ଆତିଶୀ, ସୌରଭ ଭରଦ୍ୱାଜ ଓ ସଞ୍ଜୟ ସିଂହଙ୍କ ସମେତ ୧୧୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ର ଜାତୀୟ ସଭାପତି ନେହା ବୋରାଙ୍କୁ ମଧ୍ୟ ଅଟକ ରଖାଯାଇଛି। ଏହାଛଡ଼ା ଯୋଗେନ୍ଦ୍ର ଯାଦବ ଏବଂ ଆରଜେଡି ନେତା ମନୋଜ ଝାଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଜନ୍ତର ମନ୍ତର ଅଭିମୁଖେ ଯାଉଥିବା ବେଳେ ନର୍ଥ ଆଭେନ୍ୟୁ ନିକଟରେ ପୁଲିସ ତାଙ୍କୁ ଅଟକାଇଥିଲା।
ଭୋଟର ତାଲିକାର ଏସଆଇଆର ପ୍ରକ୍ରିୟାରେ କଥିତ ଅନିୟମିତତା ଏବଂ ବହୁ ସଂଖ୍ୟକ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଯୋଗ ଉଠିବା ପରେ ପ୍ରଦର୍ଶନକାରୀମାନେ ଏହି ବିକ୍ଷୋଭ ଆୟୋଜନ କରି ତାଙ୍କ ଇସ୍ତଫା ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ