
ପୁରୀ, ୨୦ ଅକ୍ଟୋବର (ହି.ସ.)- ଶାରଦୀୟ ପୂଜା ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ସାହିର ପୂଜାମଣ୍ଡପରେ ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତି ପୂଜା ପାଉଛନ୍ତି । ଆଜି ବିଭିନ୍ନ ମଣ୍ଡପରେ ମା’ ଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଛି । ଆସନ୍ତାକାଲି ମା’ଙ୍କ ବିସର୍ଜନ ହୋମ ସହ ପଂକ୍ତି ନୀତି ଅନୁଷ୍ଠିତ ହେବ ।
ଏମାର ମଠ ନିକଟ ମା’ କାକୁଡ଼ିଖାଇ, ହରଚଣ୍ଡୀ ସାହିର ମା’ ବାରବାଟୀ, ଦୋଳମଣ୍ଡପ ସାହିର ମା’ ଜହ୍ନିଖାଇ, ମାଟିମଣ୍ଡପ ସାହିର ମା’ ଶୂନ୍ୟଗୋଷାଣି, ମଣିକର୍ଣ୍ଣିକା ସାହିର ମା’ ବନଦୁର୍ଗା, ହରଚଣ୍ଡୀ ସାହି ହାଟମୁଣ୍ଡଛକର ମା’ ତ୍ରିପୁରା ସୁନ୍ଦରୀ, ଗୌଡବାଡ ସାହିର ମା’ ଜହ୍ନିଖାଇ, ବାଲିସାହିର ମା’ ଜହ୍ନିଖାଇ, ଖୁଂଟିଆ ସାହିର ମା’ ବେଲବାଇ, ତିଆଡ଼ି ସାହିର ମା’ ହାଡ଼ବାଇ, ମହାସୁଆର ସାହିର ମା’ ହରଚଣ୍ଡୀ, ବାସେଳୀ ସାହିର ମା’ ପଣାପ୍ରିୟା, ମଣିକର୍ଣ୍ଣିକା ସାହିର ମା’ ଗେଲବାଇ, ଗୁଡ଼ିଆ ସାହିର ମା ଗେଲବାଇ ଓ ଜମକୋଟ, ହରଚଣ୍ଡୀ ସାହିର ମା’ ଚକ୍ରକୋଟ, ହରଚଣ୍ଡୀ ସାହିର ମା’ ମହତେଶ୍ୱରୀ, ଗୋଛିକାର ସାହିର ମା’ ବନଦୁର୍ଗା, ଶୀତଳ ପିଣ୍ଡା ସାହିର ମା’ ଶୀତଳା, କରତି ସାହିର ମା’ ହରଚଣ୍ଡୀ, ହଜୁରୀ ଗଳିର ମା’ ହରପ୍ରିୟା ପୂଜା ପାଉଛନ୍ତି । ସପ୍ତମୀ ଠାରୁ ମଣ୍ଡପ ଗୁଡ଼ିକରେ ନିରାଡ଼ମ୍ବର ଭାବରେ ମା’ ଙ୍କ ମୃଣ୍ମୟୀ ମୂର୍ତି ପୂଜା ପାଉଛି । ମା’ ଙ୍କ ପୂଜାର୍ଚ୍ଚନା ବିଧି ଅନୁଯାୟୀ ଅନୁଷ୍ଠିତ ହେଉଛି । ଆଜି ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟୀ ଦେବୀ ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଛି । ଭକ୍ତମାନେ ମା’ଙ୍କୁ ଦର୍ଶନ କରିବା ସହ ଦୀପ ଜାଳି ପ୍ରଣିପାତ କରୁଥିବା ଦେଖିବାକୁ ମିଳୁଛି । ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ